ମନ୍ଦିରର ମୂଳଦୁଆ ମାଟିରୁ ଅଲଗା କରି ଦିଆଗଲାଣି । ମନ୍ଦିରକୁ ଉପରକୁ ଉଠାଯିବା କାମ ଜାରି ରହିଛି । କଥା ଟା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଦମ ସତ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅନ୍ତର୍ଗତ ରଥିଜେମାର 30 ଘର ସାହିରେ ଥିବା ଗୋପାଳ ଜୀଉ ମନ୍ଦିରକୁ ମାଟି ଉପରକୁ ପ୍ରାୟ 3 ଫୁଟ୍ ଉପରକୁ ଉଠାଇ ଦିଆଯାଇଛି । ଏହି ବିଶାଳ ମନ୍ଦିରଟି ଏବେ କେତୋଟି ଲୁହାର ଜଗ୍ ଉପରେ ଠିଆ ହୋଇ ରହିଛି ।
ମନ୍ଦିରଟି ବର୍ତ୍ତମାନ ଯାଏଁ ମାଟିରୁ 3 ଫୁଟ୍ ଉପରକୁ ଉଠି ସାରିଥିବା ବେଳେ ଏହାକୁ ଆହୁରି 2 ଫୁଟ୍ ଉପରକୁ ଉଠାଯିବ । କୁଶଳୀ କାରିଗରମାନେ ମନ୍ଦିରକୁ ଉପରକୁ ଉଠାଇବା କାର୍ଯ୍ୟରେ ଲାଗି ପଡିଛନ୍ତି । ଏହି ମନ୍ଦିର ଭିତରେ ଗୋପାଳ ଜୀଉ, ନୃସିଂହନାଥ ଏବଂ ଗୋପୀନାଥଙ୍କ ସହ ଅନେକ ଶାଳଗ୍ରାମ ମଧ୍ୟ ପୂଜା ପାଉଛନ୍ତି । ଏହି ମନ୍ଦିରରେ ପୂଜା ପାଉଥିବା ତିନି ଠାକୁର ହେଉଛନ୍ତି ଆଖପାଖ 5ଟି ମୌଜା ବାସିନ୍ଦାଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ।
ଏଠାରେ କାହିଁ କେଉଁ କାଳରୁ ଠାକୁରଙ୍କ ଆବିର୍ଭାବ ହୋଇଛି କହିବା କଷ୍ଟକର । କାରଣ ମନ୍ଦିରଟି ଦୀର୍ଘ 400 ବର୍ଷ ଧରି ସେଠାରେ ବିଦ୍ୟମାନ ରହିଛି । ଗାଁ ଲୋକଙ୍କ କହିବା ଅନୁଯାୟୀ ସମୟକ୍ରମେ ମନ୍ଦିର ପରିସର ଖାଲ ହେବାରେ ଲାଗିଥିଲା । ଟିକେ ବର୍ଷା ହେଲେ ମନ୍ଦିର ଭିତରେ ବର୍ଷା ପାଣି ଲହଡି ମାରୁଥିଲା । ବର୍ଷାଦିନେ ମନ୍ଦିର ବେଧାରେ ଦୁଇ ଫୁଟ୍ ତୁ ଅଢେଇ ଫୁଟ୍ ପାଣି ହେଇଯାଏ । ପାଣି ଭିତରେ ଯାଇ ପୂଜା କରିବା ପାଇଁ ଅମଙ୍ଗ ହେଉଥିଲେ ପୂଜାରୀ ।
ନିଜ ଆରାଧ୍ୟଙ୍କ ସୁବିଧା ପାଇଁ ମନ୍ଦିରକୁ କୌଣସିନ କ୍ଷତି ନ ପହଞ୍ଚାଇ ଏହାକୁ ଉପରକୁ ଟେକିବା ପାଇଁ ଗାଁ ଲୋକେ ଯୋଜନା କରିଥିଲେ । ଏନେଇ ଗାଁରେ ସଭା ଡକାଯାଇ ଆଲୋଚନା ହୋଇଥିଲା ଏବଂ ପରେ ଏହାକୁ ଉପରକୁ ଉଠେଇବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ମନ୍ଦିରକୁ ଭାଙ୍ଗି ଆଉ ଥରେ ଗଢିବା ପାଇଁ ଅନେକ ଲୋକ ମତ ଦେଇଥିଲେ ଏହା ଅତ୍ୟନ୍ତ ବ୍ୟୟବହୁଳ ଏବଂ ସମୟ ସାପେକ୍ଷ ଥିଲା । ତେଣୁ ମନ୍ଦିରକୁ ନଭାଙ୍ଗି ଏହାର ବିକଳ୍ପ ବ୍ୟବସ୍ଥା କରିଥିଲେ ଗ୍ରାମବାସୀ ।
ଆଉ ଏହାକୁ ଦେଖିବାକୁ ସେଠାରେ ଏବେ ଲୋକଙ୍କର ଭିଡ ଜମୁଛି । ଏହି ମନ୍ଦିର ଉଠାଇବା ପ୍ରଣାଳୀ ଦେଖିଲେ ଆପଣ ବି ବେଶ ଆଶ୍ଚର୍ଯ୍ୟ ହେବେ । ତେବେ ପାଶ୍ଚାତ୍ୟ ଦେଶ ମାନଙ୍କରେ ଏହି ଟେକନିକରେ ଘରଗୁଡିକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ କରା ଯାଇପାରୁଛି । ଏହି ଟେକନିକ ଧୀରେ ଧୀରେ ଆମ ଦେଶରେ ମଧ୍ୟ କାର୍ଯ୍ୟକାରୀ ହେଉଥିବା ଦେଖୁଥିବା ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।