ଯାଦୁ (Fungal infection) କେମିତି ବ୍ୟାପେ ? ଜାଣନ୍ତୁ ଏହାର ଚିକିତ୍ସା- Dr Kishan Agarwal

ଫଙ୍ଗାଲ ଇନଫେକ୍ସନ ହେଉଛି ଏକ ପ୍ରକାର ଚର୍ମ ରୋଗ । ଏହି ଇନଫେକ୍ସନକୁ ସାଧାରଣ ଭାବେ ଆମେ ଯାଦୁ ବୋଲି କହିଥାଉ । ଶରୀରର କୌଣସି ସ୍ଥାନରେ ଯାଦୁ ହୋଇଥିଲେ ଏହାକୁ ସଠିକ ସମୟରେ ଚିହ୍ନିବା ଏବଂ ଉପଯୁକ୍ତ ଚିକିତ୍ସା କରିବା ଆବଶ୍ୟକ ଅଟେ । କାରଣ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଥାଏ । ଏହି ବିଶେଷ କରି ଆମ ରାଜ୍ୟ ଓଡିଶାରେ ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳେ ।

ଓଡିଶା ଏକ କୋଷ୍ଟାଲ ଏରିଆ ହୋଇଥିବାରୁ ଏବଂ ଆର୍ଦ୍ର ଜଳବାୟୁ ହେତୁ ଆମ ଶରୀରରୁ ଅଧିକ ଝାଳ ବାହାରି ଥାଏ ଓ ଚର୍ମ ଓଦା ରହିଥାଏ । ଯାହା ଫଳରେ ଚର୍ମକୁ ଚର୍ମ ଲାଗି ହୋଇ ରହୁଥିବା ଆଦି ସ୍ଥାନ ଯଥା କାଖ, ଜଙ୍ଘ ସନ୍ଧି ଭଳି ସ୍ଥାନ ଗୁଡିକରେ ଅଧିକ ହେବାର ଦେଖାଯାଏ ।  ତେବେ ଯାଦୁକୁ କେମିତି ଚିହ୍ନିବା ଓ କିପରି ଚିକିତ୍ସା କରିବା ଚାଲନ୍ତୁ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ କୁମାର ଅଗରୱାଲଙ୍କ ଠାରୁ ।

ଶରୀରର ବିଭିନ୍ନ ସ୍ଥାନରେ ଏହି ଯାଦୁ ହୋଇପାରେ । ଏହା ସଂକ୍ରମଣ ଜନିତ ରୋଗ । ଜଣଙ୍କୁ ହେଲେ ବହୁତ ଶୀଘ୍ର ଏହା ଅନ୍ୟ ମାନଙ୍କ ଶରୀରକୁ ମଧ୍ୟ ବ୍ୟାପୀଯାଏ । ତେବେ ଅନେକ ଲୋକ ଏହାକୁ ଲାଜ କରି ବା ଏହାକୁ ଛୋଟ କଥା ଭାବି ବିନା ଡାକ୍ତରଙ୍କ ପରାମର୍ଶରେ ମନ ଇଚ୍ଛା ଔଷଧ ଆଣି ଲଗାଇ ଦିଅନ୍ତି । ଯାହାଫଳରେ ଏହା ଆହୁରି ଅଧିକ ଭୟଙ୍କର ହୋଇଯିବାର ସମ୍ଭାବନା ରହିଥାଏ । କାରଣ ସେହି ସବୁ ଔଷଧରେ ଷ୍ଟେରୋଇଡ ଥିବା ହେତୁ ଏହା ପ୍ରଥମେ ସେହି ଜୀବାଣୁ ଗୁଡିକୁ ଦବେଇ ଦିଆନ୍ତି ।

ସେଥିପାଇଁ ଆମକୁ ଲାଗେ ଯାଦୁ ଭଲ ହୋଇଗଲା ବୋଲି । ଆଉ ଔଷଧ ବନ୍ଦ କରିବା ପରେ ଏହା ପୁଣି ଠାରେ ସେହି ଆରମ୍ଭ ହୋଇଥାଏ । ଯାଦୁ ଖୁବ କୁଣ୍ଡାଇ ହୋଇଥାଏ, ଯାହାଫଳରେ ଆମକୁ ସର୍ବ ସାଧାରଣ ସ୍ଥାନରେ ଭଲ ମଧ୍ୟ ଲାଗେ ନାହିଁ । ସେଥିପାଇଁ ଡାକ୍ତର ଦେଖାଇ ଏହାର ସଠିକ ଚିକିତ୍ସା କରିବା ଆବଶ୍ୟକ ରହିଛି । ଝାଳ ଦେହରେ ଅଧିକ ସମୟ ରହିବା, ଅଧିକ ସମୟ ପର୍ଯ୍ୟନ୍ତ ଟାଇଟ ବସ୍ତ୍ର ପିନ୍ଧି ରହିବା ଯୋଗୁଁ ଯାଦୁ ଆରମ୍ଭ ହୋଇଥାଏ । ସେଥିପାଇଁ ଯେତେବେଳେ ମଧ୍ୟ କାର୍ଯ୍ୟ ସାରି ଫେରୁଛନ୍ତି, ସାଙ୍ଗେ ସାଙ୍ଗେ ସଫାସୁତୁରା ହୁଅନ୍ତୁ ।

ଉଷୁମ ପାଣିରେ ମଧ୍ୟ ଯଦି ଧୁଆଧୋଇ ହେବେ ତାହା ଆହୁରି ଅଧିକ ଭଲ ହେବ । ଏହାପରେ ସଫା ଗାମୁଛା ବା ଟାୱେଲରେ ଦେହକୁ ମଧ୍ୟ ଭଲ ଭାବେ ପୋଛିବା ଆବଶ୍ୟକ ରହିଛି । ଦେହକୁ ଯଥା ସମ୍ଭବ ଶୁଖିଲା ରଖିବାକୁ ଚେଷ୍ଟା କରନ୍ତୁ । ଯାହା ଫଳରେ ଆପଣଙ୍କୁ ଯାଦୁ ହେବାର ସମ୍ଭାବନା କମିଯିବ । ଏହା ସହ ପରିଷ୍କାର ପରିଚ୍ଛନ ରହିବା ଏବଂ ପରିଷ୍କାର ବସ୍ତ୍ର ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ଆଉ ଯଦି ଯାଦୁ ହୋଇଥାଏ ତେବେ ନିଜ ଲୁଗାପଟା ଅଲଗା ଧୁଅନ୍ତୁ ଓ କିଛି ଦିନ ଅଲଗା ମଧ୍ୟ ରୁହନ୍ତୁ ।

ଯାହାଫଳରେ ଅନ୍ୟମାନଙ୍କୁ ଆପଣଙ୍କ ଠାରୁ ଯାଦୁ ବ୍ୟାପିବା ନାହିଁ । ଏହା ସହ ଲୁଗାପଟା ସବୁବେଳେ ଖରାରେ ଶୁଖାନ୍ତୁ । ଆଉ ଢିଲା ଏବଂ କଟନ ଲୁଗା ପିନ୍ଧିବାକୁ ଅଭ୍ଯାସ କରନ୍ତୁ ଓ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ ଅଟେ । ଆଉ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆପଣଙ୍କ ଓଜନ ମଧ୍ୟ ଠିକ ରଖିବାକୁ ଚେଷ୍ଟା କରନ୍ତୁ । ମନଇଚ୍ଛା ଔଷଧ ନ ଲଗାଇ ଉଚିତ ସମୟରେ ଡାକ୍ତର ଦେଖାଇ ଚିକିତ୍ସା କଲେ ଓ ଏହିସବୁ ବିଷୟ ପ୍ରତି ଧ୍ୟାନ ଦେଲେ ନିଶ୍ଚୟ ଯାଦୁକୁ ରୋକାଯାଇ ପାରିବ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।