ମାତ୍ର କେଇ ସେକେଣ୍ଡରେ ଧ୍ଵଂସ ହୋଇଗଲା ଦିଲ୍ଲୀର ନୋଏଡାସ୍ଥିତ ୧୩୦ ମିଟର ଉଚ୍ଚ ଅଟ୍ଟାଳିକା ଟ୍ଵିନ ଟାୱାର । ବେଆଇନ ଭାବେ ନିର୍ମିତ ହୋଇଥିବା ସୁପରଟେକ ଟ୍ଵିନ ଟାୱାର ଭାଙ୍ଗି ମାଟିରେ ମିଶାଇ ଦିଆଗଲା । ତେବେ ଏହାକୁ ନେଇ ଏବେବି ଚର୍ଚ୍ଚା ଥମୁନାହିଁ । ଆପଣ ଜାଣିଛନ୍ତି କି ସୁଉଚ୍ଚ ଏହି ଅଟ୍ଟାଳିକାକୁ କାହିଁକି ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ ସୁପ୍ରିମକୋର୍ଟ ଓ ଏହାକୁ ନେଇ କଣ ସବୁ ବିବାଦ ରହିଛି ? ତେବେ ଚାଲନ୍ତୁ ଜାଣିବା ଟ୍ଵିନ ଟାୱାର ତିଆରି ହେବା ଓ ଭଙ୍ଗା ହେବା ପଛର କାରଣ ।

୨୦୦୪ ମସିହାରେ ନୋଏଡା ସେକ୍ଟର 93A ରେ ସୁପରଟେକ କମ୍ପାନୀକୁ ୨୬୩ ବର୍ଗ ମିଟରର ଜମି ଆବଣ୍ଟନ କରିଥିଲେ ନୋଏଡା ଆଥୋରିଟି । ଆଉ ୨୦୦୬ରେ ଏହି ପ୍ରକଳ୍ପର ନକ୍ସାକୁ ମଞ୍ଜୁରୀ ମିଳିଥିଲା । ଏମରାଲଡ୍ କୋର୍ଟ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲା । ପ୍ରୋଜେକ୍ଟ ଅନୁଯାୟୀ ଗ୍ରାଉଣ୍ଡ ଫ୍ଲୋର ବ୍ଯତୀତ ୧୧ ମହଲା ଉଚ୍ଚ ୧୪ଟି ଟାୱାର ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ୨୦୦୯ ଫେବୃୟାରୀରେ ଉତ୍ତରପ୍ରଦେଶ ସରକାର ଏହି ପ୍ରକଳ୍ପର FAR ବା ଫ୍ଲୋର ଏରିଆ ରେସିଓ ବଢାଇବାକୁ ନିଷ୍ପତ୍ତି ନେଲେ ।
ଆବଣ୍ଟିତ ଜମିରେ କେତେ ମହଲା ଘର ନିର୍ମାଣ ହେବ FAR ତାହା ନିର୍ଦ୍ଧାରିତ କରିଥାଏ । ଯାହାପରେ FAR ବଢିଲା ଓ ସରକାରଙ୍କ ନିଷ୍ପତ୍ତି ପରେ ସୁପରଟେକ ଗ୍ରୁପକୁ ୨୪ ମହଲା ପର୍ଯ୍ୟନ୍ତ ଅଟ୍ଟାଳିକା ନିର୍ମାଣ କରିବା ପାଇଁ ମଞ୍ଜୁରୀ ମିଳିଲା । ଯେଉଁମାନେ ଆଗରୁ ଘର କିଣି ନେଇଥିଲେ ସେମାନେ ମଧ୍ୟ ଏଥିରେ କିଛି ଆପତ୍ତି ଉଠାଇ ନଥିଲେ ।

ସଂଶୋଧିତ ପ୍ଳାନରେ ୨ଟି ଯାକ ଟାୱାରକୁ ୧୨୧ ମିଟର କରିବାକୁ ଅନୁମତି ମିଳିଲା । ଅର୍ଥାତ ୩୯-୪୦ ମହଲା ପର୍ଯ୍ୟନ୍ତ ନିର୍ମାଣ କରିବାକୁ ଅନୁମତି ଦିଆଗଲା । ହେଲେ ଟାୱାର ନିର୍ମାଣ ବେଳେ ଦୁଇ ଅଟ୍ଟାଳିକାର ମଝିରେ ଥିବା ବ୍ଯବଧାନ ବା ଦୂରତା ଉପରେ ଧ୍ୟାନ ଦିଆଗଲା ନାହିଁ । NBA ଆକ୍ଟ ୨୦୦୫ ଅନୁସାରେ ୨ଟି ଉଚ୍ଚ ମହଲା ମଧ୍ୟରେ ଅତିକମରେ ୨୦ ମିଟର ଦୂରତା ରହିବା ଦରକାର । ହେଲେ ଏହି ଦୁଇ ଟାୱାର ମଧ୍ୟରେ ମାତ୍ର ୯ ମିଟରର ଦୂରତା ରହିଛି ।
ଅଗ୍ନି ନିରାପତ୍ତା ନେଇ ରହିଥିବା ନିୟମକୁ ଉଲ୍ଲଂଘନ କରା ଯାଇଥିଲା । ଯାହାକୁ ନେଇ ରେସିଡେଣ୍ଟସ୍ ୱେଲଫେୟାର ଆସୋସିଏସନ ଏହାକୁ ନେଇ ୨୦୧୨ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ଯାହାପରେ ୨୦୧୪ରେ ଦୁଇ ଟାୱାରକୁ ଭାଙ୍ଗିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ।

ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା କମ୍ପାନୀ । ୭ ବର୍ଷ ଯାଏଁ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଲା । ଶେଷରେ ୩୧ ଅଗଷ୍ଟ ୨୦୨୧ରେ ସୁପ୍ରିମକୋର୍ଟ ମଧ୍ୟ ଟ୍ଵିନ ଟାୱାର ନିର୍ମାଣକୁ ବେଆଇନ ଦର୍ଶାଇଥିଲେ ଏବଂ ତିନିମାସ ମଧ୍ୟରେ ୨ଟି ଯାକ ଟାୱାରକୁ ବହଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।
୨ ମାସ ମଧ୍ୟରେ ଫ୍ଲାଟ କିଣିଥିବା ଲୋକଙ୍କ ଅର୍ଥ ୧୨ ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।