ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସୁରକ୍ଷା ପାଇଁ ନୂଆ କାର୍ ଆସିଛି । ଏହି ନୂଆ କାର୍ ଟି ବୁଲେଟ ପ୍ରୁଫ ହେବା ସହ ବିସ୍ଫୋରଣ ନିରୋଧୀ ଅଟେ । ରେଞ୍ଜରୋଭର ବଗ୍ ଏବଂ ଟୟୋଟା ଲ୍ୟାଣ୍ଡ କ୍ଵିଜର ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଚଢିବେ ମର୍ସିଡିଜ ମେବାକ ଏସ୬୫୦ । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୨ କୋଟିର ଏହି କାର୍ ଟି କିଣାଯାଇଛି । ଋଷ ରାଷ୍ଟ୍ରପତି ବ୍ଳାଡମିର ପୁଟିନ ଭାରତ ଆସିଥିବା ବେଳେ ମୋଦି ପ୍ରଥମ ଥର ପାଇଁ ଏହି ଗାଡିରେ ହାଇଦ୍ରାବାଦ ହାଉସ ଆସିଥିଲେ ।
ମର୍ସିଡିଜ ମେବାକରେ ଭିଆର୧୦ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ରାଷ୍ଟ୍ରୀୟ ମୁଖ୍ୟଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜିର ସୁପାରିସ୍ ଆଧାରରେ ଏହି ସୁରକ୍ଷିତ ଏବଂ ଦାମୀ କାର୍ କିଣାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ ଗାଡି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଗତି କରିପାରିବ । ଏହି ଗାଡିଟି ସଂପୂର୍ଣ୍ଣ ଭାବେ ବୁଲେଟ ପ୍ରୁଫ ଅଟେ । ମର୍ସିଡିଜ ମେବାକ ୨୦୧୦ରେ ବିସ୍ଫୋରଣ ନିରୋଧୀ କାର୍ ର ମାନ୍ୟତା ପାଇଥିଲା ।
ସବୁଠୁ ଖାସ୍ କଥା ହେଲା ଗାଡିରେ ବସିଥିବା ଲୋକ ଦୁଇ ମିଟର ଦୂରରୁ ୧୫ କିଲୋ ଓଜନର ବିସ୍ଫୋରକର ବିସ୍ଫୋରଣକୁ ସମ୍ଭାଳି ପାରିବ । ଗାଡିର ତଳଭାଗଟି ସଂପୂର୍ଣ୍ଣ ଭାବେ ବିସ୍ଫୋରଣ ନିରୋଧୀ ଅଟେ । ସେହିଭଳି ଭିତର ପଟେ ଗାଡିର କାଚ ଏବଂ ଡୋର୍ ଗୁଡିକ ମଧ୍ୟ ଯାତ୍ରୀଙ୍କୁ ସୁରକ୍ଷା ଦେଇ ପାରିବା ଭଳି ତିଆରି କରାଯାଇଛି । କେବଳ ଏତିକି ନୁହେଁ ବରଂ ଗ୍ଯାସ ଆକ୍ରମଣକୁ ମଧ୍ୟ ଏହି ଗାଡି ପ୍ରତିହତ କରିପାରିବ ।
କ୍ୟାବିନ ଭିତରେ ସ୍ଵତନ୍ତ୍ର ଏୟାର ସପ୍ଲାଇ ବ୍ୟବସ୍ଥା ଥିବାରୁ ଗ୍ଯାସ ଆକ୍ରମଣ ବେଳେ ଯାତ୍ରୀଙ୍କୁ ସ୍ଵତନ୍ତ୍ର ସୁରକ୍ଷା ଦେଇପାରିବ ଏହି ଗାଡି । ସେହିଭଳି ଗାଡିର ତେଲ ଟାଙ୍କିକୁ ସୁରକ୍ଷା ଦେବା ଲାଗି ଏହା ଉପରେ ଏକ ପ୍ରକାରର ପ୍ରଲେପ ଦିଆଯାଇଛି । ବୋଇଂ ହେଲିକପ୍ଟର ଏଏଚ୬୪ ଆପାଚିରେ ଯେଉଁ ପ୍ରକାରର ପ୍ରଲେପ ଦିଆ ଯାଇଥିଲା, ଏହି ଗାଡିରେ ମଧ୍ୟ ସେହି ସମାନ ପ୍ରଲେପ ରହିଛି । ଗାଡିର ଚକା ଗୁଡିକ ମଧ୍ୟ ସ୍ଵତନ୍ତ୍ର ଶୈଳୀରେ ତିଆରି ହୋଇଛି ।
ନରେନ୍ଦ୍ର ମୋଦି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ମହିନ୍ଦ୍ରା ସ୍କର୍ପିଓ ବ୍ୟବହାର କରୁଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସେ ବିଏମଡବ୍ଲ୍ୟୁ- ୭ ଚଢିଥିଲେ । ପରେ ପରେ ରେଞ୍ଜରୋଭର ବଗ୍ ବ୍ୟବହାର କରୁଥିଲେ ମୋଦି । ଆଉ ଏବେ ବ୍ୟବହାର କରିବେ ମର୍ସିଡିଜ ମେବାକ । ତେବେ ଆପଣ ଯଦି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ କେଉଁ ଗାଡି ଚଢିବାକୁ ଅଧିକ ପସନ୍ଦ କରିଥାନ୍ତେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।