Diet Plan for Flat Belly: ପେଟ କମାଇବା ପାଇଁ କେଉଁ ଭଳି Diet କରିବେ ? ଜାଣନ୍ତୁ Dietitian Niharika Dash ଙ୍କ ଠାରୁ

ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢିବ ଏକ ସାଧାରଣ ଘଟଣା ହୋଇଗଲାଣି । ପେଟରେ ଅତ୍ୟଧିକ ଚର୍ବି ହେବା କାରଣରୁ ବିଭିନ୍ନ ପ୍ରକାର ରୋଗ ମାଡି ବସିବାର ଆଶଙ୍କା ରହିଥାଏ । ପେଟରୁ ଚର୍ବି କମାଇବା ପାଇଁ ସନ୍ତୁଳିତ ଜୀବନଶୈଳୀ ଓ ଖାଦ୍ୟପେୟରେ ସୁଧାର ଆଣିବା ଅତ୍ୟନ୍ତ ଆବଶ୍ୟକ ରହିଛି । ତେବେ ପେଟରୁ ଚର୍ବି କମାଇବା ପାଇଁ କେଉଁ ଭଳି ଡାଏଟ ଆପଣେଇବା ଆବଶ୍ୟକ ରହିଛି, ଚାଲନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ ।

ପ୍ରତ୍ଯେକ ମଣିଷଙ୍କ ଶରୀର ଭିନ୍ନ ଭିନ୍ନ ହୋଇଥାଏ ଓ ସେହି ଅନୁସାରେ ଆମ ସମସ୍ତଙ୍କ ମେଟାବୋଲିଜିମ ମଧ୍ୟ ଭିନ୍ନ ହୋଇଥାଏ । ଆମେ ଖାଉଥିବା ଖାଦ୍ୟ ଠିକ ଭାବେ ହଜମ ହୋଇ ରକ୍ତରେ ମିଶି ନ ପାରିଲେ, ଚର୍ବି ଆକାରରେ ଆମ ଶରୀରର ପେଟ, ବାହୁ, ଜଙ୍ଘ ଆଦି ସ୍ଥାନରେ ଜମା ହୋଇଥାଏ । ଶାରୀରିକ ପରିଶ୍ରମ ନ କରିବା, ବସି ରହି କାମ କରିବା ବା ପଢିବା ଆଦି ଯୋଗୁଁ ଆମ ଶରୀର ଚଳପ୍ରଚଳ ହୁଏନାହିଁ । ଯାହାଫଳରେ ଆମେ ମୋଟପଣର ଶିକାର ହୋଇଥାଉ । ଯେଉଁମାନେ ବସିକି କାମ କରୁଛନ୍ତି ସେମାନେ ଦିନକୁ ୧୬୦୦ କ୍ୟାଲୋରିର ଖାଦ୍ଯ ଖାଇପାରିବେ । ଏହା ତାଙ୍କ ପାଇଁ ଯଥେଷ୍ଟ ଏବଂ ସେମାନେ ବେଲି ଫ୍ୟାଟ କମ କରିବାକୁ ବ୍ୟାୟାମ ମଧ୍ୟ କରିବା ଉଚିତ ।

ନଚେତ ପ୍ରତିଦିନ କେବଳ ୩୦-୪୦ ମିନିଟ ଚାଲନ୍ତୁ ଓ ଖାଇବାର ପରିମାଣ କମ ରଖନ୍ତୁ । ଭୋଜନରେ ମଧ୍ୟ ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ ରହିଛି । ଯଦି ଆପଣ ସକାଳେ ଏବଂ ଦ୍ଵିପ୍ରହରରେ କମ ଖାଉଛନ୍ତି ଓ ରାତିରେ ପ୍ରଚୁର ମରିମାଣରେ ଖାଇ ଦେଉଛନ୍ତି ତେବେ ଏହାର କୌଣସି ମୂଲ୍ୟ ରହିବ ନାହିଁ । ସୁସ୍ଥ ଏବଂ ପତଳା ରହିବା ପାଇଁ ଆପଣଙ୍କୁ ୭୦ ପ୍ରତିଶତ ଡାଏଟ ଏବଂ ୩୦ ପ୍ରତିଶତ ବ୍ୟାୟମ ଉପରେ ଧ୍ୟାନ ଦେବାକୁ ହେବ । ଯଦି ଆପଣ ଅଫିସରେ କାର୍ଯ୍ୟ କରୁଛନ୍ତି ତେବେ ସବୁବେଳେ ହାଲୁକା ଖାଦ୍ୟ ଖାଆନ୍ତୁ ଓ ଖାଇବା ସାଙ୍ଗେ ସାଙ୍ଗେ ଡେସ୍କରେ କାର୍ଯ୍ୟ କରିବାକୁ ବସନ୍ତୁ ନାହିଁ । ସମ୍ଭବ ହେଉଥିଲେ ଅତି କମରେ ୧୦ରୁ ୧୫ ମିନିଟ ଚାଲନ୍ତୁ । ଡାଏଟ କରୁଥିବା ସମୟରେ ଆପଣ ଦିନକୁ ୬ଥର ଖାଇପାରିବେ । କିନ୍ତୁ ଅଳ୍ପ ଅଳ୍ପ ହିଁ ଖାଇବେ ।

ସକାଳ ଏକ ଡ୍ରିଙ୍କରୁ ହିଁ ଆରମ୍ଭ କରନ୍ତୁ । ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମୁଚ ମେଥି ଗୁଣ୍ଡ କିମ୍ବା ରାତିରେ ଭିଜାଇ ରଖିଥିବା ଜୀରା ପାଣି ପିଅନ୍ତୁ । କେବେ ମଧ୍ୟ ଖାଲି ପେଟରେ ବ୍ୟାୟମ କରନ୍ତୁ ନାହିଁ । ବ୍ୟାୟମ କରିବାର ୨୦ ମିନିଟ ପୂର୍ବରୁ ଗୋଟିଏ କଦଳୀ କିମ୍ବା ଗୋଟିଏ ବ୍ରାଉନ ବ୍ରେଡ ସହ ପି-ନଟ ବଟର୍ ଖାଇପାରିବେ । ସକାଳ ଜଳଖିଆ ଆପଣ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ଯଥା ଓଟ୍ସ, ମଣ୍ଡିଆ, ଛତୁଆ, ସୁଜି ଇଟିଲି, ସ୍ପ୍ରାଉଟ ସଲାଡ ଏବଂ ଘର ତିଆରି ଜୁସ ଆଦି ନେଇପାରିବେ । ସେହିପରି ଲଞ୍ଚ ପୂର୍ବରୁ ମାହିରେ ଆପଣ ସେଓ, କମଳା, କାକୁଡି, ଦହି ସରବତ, ପଇଡ ପାଣି କିମ୍ବା ଅଳ୍ପ ପରିମାଣରେ ଡ୍ରାଏ ଫୃଟ ମଧ୍ୟ ନେଇପାରିବେ ।

ଲଞ୍ଚ ରେ କେବଳ ଭାତ ନଚେତ କେବଳ ରୋଟି ଖାଆନ୍ତୁ ଓ କମ ପରିମାଣରେ ଖାଆନ୍ତୁ । ଏହା ସହ ଡାଲି, ଭଜାଭଜି ଏବଂ ଦହି ଆଦି ଆପଣ ଖାଇପାରିବେ । ସନ୍ଧ୍ଯା ସମୟରେ ମଧ୍ୟ ଆପଣ ଗ୍ରୀନ ଟି, ଛେନା କିମ୍ବା ଗୋଟିଏ ଫୃଟ ଖାଇପାରିବେ । ରାତିରେ ମଧ୍ୟ ସବୁଠୁ ହାଲୁକା ଖାଆନ୍ତୁ ଓ ଖାଇବା ମାତ୍ରେ ଶୁଅନ୍ତୁ ନାହିଁ । ଭଲ ଭାବେ ନିଦ୍ରା ଯାଆନ୍ତୁ ଓ ପ୍ରଚୁର ପରିମାଣରେ ପାଣି ମଧ୍ୟ ପିଅନ୍ତୁ । ଦେଖିବେ ଆପଣ ନିଶ୍ଚୟ ହେଲ୍ଦି ରହିବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।