ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ ? Dr Madhusmita Das

ବର୍ତ୍ତମାନ ଯେଉଁ ପ୍ରକାର ପରିସ୍ଥିତି ଚାଲିଛି ଛୋଟ ପିଲାମାନେ ଉଭୟ ଶାରିରୀକ ଓ ମାନସିକ ସ୍ତରରେ ଅସୁରକ୍ଷିତ । ସେଥିପାଇଁ ଛୋଟ ପିଲାଙ୍କୁ ମାନସିକ ଓ ଶାରିରୀକ ସୁସ୍ଥତା ଯୋଗାଇ ଦେବା ପ୍ରତ୍ୟେକ ପରିବାରର ଦାୟିତ୍ଵ । ଥଣ୍ଡା, ଜ୍ଵର, କାଶ, ଛିଙ୍କ ଆଦି ସଂକ୍ରମଣରୁ ପିଲାଙ୍କୁ ଦୂରେଇ ରଖିବା ଆବଶ୍ୟକ ଓ ପିଲାଙ୍କ ଉତ୍ତମ ବୃଦ୍ଧି ଓ ବିକାଶରେ ଯେପରି ବାଧା ନ ଉପୁଜେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ସେଥିପାଇଁ ପିଲାଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ପାଇଁ ପୁଷ୍ଟିକର ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

ପ୍ରଥମତଃ, ପିଲାଙ୍କ ଖାଦ୍ୟ ଉପରେ ବିଶେଷ ଯତ୍ନବାନ ହେବାକୁ ପଡ଼ିବ । ସେମାନଙ୍କ ଶରୀର ବର୍ତ୍ତମାନ ବିକାଶଶୀଳ ଅବସ୍ଥାରେ ରହିଥିବାରୁ ସେମାନଙ୍କୁ ଉଚ୍ଚ ପ୍ରୋଟିନଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ । ଯେପରି ଦୁଗ୍ଧ ଓ ଦୁଗ୍ଧଜାତୀୟ ସମସ୍ତ ପଦାର୍ଥ, ସମସ୍ତ ପ୍ରକାରର ଡାଲି ଜାତୀୟ ପଦାର୍ଥ, ମାଛ, ମାଂସ, ଅଣ୍ଡା, ପନିର, ଗଜାବୁଟ ଓ ଗଜାମୁଗ ଆଦି ପିଲାକୁ ଯଥେଷ୍ଟ ଭାବେ ଖାଇବାକୁ ଦିଅନ୍ତୁ । ଚେଷ୍ଟା କରନ୍ତୁ ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀର ପିଲା ଯେପରି ପିଇବ ।

ସବୁ ପ୍ରକାର ପନିପରିବା, ଫଳମୂଳ ଓ ଶାଗ ମଧ୍ୟ ପିଲାକୁ ଖାଇବାକୁ ଦେବାକୁ ପଡ଼ିବ । ପିଲାମାନେ ଏହି ସବୁ ସିଧାସଳଖ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଯଦି ପିଲା ଖାଇବାରେ ବହୁତ ହଇରାଣ କରୁଛି ତେବେ ସେହି ସମାନ ଜିନିଷ ଗୁଡିକରୁ କିପରି ପିଲା ପାଇଁ ରୁଚିକର ଖାଦ୍ୟ ପ୍ରସ୍ତୁତ କରି ପାରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଉଦାହରଣ ସ୍ୱରୂପ ପିଲା ପାଳଙ୍ଗ ଶାଗ ଖାଇବାକୁ ପସନ୍ଦ କରୁନି ମାତ୍ର ତାକୁ ପୁରି ଖାଇବାକୁ ପସନ୍ଦ ।

ତେବେ ଆପଣ ପୁରି ପ୍ରସ୍ତୁତ କରିବା ସମୟରେ ସେଥିରେ ପାଳଙ୍ଗ ଶାଗ ମିଶାଇ ପିଲା ପାଇଁ ରୁଚିକର ଖାଦ୍ୟ ପ୍ରସ୍ତୁତ କରିପାରିବେ । ସେହିପରି ପିଲା ଯଦି କ୍ଷୀର ପିଇବାକୁ ଭଲ ପାଉନାହିଁ, ତେବେ ସେହି କ୍ଷୀରରୁ ତା ପାଇଁ କ୍ଷୀରି କିମ୍ବା କଷ୍ଟାର୍ଡ ମଧ୍ୟ ପ୍ରସ୍ତୁତ କରି ତାକୁ ଖାଇବାକୁ ଦେଇ ପାରିବେ । ଏପରି କ୍ଷେତ୍ରରେ ମାଆ ମାନଙ୍କୁ ସାମାନ୍ୟ ବୁଦ୍ଧି ଖଟାଇବାକୁ ପଡ଼ିବ କି କେଉଁ ଉପାୟରେ ଆପଣ ତା ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବେ ।

ପ୍ରତ୍ୟେକ ଦିନ ପିଲାର ଖାଦ୍ୟରେ ଗୋଟିଏ ଫଳ ସାମିଲ ରଖନ୍ତୁ । ପ୍ରତିଦିନ ପିଲାକୁ ୩-୪ଟି ଆଲମଣ୍ଡ୍ ବା କିସମିସ ଖାଇବାକୁ ଦିଅନ୍ତୁ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ପିଲାକୁ ଫୁସଫୁସ ଜନିତ ସଂକ୍ରମଣରୁ ଦୂରେଇ ରଖେ । ଆଜିକାଲି ପିଲାମାନେ ବଜାରରେ ମିଳୁଥିବା ପିଜା, ବର୍ଗର ଆଦି ଫାଷ୍ଟଫୁଡ୍ ଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । ଏହି ସବୁ ଖାଦ୍ୟ ଠୁ ପିଲାକୁ ଦୂରେଇ ରଖନ୍ତୁ ।

ଆଇସକ୍ରିମ, କୋଲ୍ଡ ଡ୍ରିଙ୍କସ, ମଇଦା ଜାତୀୟ ସମସ୍ତ ପଦାର୍ଥ ଓ ଅତ୍ୟଧିକ ମିଠା ମଧ୍ୟ ପିଲାଙ୍କୁ ଖାଇବାକୁ ବାରଣ କରନ୍ତୁ । ବର୍ତ୍ତମାନ ଉଚ୍ଚ କ୍ୟାଲୋରୀ ବିଶିଷ୍ଟ ପଦାର୍ଥ ପିଲାଙ୍କୁ ବିଲକୁଲ୍ ଦିଅନ୍ତୁ ନାହିଁ । ଦରକାର ଠୁ ଅଧିକ ଓଜନ ବଢିବା ମଧ୍ୟ ଏହି ସମୟରେ ପିଲାମାନଙ୍କ ପାଇଁ ବିଲକୁଲ୍ ଠିକ୍ ନୁହେଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିଲାକୁ ପ୍ରଚୁର ପରିମାଣରେ ପାଣି ପିଆନ୍ତୁ । ଯଦି ଉଷୁମ ପାଣି ପିଇବାକୁ ଦେଉଛନ୍ତି ତେବେ ଆହୁରି ଭଲ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।