ଜଣେ ବାପା ଜୀବନର ସବୁ ଯନ୍ତ୍ରଣା ଏହି ଯନ୍ତ୍ରଣା ଆଗରେ କମ୍ ପଡିଯିବ । ସେଇ କାନ୍ଧକୂ କଷ୍ଟ ହେଉ ନଥିଲା ଯେତେବେଳେ ନିଜ ୯ ବର୍ଷ ପୁଅର ଶବକୁ ବାପା କାନ୍ଧରେ ପକାଇ ବୋହୁଥିଲା । କିନ୍ତୁ ମଲା ପୁଅକୁ ଘରକୁ ନେବା ପାଇଁ ବି ସକ୍ଷମ ହୋଇ ପାରୁ ନଥିବା ବାପାର ଛତି ଅସହ୍ୟ ଯନ୍ତ୍ରଣାରେ ଫାଟି ପଡୁଥିଲା । ବର୍ଷ ପରେ ବର୍ଷ ବିତିଚାଲିଛି । କିନ୍ତୁ ସେହି ସମାନ ଚିତ୍ର ଓ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଯଦି ଜଣେ ଲୋକ ମରିଯିବା ପରେ ବି ତାକୁ ଟିକେ ସହାୟତା ମିଳୁ ପାରୁନି ତେବେ ବଞ୍ଚିଥିବା ଲୋକ ମଧ୍ୟ ଏହା ଆଶା କରିବା ବୃଥା ଅଟେ ।
ଏହି ଦୃଶ୍ୟଟି ଯେକୌଣସି ଦରଦୀ ହୃଦୟର ଲୋକ ଆଖିରେ ଲୁହ ଆଣିଦେବ । ୬ ବର୍ଷ ତଳେ ୨୦୧୬ରେ ଦାନ ମାଝୀ ନିଜ ସ୍ତ୍ରୀର ଶବକୁ ଯେମିତିନ କାନ୍ଧରେ ବୋହି ନେଉଥିଲା ଆଜି ଏହି ବାପାର ଅବସ୍ଥା ଠିକ ସେମିତି । ସେତେବେଳେ ସ୍ୱାସ୍ଥ୍ୟ ଅବସ୍ଥା ଯେମିତି ଥିଲା ଆଜିବି ସେଥିରେ କୌଣସି ପରିବର୍ତ୍ତନ ହୋଇନି କହିଲେ ଚଳେ । ନଚେତ ସତରେ କଣ ଏହି ବାପାଟି ଏତେ ଅସହାୟ ହୋଇ ପଡିଥାନ୍ତା । ଆଖିର ଲୁହାକୁ ଓଠରେ ପିଇ ପିଇ ନିଜ ପୁଅର ଶବକୁ କାନ୍ଧରେ ପକାଇ ଚାଲିଛି ବାପା ।
ବାପାଙ୍କ ପଛରେ ବୁକୁଫଟା ବିକଳ ଚିତ୍କାର କରି ଚାଲିଛନ୍ତି ମାଆ । ଏତେ ଛୋଟ ବୟସରୁ ପୁଅକୁ ହରେଇ ମାଆ କାନ୍ଦି କାନ୍ଦି ଅଥୟ ଅଧୀର ହୋଇଯାଉଛି । ଆଉ କାନ୍ଦି କାନ୍ଦି କହୁଛି ରେ ବାବୁ ରେ ଧନ କାହିଁକି ଛାଡିକି ଚାଲିଗଲୁ । ଏହି ଦୃଶ୍ୟଟି ରାୟଗଡା ଜିଲ୍ଲାରୁ ସାମ୍ନାକୁ ଆସିଛି । ପୁଅର ଶବକୁ କାନ୍ଧରେ ପକାଇ ପ୍ରାୟ ଦେଢ କିଲୋମିଟର ଚାଲି ଚାଲି ଘରକୁ ପୁଅକୁ ନେଇ ଯାଉଛି ବାପା ଟିଏ ।
କାରଣ ଜିଲ୍ଲା ଚିକିତ୍ସାଳୟରେ ତାଙ୍କ ପୁଅକୁ ହରାଇବା ପରେ ଗୋଟିଏ ଗାଡି କିମ୍ବା ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା ହୋଇ ପାରିଲା ନାହିଁ । ଯାହାଫଳରେ ପୁଅର ଶବକୁ କାନ୍ଧରେ ଲଦି ଦେଢ କିଲୋମିଟର ଚାଲି ଚାଲି ବାପା ଘରକୁ ଫେରିଥିବା ଅଭିଯୋଗ ହୋଇଛି । ମୃତ ପୁଅଟିର ନାମ ଆକାଶ ବେନିଆ । ରାୟଗଡା ସଦର ମହକୁମା ହରିଜନ ସାହିର ଆକାଶର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାପା ସୁରଧର ଓ ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୁଅକୁ ଘରକୁ ନେବା ପାଇଁ ଅସହାୟ ବାପାଟି କୌଣସି ବ୍ୟବସ୍ଥା କରିପାରି ନଥିଲା । ଯାହାଫଳରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।