ଗରୁଡ ସ୍ତମ୍ଭଙ୍କୁ କାହିଁକି ଆଲିଙ୍ଗନ କରିଥାନ୍ତି ଭକ୍ତମାନେ ? ଗରୁଡ ସ୍ତମ୍ଭର ସତ୍ୟତା ଜାଣି ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ ! Dr Sharat Chandra Mohanty

ହାତଯୋଡି କଥାଏ ବୋଇଲେ, ସତମ ବଚନ ରାମା ସତମ ବଚନ, ଜଗନ୍ନାଥଙ୍କ ଗରୁଡ ସ୍ତମ୍ଭ କୁଣ୍ଢାଇବାରେ ମୋ ମନ, କ୍ଷେତ୍ର ଯିବି ଆରେ ମୁଁ କ୍ଷେତ୍ର ଯିବି… । ଯେତେବେଳେ ଜଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସେ ସେ ମହାପ୍ରଭୁଙ୍କ ସମୁଖରେ ଥିବା ତାଙ୍କ ବାହନ ବିନତାନନ୍ଦନ ଯେଉଁ ଗରୁଡ ସ୍ତମ୍ଭରେ ଉପବେଶନ କରିଛନ୍ତି, ସେହି ସ୍ତମ୍ଭକୁ ଆଲିଙ୍ଗନ କରିଥାଏ । ପ୍ରବାଦ ଅଛି ଗରୁଡ ଖମ୍ବକୁ କୁଣ୍ଢାଇବା ଅର୍ଥ ମହାପ୍ରଭୁଙ୍କୁ କୁଣ୍ଢାଇବା ସହ ସମାନ ।

କାହିକି ନା ମହାପ୍ରଭୁ ରତ୍ନ ସିଂହାସନରେ ଚକା ବଇଠି ପରେ ଉଭା, ତହିଁକି କି ଉପମା ଦେବା । ତେଣୁ ଚକା ବଇଠି ଉପରେ ବିରାଜମାନ ମହାପ୍ରଭୁଙ୍କୁ ସାଢେ ସାତଫୁଟର ଜଣେ ଭକ୍ତ ମଧ୍ୟ ହାତ ବଢେଇକି ସ୍ପର୍ଶ କରିବାକୁ ଚାହିଁଲେ ବି ପାରିବନି । ତେଣୁ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାକୁ ଭକ୍ତମାନେ ଚେଷ୍ଟା କରିଥାନ୍ତି । ଗରୁଡ ସ୍ତମ୍ଭଟି କାଠରେ କି ପ୍ରସ୍ତରରେ ନିର୍ମିତ ଆଜି ବି ବୈଜ୍ଞାନିକ ଜାଣିପାରନ୍ତି ନାହିଁ । ଶାସ୍ତ୍ର ଅନୁଯାୟୀ ଜୀବାଶ୍ମ (fossils) ବା ଗରୁଡ ଉଦଗାର ମଣିରେ ଗରୁଡ ସ୍ତମ୍ଭଟି ନିର୍ମାଣ ହୋଇଛି ।

ଗରୁଡ ସ୍ତମ୍ଭରେ ଏକ ଫାଟ ରହିଛି ଏବଂ ଗଛରେ ଯେଉଁଭଳି ଗଣ୍ଠି ଥାଏ ସେଥିରେ ସେହିଭଳି ଗଣ୍ଠି ମଧ୍ୟ ରହିଛି । ସେ ଯାହା ହେଉ ନା କାହିଁକି ଭକ୍ତଟିଏ ଗରୁଡ ସ୍ତମ୍ଭକୁ ଆଲିଙ୍ଗନ କରିବା ଫଳରେ ଅନେକ ପୂଣ୍ୟ ପ୍ରାପ୍ତି କରିଥାଏ । ଯେତେବେଳେ ମହାପ୍ରଭୁ କନ୍ଦର୍ପ ରଥରେ ବିଜେ କରି ମୁରଲୀ ବଜାଉଥିଲେ ସେତେବେଳେ ନିଶାର୍ଦ୍ଧରେ ଗୋପାଳୁଣୀ ବା ଗୋପ ଗଉଡୁଣୀ ମାନେ କନ୍ଦର୍ପ ରଥରେ ସାମିଲ ହେବା ପାଇଁ ନିଜ ସ୍ଵାମୀ ଓ ଶାଶୁଙ୍କର ଅଗୋଚରରେ ବୃନ୍ଦାବନରେ ଥିବା ନିପମୂଳକୁ ଯାଉଥିଲେ ।

ସେତିକି ବେଳେ ଗୋଟିଏ ଛୋଟୀ ଗୋପାଳୁଣୀକୁ ତା’ ସ୍ଵାମୀ ଧରିବା ସହ ଅଜସ୍ର ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲା । ସେଥିପାଇଁ ମହାପ୍ରଭୁଙ୍କ କନ୍ଦର୍ପ ରଥରେ ସେ ଭାଗ ନେଇ ପାରି ନଥିବାରୁ ଦୁଃଖରେ ନିଜର ଆତ୍ମହୁତି ହେଇଥିଲା । ଅର୍ଥାତ ଯେଉଁ ସ୍ତମ୍ଭରେ ନିଜକୁ ପିଟି ପିଟି ଗୋପାଳୁଣୀଟି ନିଜ ଜୀବନ ଶେଷ କରି ଦେଇଥିଲା, ମହାପ୍ରଭୁ ସେହି ଖମ୍ବକୁ ଉକ୍ତ ଗୋପାଳୁଣୀର ସ୍ମୃତିରେ ଗରୁଡ ସ୍ତମ୍ଭ କରି ଶ୍ରୀମନ୍ଦିରରେ ରଖିଛନ୍ତି ।

ଭକ୍ତମାନେ ସେହି ଖମ୍ବକୁ ଆଲିଙ୍ଗନ କରି ପରମ ସୁଖଲାଭ କରୁଛନ୍ତି । ମହାପ୍ରଭୁ ପ୍ରତ୍ୟୁଷରେ ମଙ୍ଗଳାଳତି ହୋଇ ମଇଲମ ହୋଇଥାନ୍ତି । ପୂର୍ବ ରାତ୍ରର ସମସ୍ତ ବସ୍ତ୍ର ଓ ଫୁଲ ଆଦି ବାହାର କରିବାକୁ ମଇଲମ କୁହାଯାଏ । ତା’ପରେ ତଡପଲାଗି ହୋଇଥାନ୍ତି ଅର୍ଥାତ ମହାପ୍ରଭୁ ଏକ ସ୍ଵତନ୍ତ୍ର ଉତ୍ତରୀୟ ପରିଧାନ କରିଥାନ୍ତି ।

ସ୍ନାନ ସମୟରେ ଆମେମାନେ ଯେଉଁ ଭଳି ଲଘୁ ବସ୍ତ୍ର ପରିଧାନ କରିଥାଉ ମହାପ୍ରଭୁ ମଧ୍ୟ ସେହିପରି ସ୍ନାନ କରିଥାନ୍ତି । ଏହି ସ୍ନାନକୁ ଅବକାଶ କୁହାଯାଏ । ଅବକାଶ ସମୟରେ ମହାପ୍ରଭୁଙ୍କୁ ମୁତୁରି ଦାନ୍ତକାଠିରେ ଦନ୍ତ ଧୌତ କରାଯାଏ ଏବଂ ସୁବର୍ଣ୍ଣ ଜିଭ ଛେଲାରେ ମହାପ୍ରଭୁ ଜିହ୍ଵା ଉଲେଖନ କରିଥାନ୍ତି । ଏହାପରେ ରୂପ ପିଙ୍ଗଣରେ ଦହି ମିଶ୍ରିତ ଜଳରେ ମହାପ୍ରଭୁଙ୍କୁ ଦର୍ପଣ ଦ୍ଵାରା ସ୍ନାନ କରାଯାଇଥାଏ । ଏସବୁକୁ ମହାପ୍ରଭୁଙ୍କ ଅବକାଶ ନୀତି କୁହାଯାଏ । ଏହି ସ୍ନାନ ସରିବା ପରେ ଗରୁଡଙ୍କ ସ୍ନାନ ହୋଇଥାଏ ।

ଗରୁଡ ସ୍ନାନ ବେଳେ ସ୍ନାନ ଜଳ ପାଇବା ପାଇଁ ଗରୁଡ ଚାରିପଟେ ବେଢି ରହିଥାନ୍ତି ଭକ୍ତମାନେ । ଏହାପରେ ମହାପ୍ରଭୁ ଦୈନନ୍ଦିନ ଯେଉଁ ବେଶ ହେବା କଥା ସେହି ବେଶ ଧାରଣ କରିଥାନ୍ତି । ଏହାପରେ ଦ୍ରାରପାଳ ପୂଜା, ଗୋପାଳ ବଲ୍ଲଭ ଏବଂ ସକାଳ ଧୂପ ଇତ୍ୟାଦି ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ପର୍ଯ୍ୟାୟକ୍ରମେ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।