ଏକାଧିକ କାହାଣୀର ସମାହାରର ମିଶ୍ରଣ ହେଉଛି ମଣିଷ ଜୀବନ । ଗୋଟିଏ ଚରିତ୍ର ମଧ୍ୟରେ ଅନେକ କାହାଣୀ ଲୁଚି ରହିଥାଏ । ଆଉ ସେହି ଛୋଟ ବଡ କାହାଣୀ ଗୁଡିକ ମଧ୍ୟରୁ କିଛି କାହାଣୀ ସବୁଦିନ ପାଇଁ ଅଭୂଲା ହୋଇ ରହିଯାଏ । ଏଥର ରାଷ୍ଟ୍ରପତି ଦୌଡରେ ଥିବା ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ମଧ୍ୟ ଏଭଳି ଅସରନ୍ତି ଅଭୂଲା କାହାଣୀରେ ଭରପୁର । ସେଥିମଧ୍ୟରୁ ଏକ ଅଭୂଲା କାହାଣୀ ହେଉଛି ତାଙ୍କ ପ୍ରେମ ବିବାହ । ରାଷ୍ଟ୍ରପତି ଦୌଡରେ ସାମିଲ ଥିବା ଓଡିଶାର ଏହି ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରେମ ବିବାହ କରିଥିଲେ ।

ହେଲେ ତାଙ୍କର ଏଇ ପ୍ରେମ ବିବାହ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ସପ୍ତମ ଶ୍ରେଣୀ ପାସ୍ କରିବା ପରେ ଦ୍ରୌପଦୀ ଭୁବନେଶ୍ବରରେ ହାଇସ୍କୁଲ ପାଠ ଶେଷ କରିଥିଲେ ଓ ରମାଦେବୀ ମହାବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ । ଦ୍ରୌପଦୀ ଗ୍ରାଜୁଏସନ କରିବା ବେଳେ ଭୁବନେଶ୍ବରର ଆଉ ଏକ କଲେଜରେ ପାଠ ପଢୁଥାନ୍ତି ଶ୍ୟାମଚରଣ ମୁର୍ମୁ । ସେମାନଙ୍କର ଏହାରି ମଧ୍ୟରେ ଦେଖା ହୋଇଥିଲା ଓ ସେମାନେ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କରି ଦେଇଥିଲେ ।
ଏହିଭଳି ଭାବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ୧୯୮୦ ରେ ଶ୍ୟାମଚରଣ ଦ୍ରୌପଦୀଙ୍କ ପାଇଁ ବିବାହ ପ୍ରସ୍ତାବ ନେଇ ନିଜ ପରିବାର ସହ ଦ୍ରୌପଦୀଙ୍କ ପୈତୃକ ଗ୍ରାମ ଉପରବେଡାରେ ପହଞ୍ଚି ଯାଇଥିଲେ । କିନ୍ତୁ ଦ୍ରୌପଦୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ତାଙ୍କ ବାପା ବିରାଞ୍ଚି ନାରାୟଣ ଟୁଡୁ ତାଙ୍କ ଉପରେ ଖୁବ୍ ରାଗି ଯାଇଥିଲେ ଓ ବିବାହ ପାଇଁ ମଧ୍ୟ ରାଜି ହୋଇ ନଥିଲେ ।

ହେଲେ ଶ୍ୟାମଚରଣ ମଧ୍ୟ ସହଜରେ ଛାଡିବା ଲୋକ ନଥିଲେ । ଦ୍ରୌପଦୀଙ୍କ ବାପା ରାଜି ହେବା ଯାଏଁ ତିନି ଚାରିଦିନ ଯାଏଁ ଉପରବେଡା ଗ୍ରାମରେ ସେ ଡେରା ପକାଇଥିଲେ । ଶେଷରେ ଦ୍ରୌପଦୀଙ୍କ ବାପା ବିବାହ ପାଇଁ ରାଜି ହେବା ପରେ ଯୌତୁକ ପାଇଁ କଥାବାର୍ତ୍ତା ଚାଲେ । ଯୌତୁକ ବାବଦକୁ ଗୋଟିଏ ଗାଈ, ଗୋଟିଏ ବଳଦ ଓ ଶହେ ଯୋଡା କପଡାରେ ଦ୍ରୌପଦୀଙ୍କ ପରିବାର ରାଜି ହୋଇଥିଲେ ।
ସବୁଠୁ ବଡ କଥା ହେଉଛି ସାନ୍ତାଳି ଜନଜାତିର ପରମ୍ପରା ଅନୁସାରେ କନ୍ୟା ଘରକୁ ବରଘର ଯୌତୁକ ଦିଅନ୍ତି । ଏହିଭଳି ଭାବେ ଶ୍ୟାମଚରଣଙ୍କ ସହ ବିବାହ ପରେ ଦ୍ରୌପଦୀ ଟୁଡୁଙ୍କ ନାମ ପରିବର୍ତ୍ତନ ହୋଇଥିଲା ଦ୍ରୌପଦୀ ମୁର୍ମୁ ଭାବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।