ସକାଳ ୬ଟାରୁ ୧୧:୩୦ ଯାଏଁ ଚାଲିଥିଲା ଅପରେସନ ଦଲାଲ । ରୋଗୀଙ୍କ ସମ୍ପର୍କୀୟଙ୍କ ଭେଶରେ ପୋଲିସମାନେ ହସ୍ପିଟାଲରେ ଘୁରି ବୁଲିଲେ । ଦଲାଲଙ୍କ ଉପରେ ରହିଥିଲା ପୋଲିସର ଅନୁସନ୍ଧାନକାରୀ ଆଖି । ବ୍ରହ୍ମପୁର ପୋଲିସର ଏକ ୧୫ ଜଣିଆ ଟିମ୍ ୭ ଜଣ ଦଲାଲଙ୍କୁ କାବୁ କଲା । ଆଉ ଏବେ ଲୋକେ କହୁଛନ୍ତି ବ୍ରହ୍ମପୁର MKCG ମେଡିକାଲ ଭଳି କଟକ SCB ମେଡିକାଲରେ ମଧ୍ୟ ଦଲାଲଙ୍କ ବିରୋଧରେ ଅପରେସନ ଦଲାଲ ଆରମ୍ଭ କରାଯାଉ ।
ଦଲାଲମାନେ ଗାଁ ଗହଳିରୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଭୁଆଁ ବୁଲାଉଛନ୍ତି । ଏମାନେ କାମଧନ୍ଦା ଛାଡି ହସ୍ପିଟାଲ ଚାରିପଟେ ଚକ୍କର କାଟୁଥାନ୍ତି । ରୋଗୀଙ୍କ ସମ୍ପର୍କୀୟଙ୍କୁ ଦେଖିବା ମାତ୍ରେ ଅମୁକ ହସ୍ପିଟାଲରେ ଭଲ ଚିକିତ୍ସା ହେବ ସମୁକ ମେଡ଼ିସିନ ଷ୍ଟୋରରେ ଭଲ ମେଡ଼ିସିନ ମିଳିବ କହି ତାଙ୍କୁ ବୁଝାସୁଝା ଆରମ୍ଭ କରିଦିଅନ୍ତି । ଏମିତି କହି ଗାଁ ଗହଳିରୁ ଆସୁଥିବା ଲୋକଙ୍କୁ ଭକୁଆ ବନେଇଥାନ୍ତି । ବ୍ରହ୍ମପୁର MKCG ହସ୍ପିଟାଲରେ ଦଲାଲମାନେ ଉତ୍ପାତ ଚଳାଇଥିଲେ ।
ଘରୋଇ ହସ୍ପିଟାଲ ଓ କ୍ଲିନିକ ମାନଙ୍କରେ ରୋଗୀଙ୍କ ଚିକିତ୍ସା କରାଇବା ପାଇଁ ଲୋକଙ୍କୁ ବାଧ୍ୟ କରୁଥିଲେ ଦଲାଲମାନେ । ବ୍ରହ୍ମପୁର ପୋଲିସ କାନରେ ଏକଥା ପଡିବା ପରେ ଏକ ୧୫ ଜଣିଆ ଟିମ୍ ଦଲାଲଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଥିଲା । ରୋଗୀଙ୍କ ସମ୍ପର୍କୀୟଙ୍କ ଭେଶରେ ହସ୍ପିଟାଲ ଭିତରକୁ ପ୍ରବେଶ କରିଥିଲେ ପୋଲିସମାନେ । ଆଉ ପୂର୍ବ ଭଳି ଦଲାଲମାନେ ଆସି ତାଙ୍କୁ ବୁଝାସୁଝା ଆରମ୍ଭ କରିଥିଲେ । କିନ୍ତୁ ପୂର୍ବରୁ କରିଥିବା ଯୋଜନା ମୁତାବକ ୭ଜଣ ଦଲାଲଙ୍କୁ କାବୁ କରିଥିଲେ ବ୍ରହ୍ମପୁର ପୋଲିସର ଏହି ସ୍ଵତନ୍ତ୍ର ଟିମ୍ ।
ଗାଁ ଗହଳିର ଅନେକ ଗରିବଗୁରୁବା ଲୋକମାନେ ଧାରକରଜ କରି ଟଙ୍କା ଧରି ବଡ ସରକାରୀ ହସ୍ପିଟାଲକୁ ଭଲ ଚିକିତ୍ସା ପାଇଁ ଆସିଥାନ୍ତି । ବଡ ହସ୍ପିଟାଲରେ ଚିକିତ୍ସା କରାଇଲେ ରୋଗୀଜଣକ ଶୀଘ୍ର ସୁସ୍ଥ ହେବେ ବୋଲି ମନରେ ଆଶା ଥାଏ । ଏହା ଭାବି କାଇଁ କେତେ ଦୂରରୁ ଧାଇଁ ଆସିଥାନ୍ତି ରୋଗୀମାନେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ମାଡି ଆସନ୍ତି ଦଲାଲମାନେ । ଅନେକ କଥା ଶିଖେଇ ବୁଝେଇ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଟଙ୍କା ଲୁଟି ଚାଲନ୍ତି ।
ତେବେ କେବଳ ବ୍ରହ୍ମପୁର MKCG ନୁହେଁ ବରଂ କଟକ ବଡ ମେଡିକାଲରେ ମଧ୍ୟ ଏମିତି ଘଟଣା ଘଟୁଥିବା ଅନେକ ଥର ନଜର ଆସୁଛି । ତେଣୁ ବ୍ରହ୍ମପୁର ପୋଲିସ ଭଳି କଟକ କମିଶନରେଟ ପୋଲିସ ମଧ୍ୟ ଏମିତି ଏକ ଅପରେସନ କରି ଦଲାଲଙ୍କୁ ଧରିଲେ ଅନେକ ରୋଗୀଙ୍କ ସମ୍ପର୍କୀୟ ବଡ ଠକାମିରୁ ବଞ୍ଚିତ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।