ବର୍ତ୍ତମାନ ରାଜ୍ୟରେ ପ୍ରତିଟି ଗାଡିରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗିବା ନେଇ ଜୋରଦାର ପ୍ରୟାସ ଲାଗିରହିଛି । ଏଥିପାଇଁ ସରକାର ପୂର୍ବରୁ ଡେଡଲାଇନ ଧାର୍ଯ୍ୟ କରି ସାରିଥିବା ବେଳେ ରାଜ୍ୟ ପରିବହନ ବିଭାଗର ଅନଲାଇନ ପୋର୍ଟାଲରେ କିନ୍ତୁ ସ୍ଲଟ ମିଳି ପାରୁନାହିଁ । ଫଳରେ ଏବେ ସୁଦ୍ଧା ଆହୁରି ଅନେକ ଲୋକେ ନିଜ ଗାଡିରେ ନୂଆ ନମ୍ବର ପ୍ଲେଟ ଲଗାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ସେପଟେ କିନ୍ତୁ ଡେଡଲାଇନ ପାଖେଇ ଆସିଲାଣି ।
ଆଉ ମାତ୍ର କେଇ ଦିନରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ନେଇ ଆରମ୍ଭ ହୋଇଯିବ ଚେକିଂ । ଏନେଇଏ ସାଧାରଣ ଲୋକଙ୍କ ମନରେ ଅନେକ ଦ୍ଵନ୍ଦ ରହିଥିବା ବେଳେ ମାନ୍ୟବର ହାଇକୋର୍ଟ ମଧ୍ୟ ରାଜ୍ୟ ପରିବହନ ବିଭାଗକୁ ଜବାବ ମାଗି ସାରିଲେଣି । ଏତିକି ବେଳେ ସାମ୍ନାକୁ ଆସିଛି ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ମନ୍ତବ୍ୟ । ସେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଅନେକ ନିଷ୍ପତ୍ତିକୁ ସମାଲୋଚନା କରି ବେଶ ଚର୍ଚ୍ଚାରେ ରୁହନ୍ତି ।
ତେବେ ବର୍ତ୍ତମାନ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ନେଇ ମଧ୍ୟ ମୁହଁ ଖୋଲିଛନ୍ତି ସୁର ଭାଇ । ତାଙ୍କ କହିବା ଅନୁଯାୟୀ ପୂର୍ବରୁ ଏହି ନମ୍ବର ପ୍ଳେଟ ତିଆରି କରି ଅନେକ ଛୋଟ ଛୋଟ କାରିଗର ନିଜ ପରିବାର ପୋଷୁଥିଲେ । କିନ୍ତୁ ସରକାରଙ୍କ ଏହି ନୂଆ ନିୟମ ଯୋଗୁଁ ଅନେକଙ୍କ ଭାତ ହାଣ୍ଡିରେ ଗୋଇଠା ବାଜିଛି । ସେମାନେ ବେକାର ହୋଇ ଦାଣ୍ଡରେ ବୁଲୁଛନ୍ତି ।
ଭିକ ମାଗିବା ଓ ମୂଲ ଲାଗିବା ଛଡା ସେମାନଙ୍କ ପାଖରେ ଆଉ ରାସ୍ତା ନାହିଁ । ପୂର୍ବରୁ ଯେଉଁ ନମ୍ବର ପ୍ଳେଟ ଥିଲା ସେଇଟା ତ ଲାଗିଥିଲା, ସେଥିରେ କଣ ଏମିତି ଖରାବୀ ଥିଲା ଯେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବା ପାଇଁ ସରକାର ବାହାରି ପଡିଲେ ! ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ଅନେକ ଲୋକଙ୍କ ଜୀବିକା ବନ୍ଦ ହୋଇଯାଇଛି ଓ ସାଧାରଣ ଲୋକଙ୍କ ଠାରୁ ମଧ୍ୟ ଏହି ନମ୍ବର ପ୍ଳେଟ ବଦଳରେ ସରକାର ଅନେକ ଟଙ୍କା ଶୋଷି ନେଉଛନ୍ତି । ଆମେ କାହିଁକି ଟଙ୍କା ଦେଇ ନମ୍ବର ପ୍ଳେଟ ଲଗେଇବୁ ?
ଏହାସହ ତାଙ୍କ ନିଜ ଗାଡିରେ ମଧ୍ୟ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଇବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ସୁର ଭାଇ । ଏହି ନୂଆ ନମ୍ବର ପ୍ଳେଟକୁ ନେଇ ସେ ଘୋର ବିରୋଧ କରୁଥିବା ନିଜ ମନ୍ତବ୍ୟରେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।