ବାର୍ଦ୍ଧକ୍ୟ ଭତ୍ତା ଗରିବଙ୍କୁ ଉପହାସ କରୁଛି ? କେତେ ମିଳିବା କଥା ବାର୍ଦ୍ଧକ୍ୟ ଭତ୍ତା ? ଭତ୍ତା ବୃଦ୍ଧି ନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇକୋର୍ଟରେ ଚାଲିଥିବା ବାର୍ଦ୍ଧକ୍ୟ ଭତ୍ତା ମାମଲାର ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାନ୍ୟବର ହାଇକୋର୍ଟ । ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସୁବିଧା ଯୋଗାଇ ଦେବା ପାଇଁ “ମଧୁବାବୁ ପେନସନ ଯୋଜନା” ଚଳାଇଛନ୍ତି ରାଜ୍ୟ ସରକାର । ହେଲେ ଏଥିରେ ଦିଆ ଯାଉଥିବା ଆର୍ଥିକ ସହାୟତା ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ମଧ୍ୟ ମେଣ୍ଟାଇ ପାରୁନାହିଁ । ସେଥିପାଇଁ ବାର୍ଦ୍ଧକ୍ୟ ଭର୍ତ୍ତା ବୃଦ୍ଧି କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ରୁଜୁ କରା ଯାଇଥିଲା ।

ଏହି ମାମଲାର ଶୁଣାଣି କରି ବାର୍ଦ୍ଧକ୍ୟ ଭତ୍ତାର ପରିମାଣ ବୃଦ୍ଧି କରିବାକୁ କହିଛନ୍ତି ମାନ୍ୟବର ହାଇକୋର୍ଟ । ଏଥିପାଇଁ ହାଇକୋର୍ଟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର 2008 ମସିହାରେ ବୟସ୍କ, ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅନୁଯାୟୀ 60 ରୁ ଅଧିକ ଏବଂ 80 ବର୍ଷରୁ କମ୍ ବୟସ୍କ ଲୋକଙ୍କୁ ମାସିକ 500 ଟଙ୍କା ଦିଆଯାଉଛି ।

ଏହା ବ୍ଯତୀତ 80 ବର୍ଷର ବ୍ୟକ୍ତିଙ୍କୁ ମାସିକ 700 ଏବଂ 80 ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କୁ ମାସିକ 900 ଟଙ୍କା ଦିଆଯାଉଛି । ମଧୁବାବୁ ପେନସନ ଯୋଜନା ଅନୁଯାୟୀ ଆର୍ଥିକ ସହାୟତା ଲାଭ ଉଠାଉଛନ୍ତି ରାଜ୍ୟର ପ୍ରାୟ 27 ଲକ୍ଷ 80 ହଜାର 273 ଜଣ ଲୋକ । ଏଥିପାଇଁ ବାର୍ଷିକ ବଜେଟରେ ରାଜ୍ୟ ସରକାର 1724 କୋଟି ଟଙ୍କାର ବ୍ୟୟ ବରାଦ କରିଥାନ୍ତି । ତେବେ ଏନେଇ ଆଇନଜୀବୀ କହିଛନ୍ତି କି, ଆର୍ଟିକଲ 21 ଏବଂ 14 ର ସମାନତା ଅଧିକାର ଠିକ ଭାବେ ପାଳନ ହେଉନାହିଁ ।

ମଧୁବାବୁ ପେନସନ ଯୋଜନାରେ ଯେତିକି ପେନସନ ମିଳୁଛି ସେତିକି ଲୋକଙ୍କ ଚଳିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ତେବେ ବାର୍ଦ୍ଧକ୍ୟ ଭତ୍ତାର ବୃଦ୍ଧି ପାଇଁ ହାଇକୋର୍ଟରେ ହୋଇଥିବା ଏହି ଆବେଦନରେ ଦର୍ଶା ଯାଇଥିଲା କି, ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ଆକାରରେ ଦେଉଥିବା ଆର୍ଥିକ ସହାୟତା ନିଅଣ୍ଟ ପଡୁଛି ଯାହାକି ସାଧାରଣ ଲୋକଙ୍କ ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି । ମାସକୁ ମାତ୍ର 500 ଟଙ୍କାର ଆର୍ଥିକ ସହାୟତା ଗରିବଙ୍କୁ ଉପହାସ କରିବା ଭଳି ହେଉଛି ବୋଲି ଆବେଦନରେ କୁହାଯାଇଛି ।

କେନ୍ଦ୍ର ସରକାର ଦୈନିକ ମଜୁରି ରଖିଛନ୍ତି 168 ଟଙ୍କା । କିନ୍ତୁ ମାସକୁ 500 ଟଙ୍କା ହିସାବରେ ଏହି ମଜୁରି ହିସାବ କଲେ ଦୈନିକ ମାତ୍ର 16 ଟଙ୍କା 67 ପଇସା ହେଉଛି । ତେଣୁ ଏହି ଭତ୍ତା ବୃଦ୍ଧି ଉପରେ ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି ହାଇକୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।