କୁହାଯାଏ ଇଚ୍ଛା ଆଉ ଏକାଗ୍ରତା ଥିଲେ ସଫଳତା ଆପେ ପାଖକୁ ଆସେ । କଲିକତା ନାଇଟ ରାଇଡ଼ର୍ସ ର ଯୁବ ତାରକା ରିଙ୍କୁ ସିଂଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି । ଗତକାଲି ମ୍ଯାଚରେ ଚମତ୍କାରୀ ବ୍ୟାଟିଂ ଯୋଗୁଁ ହଠାତ ସାରା ବିଶ୍ଵର କ୍ରିକେଟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ନୂଆ ଖେଳାଳି । ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ KKR ନିଶ୍ଚିତ ପରାଜୟର ଦ୍ଵାରଦେଶରେ ଥିବାବେଳେ ରିଙ୍କୁ ଗୁଜୁରାଟ ହାତରୁ ଯେଉନଭଳି ଭାବେ ମ୍ଯାଚ ଛଡାଇ ଆଣିଲେ ତାହା କ୍ରିକେଟ ବିଶେଷଜ୍ଞଙ୍କୁ ଚକିତ କରିଛି ।
ଶେଷ ଓଭରର ଶେଷ 5ଟି ବଲରେ ଲଗାତାର 5ଟି ଛକା ମାରି ଦଳକୁ ବିଜୟୀ କରେଇବା ପରେ ରିଙ୍କୁ ସିଂଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ମାତ୍ର 21ଟି ବଲରୁ 6ଟି ଛକା ଓ ଗୋଟିଏ ଚଉକା ସହ ବିସ୍ଫୋରକ 48 ରନ୍ କରିସେ ଗୁଜୁରାଟ ହାତରୁ ମ୍ଯାଚ ଛଡେଇ ଆଣିଥିଲେ । ଏହି ଅବିଶ୍ଵସନୀୟ ଇନିଂସ ପାଇଁ ସେ ପ୍ଲେୟାର ଅଫ ଦି ମ୍ଯାଚ ମଧ୍ୟ ହୋଇଛନ୍ତି । ହେଲେ ଏହି ଯୁବ କ୍ରିକେଟରଙ୍କ ସଂଘର୍ଷ କାହାଣୀ ଖୁବ କମ୍ ଲୋକ ହିଁ ଜାଣିଛନ୍ତି ।
ରିଙ୍କୁଙ୍କ ବାପା ଗ୍ଯାସ ସିଲିଣ୍ଡର ଡେଲିଭେରି କରନ୍ତି ଓ ତାଙ୍କ ବଡ ଭାଇ ଜଣେ ଅଟୋରିକ୍ସା ଡ୍ରାଇଭର । ସେହିପରି ଆଉ ଜଣେ ଭାଇ ଏକ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି । ପରିବାରର ସମସ୍ତ ସଦସ୍ୟ ପରିବାର ଚଳାଇବା ପାଇଁ ସଂଘର୍ଷ କରନ୍ତି । ପରିବାର ଉପରେ ଥିବା 5 ଲକ୍ଷ ଟଙ୍କାର ଋଣ ଶୁଝିବା ପାଇଁ ରିଙ୍କୁ ମଧ୍ୟ ଅଧାରୁ ପାଠ ଛାଡି କାମ କରିବାକୁ ପଡିଥିଲା । ନବମ ଶ୍ରେଣୀରୁ ପାଠ ଛାଡି ଦେଇଥିଲେ ସିନା ହେଲେ କ୍ରିକେଟ ନିଶା ଛାଡି ନଥିଲେ ।
ଦାରିଦ୍ର୍ୟତା ସତ୍ତ୍ୱେ ନିଜ ସ୍ଵପ୍ନ ପାଇଁ ସଂଘର୍ଷ ଜାରି ରଖିଥିଲେ ରିଙ୍କୁ ସିଂ । ସେ 2009 ରେ କ୍ରିକେଟ ଖେଳିବା ଆରମ୍ଭ କରିଥିବା ବେଳେ 2016 ରେ ଉତ୍ତର ପ୍ରଦେଶ ପାଇଁ ରଣଜୀ ଟ୍ରଫି ଖେଳିବାକୁ ସକ୍ଷମ ହୋଇ ପାରିଥିଲେ । ଅଣ୍ଡର-19 ଦଳରେ ସେ ଖେଳୁଥିବା ବେଳେ ତାଙ୍କୁ ମିଳୁଥିବା ଟଙ୍କା ସିଧା ତାଙ୍କ ପରିବାର ପାଖକୁ ଋଣ ଶୁଝିବା ପାଇଁ ପଠା ଯାଉଥିଲା । କିଙ୍ଗସ୍ ଇଲେଭେନ ପଞ୍ଜାବ ତାଙ୍କୁ ନିଜ ଦଳରେ ସାମିଲ କରିଥିଲେ ମଧ୍ୟ ପଡିଆକୁ ଓହ୍ଲାଇବାର ସୁଯୋଗ ସେ ପାଇ ନଥିଲେ ।
ଚଳିତ ବର୍ଷ ଆଇପିଏଲ ନିଲାମିରେ KKR 80 ଲକ୍ଷ ଟଙ୍କାରେ ତାଙ୍କୁ ନିଜ ଦଳରେ ସାମିଲ କରିବା ପରେ ଏହା ତାଙ୍କୁ ଓ ତାଙ୍କ ପରିବାରକୁ ଚମକାଇ ଦେଇଥିଲା । ପଡିଆରେ ରିଙ୍କୁ ଯେଉଁ ଭଳି ଖେଳ ପ୍ରଦର୍ଶନ କରିଛନ୍ତି ଏଣିକି ଅନ୍ୟ ଦଳମାନେ ତାଙ୍କୁ କୋଟି କୋଟି ଟଙ୍କାରେ କିଣିବାକୁ ମଧ୍ୟ ପଛାଇବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।