କନେଷ୍ଟବଳ ସ୍ଵାମୀ ଅଫିସରଙ୍କୁ ସାଲ୍ଯୁଟ ମାରୁଥିବାର ଦେଖି ସ୍ତ୍ରୀ ହୋଇଗଲେ IPS ଅଫିସର, ଜାଣନ୍ତୁ ଏହି ପ୍ରେରଣାଦାୟୀ କାହାଣୀ !

ମାତ୍ର ୧୪ ବର୍ଷ ବୟସରେ ବିବାହ ହୋଇଗଲା । ଆଉ ୧୮ ବର୍ଷ ବେଳକୁ ଦୁଇଟି ସନ୍ତାନର ମାଆ । ବିବାହ ପାଇଁ ଅଧାରେ ରହିଗଲା ପାଠପଢା । ଦଶମ ପାସ୍ କରି ନପାରି ବିବାହ କରିଥିବା ସେହି ମହିଳା ଆଜି ଜଣେ ଆଇପିଏସ ଅଫିସର । ଆପଣ ଭାବୁଥିବେ ଏସବୁ କେମିତି ସମ୍ଭବ ହେଲା ? କିନ୍ତୁ କୁହାଯାଏ ସଫକତା ପାଇବାକୁ ଆବଶ୍ୟକ ହୁଏ ପ୍ରେରଣା । ଆଉ ସେହି ପ୍ରେରଣା ମଣିଷକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ଶକ୍ତି ଯୋଗାଏ । ସେମିତି କିଛି ପ୍ରେରଣା ପାଇଥିଲେ ତାମିଲନାଡୁର ଏନ. ଅମ୍ବିକା ।

ତାଙ୍କର କନେଷ୍ଟବଳ ସ୍ଵାମୀ ସିନିୟର ଅଫିସରଙ୍କୁ ସାଲ୍ଯୁଟ ମାରିବା ଦେଖି ସେ ଆଇପିଏସ ଅଫିସର ହେବାକୁ ନିଷ୍ପତ୍ତି ନେଇଥିଲେ । ଦଶମ ପାସ୍ ପରେ ଜଣେ କନେଷ୍ଟବଳଙ୍କ ସହ ଅମ୍ବିକାଙ୍କର ବିବାହ ହୋଇଥିଲା । ବିବାହର ଦୁଇ ବର୍ଷ ପରେ ସେ ଦୁଇଟି ସନ୍ତାନର ମାଆ ହେଲେ । ଥରେ ସାଧାରଣ ତନ୍ତ୍ର ଦିବସରେ ସେ ତାଙ୍କ ସ୍ଵାମୀଙ୍କ ସହ ପୋଲିସ ପ୍ୟାରେଡ ଦେଖିବାକୁ ଯାଇଥିଲେ । ସେଠାରେ ତାଙ୍କ ସ୍ଵାମୀଙ୍କୁ ସେ ଜଣେ ଲୋକଙ୍କୁ ସାଲ୍ଯୁଟ ମାରୁଥିବାର ଦେଖିଥିଲେ ।

ଘରକୁ ଆସି ସାଲ୍ଯୁଟ ନେଉଥିବା ଲୋକ ଜଣକ କିଏ ବୋଲି ଅମ୍ବିକା ପ୍ରଶ୍ନ କରିଥିଲେ । ସେ ଜଣେ ସିନିୟର ଅଫିସର ତଥା ଆଇପିଏସ ଅଫିସର ଥିଲେ ବୋଲି ଅମ୍ବିକାଙ୍କୁ ତାଙ୍କ ସ୍ଵାମୀ କହିଥିଲେ । ସେବେ ଠାରୁ ଅମ୍ବିକାଙ୍କ ମନରେ ଆଇପିଏସ ଅଫିସର ହେବାର ଇଚ୍ଛା ଜନ୍ମ ହେଲା । ଆଇପିଏସ ହେବା ପାଇଁ କେମିତି ପ୍ରସ୍ତୁତ ହେବାକୁ ପଡେ ବୋଲି ଅମ୍ବିକା ସ୍ଵାମୀଙ୍କୁ ପଚାରିଥିଲେ ।

ସ୍ଵାମୀଙ୍କ କହିବା ଅନୁଯାୟୀ ଅମ୍ବିକା ପ୍ରଥମେ ଦଶମ ପାସ୍ କଲେ ଓ ତା’ପରେ ଡିଷ୍ଟାନ୍ସ କୋର୍ସରେ ଗ୍ରାଜୁଏସନ ଯାଏଁ ପଢିଲେ । ଏହାପରେ ଅମ୍ବିକା ତାମିଲନାଡୁର ଏକ କୋଚିଂ ସେଣ୍ଟରରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ତିନିଥର ୟୁପିଏସସିରେ ଫେଲ୍ ହେବା ପରେ ଶେଷରେ ୨୦୦୮ରେ ଶେଷ ଉଦ୍ୟମରେ ସେ ଏଥିରେ କୃତକାର୍ଯ୍ୟ ହୋଇଥିଲେ । ଏହାପରେ ତାଙ୍କୁ ମହାରାଷ୍ଟ୍ର କ୍ୟାଡରରେ ପୋଷ୍ଟିଂ ମିଳିଛି ।

ଅମ୍ବିକା ଏବେ ମୁମ୍ବାଇ ଜୋନ-୪ ର ଡିସିପି ଅଛନ୍ତି । ପ୍ରେରଣା, କଠିନ ପରିଶ୍ରମ, ଧୈର୍ଯ୍ୟ ଓ ଦୃଢ ଇଚ୍ଛାଶକ୍ତି ଯେ ମଣିଷକୁ ଦିନେ ସଫଳତା ଆଣିଦିଏ ଏହା ଅମ୍ବିକା କରି ଦେଖାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।