ଶୀତଦିନେ ରୂପି ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? କେମିତି ଦୂର କରିବେ ? ଦେଖନ୍ତୁ ଏନେଇ କଣ କହୁଛନ୍ତି ଚର୍ମରୋଗ ବିଶେଷଜ୍ଞ Dr Kishan Agarwal

ଶୀତଦିନ ଆସିଲେ ଅଧିକାଂଶ ଲୋକଙ୍କ ଠାରେ ରୂପି ସମସ୍ଯା ଦେଖା ଦେଇଥାଏ । ଆଉ ଏଥିପାଇଁ ଅନେକ ଲୋକ ଚିନ୍ତିତ ହୋଇପଡନ୍ତି । କାରଣ ଏହା ମୁଣ୍ଡର ଚର୍ମରେ ଧଳା ଧଳା କାତି ଭଳି ଲାଗି ରୁହେ ଓ ଅନେକ ସମୟରେ କୁଣ୍ଡାଇ ହୁଏ ମଧ୍ୟ । ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଏହି ରୂପି ସମସ୍ଯା ଦେଖିବାକୁ ମିଳିଥାଏ । ତେବେ ଖାସ୍ କରି ଶୀତଦିନେ ଏହି ସମସ୍ଯା କିଭଳି ମୁକ୍ତି ପାଇବେ ଆସନ୍ତୁ ଜାଣିବା ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରୱାଲଙ୍କ ଠାରୁ ।

ତେବେ ଅନେକ କାରଣରୁ ମୁଣ୍ଡରୁ ରୂପି ଛାଡିଥାଏ । ସେଥିପାଇଁ ରୂପି କଣ ପାଇଁ ହେଉଛି ପ୍ରଥମେ ଏହା ଜାଣିବା ଆବଶ୍ୟକ । ଫଙ୍ଗସ ପାଇଁ ହେଉଛି କିମ୍ବା ଅନ୍ୟ କୌଣସି ସଂକ୍ରମଣ କାରଣରୁ ରୂପି ହୋଇଛି ତାହା ଜାଣିବା ପରେ ଯାଇ ଏହାର ସଠିକ ଚିକିତ୍ସା କରିହେବ । କାରଣ ସୋରିୟାସିସ କାରଣରୁ ମଧ୍ୟ ମୁଣ୍ଡରୁ ଚୋପା ଭଳି ଛାଡିଥାଏ । ରୂପି ହୋଇଥିଲେ ଅନେକ ଲୋକ ମୁଣ୍ଡରେ ତେଲ ଲଗାଇ ଦିଅନ୍ତି । କିନ୍ତୁ ଏହି ସମୟରେ ତେଲ ଲଗାଇବା ଉଚିତ ନୁହେଁ । କାରଣ ତେଲ ଲଗାଇବା ଦ୍ଵାରା ଫଙ୍ଗସଙ୍କୁ ଖାଦ୍ଯ ମିଳିଥାଏ ।

ଏହାସହ କିଛି ଲୋକ ଅଣ୍ଡା, ଦହି ଓ ଲେମ୍ବୁ ମଧ୍ୟ ଲଗାଇ ଥାଆନ୍ତି । କିନ୍ତୁ ଡାକ୍ତରଙ୍କ ମତରେ ସେସବୁ ଲଗାଇବା ବିଲକୁଲ ବି ଉଚିତ ନୁହେଁ । କାରଣ ଏହି ସବୁ ଲଗାଇବା ଦ୍ଵାରା ଆପଣଙ୍କ ଚର୍ମରେ ଥିବା ଫଙ୍ଗସକୁ ଖାଦ୍ୟ ମିଳିବ ଓ ଖାଦ୍ଯ ପାଇ ତାହା ବୃଦ୍ଧି ହୋଇପାରେ । ଯଦି ଆପଣଙ୍କର ପ୍ରଥମ ପ୍ରଥମ ରୂପି ଆରମ୍ଭ ହୋଇଛି ଓ ଆପଣ ଡାକ୍ତରଙ୍କ ପାଖକୁ ଯାଇ ନାହାନ୍ତି । ତେବେ ପ୍ରଥମ ନିୟମ ହେଉଛି ଆପଣ ସେଥିରେ ନଖ ମାରନ୍ତୁ ନାହିଁ ।

ଦ୍ଵିତୀୟ କଥା ହେଉଛି ଆପଣ ନିୟମିତ ଭାବେ ମୁଣ୍ଡ ଧୁଅନ୍ତୁ । ଥଣ୍ଡା ଦିନରେ ଅନେକ ଲୋକ ନିୟମିତ ମୁଣ୍ଡ ଧୁଅନ୍ତି ନାହିଁ । ସେଥିପାଇଁ ନଖ ଉଷୁମ ପାଣିରେ ନିୟମିତ ଭାବେ ମୁଣ୍ଡ ଧୋଇବା ପାଇଁ ଚେଷ୍ଟା କରନ୍ତୁ । ଏହାପରେ ରୂପି ପାଇଁ ଉପଯୁକ୍ତ ଶାମ୍ପୁ ବ୍ୟବହାର କରନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଇ ଯଦି ଶାମ୍ପୁ ବ୍ୟବହାର କରିବେ ତେବେ ଆହୁରି ଭଲ ହେବ । କାରଣ ବ୍ୟକ୍ତିଙ୍କ ଆବଶ୍ୟକ ଅନୁସାରେ ହିଁ ଡାକ୍ତର ଶାମ୍ପୁ ବ୍ୟବହାର କରିବାକୁ କହିଥାନ୍ତି ।

ସେହିପରି ଆବଶ୍ୟକତା ଅନୁସାରେ ସପ୍ତାହରେ କେତେ ଦିନ ଶାମ୍ପୁ ବ୍ୟବହାର କରିବେ ତାହା ମଧ୍ୟ ଡାକ୍ତର କହିଥାନ୍ତି । ବାହାରକୁ ଯିବା ବେଳେ ମୁଣ୍ଡକୁ ଘୋଡାଇ ରଖିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ଚେଷ୍ଟା କରନ୍ତୁ ଯେପରି ମୁଣ୍ଡ ଚର୍ମ ବା ଚୁଟିରେ ମଳି ନଜମେ ।

ଅନିଦ୍ରା ରହିବା ଦ୍ଵାରା ବା ଅଧିକ ଷ୍ଟ୍ରେସ ନେବା ଦ୍ଵାରା ମଧ୍ୟ ରୂପି ଅଧିକ ହୁଏ ବୋଲି ଦେଖିବାକୁ ମିଳିଛି । ସେଥିପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ପାନିଆ ଏବଂ ମୁଣ୍ଡ ପୋଛିବା ଟାୱେଲ ଆଦି ମଧ୍ୟ ଅଲଗା ରଖନ୍ତୁ । ଯଦି ସମସ୍ଯା ଅଧିକ ବଢୁଛି ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ସହ ପରାମଶ କରିନେବା ହିଁ ଠିକ ହେବ ।