ନିମ୍ନ ରକ୍ତଚାପ (Low Blood Pressure) ଚିନ୍ତାର ବିଷୟ କି ? ଜାଣନ୍ତୁ ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ Dr. Meghanad Meher ଙ୍କ ଖାସ୍ ଟିପ୍ସ

ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଚିନ୍ତାର ବିଷୟ । ରକ୍ତଚାପ କମ୍ ଥିଲେ ମଧ୍ୟ ଏହା ଅନେକ ପ୍ରକାରର ନିମନ୍ତ୍ରଣ କରିଥାଏ । ନିମ୍ନ ରକ୍ତଚାପ ଯୋଗୁଁ ମୁଣ୍ଡ ବୁଲାଇବା, ଚେତାଶୁନ୍ୟ ହୋଇଯିବା, ବାନ୍ତି ଲାଗିବା ବା ବାନ୍ତି ହେବା ଭଳି ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ତେବେ ନିମ୍ନ ରକ୍ତଚାପର କାରଣ କଣ, ଲକ୍ଷଣ କଣ ଓ ଚିକିତ୍ସା କଣ ତାହା ଆଜି ଆମେ ଜାଣିବା । ଆସନ୍ତୁ ଏସବୁ ବିଷୟରେ ବିସ୍ତୃତ ଭାବେ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେରଙ୍କ ଠାରୁ ।

ସାଧାରଣ ରକ୍ତଚାପ ଠାରୁ ଆପଣଙ୍କ ଶରୀରର ରକ୍ତଚାପ କମ୍ ଥିଲେ ଏହାକୁ ନିମ୍ନ ରକ୍ତଚାପ ବୋଲି କୁହାଯାଏ । ଧମନୀରେ ରକ୍ତ ପ୍ରବାହିତ ହେବା ବେଳେ ରକ୍ତର ଚାପ ଏହାର ଭିତର ଭାଗକୁ ଯେତେ ମାତ୍ରାରେ ପ୍ରସାରିତ ଏବଂ ସଙ୍କୁଚିତ କରିଥାଏ, ସେଥିରୁ ହିଁ ରକ୍ତଚାପ ମପା ଯାଇଥାଏ । ଯେତେବେଳେ ହାର୍ଟ ସଙ୍କୁଚିତ ହୋଇଥାଏ ସେହି ରକ୍ତଚାପକୁ ସିଷ୍ଟୋଲିକ ବ୍ଲଡ଼ପ୍ରେସର ଏବଂ ହାର୍ଟ ଯେତେବେଳେ ପ୍ରସାରଣ ହୁଏ ସେତେବେଳେ ଏହାକୁ ଡାଇଷ୍ଟୋଲିକ ବ୍ଲଡ଼ ପ୍ରେସର କୁହାଯାଏ ।

ଉଭୟ ଚାପ ୯୦ ଏବଂ ୬୦ ଠାରୁ କମ୍ ରହିଲେ ଏହାକୁ ନିମ୍ନ ରକ୍ତଚାପ ବୋଲି କୁହାଯାଏ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଯେତିକି ଜରୁରୀ ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ସେତିକି ଜରୁରୀ । ନଚେତ ଆମ ଶରୀରର ଆଭ୍ଯନ୍ତରୀଣ ଅଙ୍ଗ ଯଥା:- କିଡନୀ, ଲିଭର, ହାର୍ଟ ଆଦି ସାଧାରଣ ଭାବେ କାର୍ଯ୍ୟ କରିବାରେ ଅକ୍ଷମ ହେବେ । ଏମାନଙ୍କର କାମ ଧୀରେ ଧୀରେ କମିଯିବ । ସେଥିପାଇଁ ଲୋ ବ୍ଲଡ଼ ପ୍ରେସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ଶରୀରରୁ ଜଳୀୟ ଅଂଶ କମିଗଲେ ଅର୍ଥାତ ବହୁ ଥର ପତଳା ଝାଡା ହେଲେ, ବାନ୍ତି ହେଲେ କିମ୍ବା ଦୁର୍ଘଟଣାରେ ଅଧିକ ରକ୍ତ ଶରୀରରୁ ଚାଲିଯିବା ଫଳରେ ନିମ୍ନ ରକ୍ତଚାପ ଦେଖା ଦେବାର ସମ୍ଭାବନା ଅଧିକ ରହିଥାଏ । ସେହିପରି ହାର୍ଟର କାର୍ଯ୍ୟକ୍ଷମତା କମିଗଲେ ମଧ୍ୟ ନିମ୍ନ ରକ୍ତଚାପ ଦେଖାଯାଏ । ଏହାସହ ମସ୍ତିଷ୍କ କିମ୍ବା ମେରୁଦଣ୍ଡରେ ଆଘାତ ଲାଗିଲେ ମଧ୍ୟ ଏହି ସମସ୍ଯା ଦେଖାଯାଏ ।

ଏହା ବ୍ଯତୀତ ଆପଣଙ୍କ ଶରୀରରେ ଯଦି ଅଧିକ ମାତ୍ରାରେ ସଂକ୍ରମଣ ବା ସେପ୍ସିସ (Sepsis) ରହୁଛି, ତେବେ ଏହି ମାମଲାରେ ମଧ୍ୟ ନିମ୍ନ ରକ୍ତଚାପ ଦେଖାଦେବାର ସମ୍ଭାବନା ରହିଥାଏ । କିଛି ମେଡ଼ିସିନ ରହିଛି ଯାହା ଅଧିକ ବର୍ଷ ଧରି ବ୍ୟବହାର କଲେ ମଧ୍ୟ ଏହାର ପ୍ରଭାବରେ ନିମ୍ନ ରକ୍ତଚାପ ଦେଖା ଦେଇଥାଏ ।

ଯଦି ରୋଗୀର ଜଳୀୟ ଅଂଶ କମିଯିବାରୁ ନିମ୍ନ ରକ୍ତଚାପ ଦେଖାଯାଉଛି ତେବେ ତାଙ୍କୁ ଜଳୀୟ ଅଂଶ ବା ସାଲାଇନ ଦିଆଯାଏ । ଯଦି ସଂକ୍ରମଣ କାରଣରୁ ଏଭଳି ସମସ୍ଯା ହେଉଛି ତେବେ ରୋଗୀକୁ ଆଣ୍ଟି-ବାୟୋଟିକ ଦେଇ ଠିକ କରାଯାଏ । ପ୍ରଥମେ ରକ୍ତଚାପ ହ୍ରାସ ହେବାର କାରଣ ଜାଣିବା ପରେ ଡାକ୍ତର ସେହି ଅନୁସାରେ ତାଙ୍କର ଚିକିତ୍ସା କରିଥାନ୍ତି । ଯଦି ବିନା କୌଣସି କାରଣରେ ରୋଗୀର ରକ୍ତଚାପ ହ୍ରାସ ହେଉଛି ତେବେ ଏଥିରେ ବିଶେଷ ଚିନ୍ତାର ବିଷୟ ନଥାଏ ।

ରକ୍ତଚାପ ସମସ୍ଯା ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଏହାପରେ ଆପଣ ଅଧିକ ପାଣି ପିଇବା ସହ ସୁଷମ ଖାଦ୍ଯ ଖାଆନ୍ତୁ ଏବଂ ଲେମ୍ବୁ, ଚିନି ସରବତ ମଧ୍ୟ ପିଅନ୍ତୁ । ଏହାସହ ଅଧିକ ଜଳୀୟ ଅଂଶ ଥିବା ଫଳ ମଧ୍ୟ ଖାଆନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।