ହୁମା ମନ୍ଦିର ମାଛ କାଟି ପ୍ରସ୍ତର ହେବା ଘଟଣା, ପୁରା କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଜାଣନ୍ତୁ ହୁମା ମନ୍ଦିରର କିଛି ରୋଚକ ରହସ୍ୟ

କଣ ରହିଛି ହୁମା ମନ୍ଦିରର ରହସ୍ୟ ? ସତରେ କଣ କୁଡୋ ମାଛକୁ କାଟିଲେ ସାଧାରଣ ମଣିଷ ପ୍ରସ୍ତର ପାଲଟିଯାଏ ? ହୁମା ମନ୍ଦିର କେମିତି ବକ୍ର ହେଲା ? ଆସନ୍ତୁ ଜାଣିବା ଏସବୁର ରହସ୍ୟ । ଲୋକକଥା ଅନୁସାରେ, ଭେଡେନ ହୋତା ପରିବରେ ଏକ ଗାଈ ଥିଲା । ଜଣେ ଗାଈଚରାଳି ସେହି ଗାଈକୁ ମହାନଦୀ କୁଳକୁ ଚରାଇବା ପାଇଁ ନେଇ ଯାଉଥିଲେ । ସବୁ ଠିକ ଚାଲିଥିଲା କିନ୍ତୁ ଦିନେ ଗାଈର ମାଲିକ ତଥା ହୋତା ବାବୁ ଜାଣିପାରିଲେ ଯେ ଗାଈର କ୍ଷୀର ଦେବା ପରିମାଣ ଧୀରେ ଧୀରେ ହ୍ରାସ ପାଉଛି ।

ଏନେଇ ସେ ଗାଈଚରାଳିକୁ ପ୍ରଶ୍ନ କଲେ ମଧ୍ୟ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରିଲା ନାହିଁ । ତେଣୁ ଦିନେ ହୋତା ବାବୁ ନିଜେ ଗାଈକୁ ନେଇ ଚରାଇବା ପାଇଁ ଗଲେ । ଦେଖିଲେ ଗାଈଟି ମହାନଦୀ କୁଳକୁ ଯାଇ ଏକ ପଥର ଉପରେ ନିଜ କ୍ଷୀର ଢାଳୁଛି ବା ସେହି ପଥର ଉପରେ ତା’ କ୍ଷୀର ଆପେ ଆପେ ଝରି ପଡୁଥାଏ । ପ୍ରସ୍ତରଟି ଦେଖିବାକୁ ଶିବଲିଙ୍ଗ ଭଳି ହୋଇଥିବାରୁ ହୋତା ବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ବୁଝି ନେଇଥିଲେ ଯେ ସେଠାରେ ଭଗବାନ ଶିବଶଙ୍କର ଉଭା ହୋଇଛନ୍ତି ।

ସେଦିନ ଠାରୁ ସେ ଗାଈକୁ ସେଠାକୁ ଯିବାକୁ ବାରଣ କଲେନାହିଁ ଏବଂ ନିଜେ ମଧ୍ୟ ସେଠାକୁ ଆସି ସେହି ପ୍ରସ୍ତରଟିର ପୂଜାର୍ଚ୍ଚନା କରିବାକୁ ଲାଗିଲେ । କିଛିଦିନ ପରେ ଏହି ଖବର ସମ୍ବଳପୁର ରାଜା ବଳରାମଦେଓଙ୍କ କାନରେ ବାଜିଲା ଓ ସେ ନିଜେ ସେହି ସ୍ଥାନକୁ ପରିଭ୍ରମଣ କରିବାକୁ ଆସିଲେ ।

ଆଉ କିଛିଦିନ ପରେ ରାଜାଙ୍କ ସ୍ଵପ୍ନରେ ପ୍ରଭୁ ଶିବଶଙ୍କର ଆସି ସେହି ସ୍ଥାନରେ ତାଙ୍କର ପୂଜା କରିବା ପାଇଁ ଏବଂ ସେଠାରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ କହିଲେ । ଏହାପରେ ରାଜା ମନ୍ଦିର ନିର୍ମାଣ କାର୍ଯ୍ୟରେ ଲାଗି ପଡିଲେ । ଏମିତି ଅନେକ ଦିନ ଧରି କାର୍ଯ୍ୟ ଚାଲିବା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେଲା ।

ମନ୍ଦିରର ନାମ ହୁମା କାହିଁକି ରଖାଗଲା ?

ପ୍ରଥମେ ଗାଈଟିଏ ଏହି ମନ୍ଦିର ବିଷୟରେ ଜ୍ଞାତ କରାଇଥିଲା ଏବଂ ସାଧାରଣତଃ ଗାଈ ଓ ବଳଦମାନେ ହୁ…ମା… ଡାକି ଶବ୍ଦ ଉଚ୍ଚାରଣ କରିଥାନ୍ତି । ଆଉ ସେହି ହୁ…ମା… ଡାକରୁ ଏହି ମନ୍ଦିରର ନାମ ହୁମା ରଖାଗଲା । ସେବେଠାରୁ ନେଇ ପ୍ରଭୁ ଶିବଶଙ୍କର ଏହି ହୁମା ମନ୍ଦିରରେ ପୂଜା ପାଉଛନ୍ତି ।

ମନ୍ଦିର ନିକଟସ୍ଥ ନଦୀରେ କୁଡୋ ମାଛକୁ କାଟିଲେ ମଣିଷ କଣ ସତରେ ପ୍ରସ୍ତର ପାଲଟିଯାଏ ?

ସ୍ଥାନୀୟ ଲୋକଙ୍କ ମତରେ, ଥରେ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ସହ ଯାଇ ହୁମା ମନ୍ଦିର ନିକଟସ୍ଥ ମହାନଦୀରେ ଜାଲ ପକାଇଲେ । ସେଠାରୁ ମାଛ ଧରିବା ପରେ ଯେତେବେଳେ ସେମାନେ ତାକୁ ପନିକିରେ କାଟିବାକୁ ଚେଷ୍ଟା କଲେ ସେତେବେଳେ ସଂପୂର୍ଣ୍ଣ ଶରୀର ସହ ସେହି ମହିଳା ପ୍ରସ୍ତର ପାଲଟିଗଲେ । ଏହା ହେଉଛି ମନ୍ଦିରର ଏକ ରୋଚକ ରହସ୍ୟ ।

ହୁମା ମନ୍ଦିର ବକ୍ର ହେଲା କେମିତି ?

କିଛି ଲୋକଙ୍କ ମତରେ ହୁମା ମନ୍ଦିର ଯେତେବେଳେ ନିର୍ମିତ ହୋଇଥିଲା ସେତେବେଳେ ମହାନଦୀ ଓ ବନ୍ୟାକୁ ଆଖିରେ ରଖି ରାଜା ବଳରାମଦେଓ ଏହାକୁ ନିର୍ମାଣ କରିଥିଲେ । ତେଣୁ ନିର୍ମାଣ ବେଳଠୁ ହିଁ ମନ୍ଦିରକୁ ବକ୍ରାକୃତି କରାଯାଇଥିଲା । ଆଉ କିଛି ଲୋକଙ୍କ ମତରେ ମନ୍ଦିରରେ ଥରେ ଭୟଙ୍କର ବନ୍ୟା ଆସିବା ଯୋଗୁଁ ଏହାର କୁପ୍ରଭାବରେ ମନ୍ଦିରଟି ବକ୍ର ହୋଇ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।