ଷଢେଇ କଳା ବୋଲି ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି ଓଡିଆ ପୁଅ ଚିତ୍ତରଞ୍ଜନ, ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରା

ଯେଉଁ ସବୁ ଜିନିଷକୁ ଅଦରକାରୀ ଭାବି ଆମେ ଘର ବାହାରେ ଫିଙ୍ଗି ଦେଉ, ଅସଲରେ ସେସବୁ ଦରକାରୀ ବୋଲି ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ । ଏଣେତେଣେ ଫୋପଡା ଯାଉଥିବା କାଚ ବୋତଲ, ନଡିଆ ଖୋଳ ବା ଷଢେଇକୁ ନେଇ ତିଆରି ହେଉଛି ସୁନ୍ଦର କାରୁକାର୍ଯ୍ୟ । ଏହି କାରିଗର ଜଣଙ୍କ ଷଢେଇରୁ କପ୍, ପ୍ଳେଟ, ହଂସ, କଇଁଛ, ବୁଢିଆଣୀ, ଫୁଲଦାନି ଆଦି କେତେ କଣ ପ୍ରସ୍ତୁତ କରୁଛନ୍ତି । ଦୀର୍ଘ ବାର ବର୍ଷ ଧରି ଷଢେଇ, କାଚ ବୋତଲ ଓ ଅନ୍ୟ ଅଦରକାରୀ ବସ୍ତୁ ବ୍ୟବହାର କରି ଏହିପରି ମନଲୋଭା କାରୁକାର୍ଯ୍ୟ କରି ଆସୁଛନ୍ତି ଚିତ୍ତରଞ୍ଜନ ଭୋଇ ।

ସେ କଟକ କନ୍ଦରପୁରର ବାସିନ୍ଦା ଅଟନ୍ତି । ଆଉ ତାଙ୍କ କଳା ଯୋଗୁଁ ଏବେ ତାଙ୍କୁ ପିଏମ ମୋଦିଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରୁ ନିମନ୍ତ୍ରଣ ଆସିଛି । ପ୍ରଥମେ ସେ କେବଳ ଏହି ସବୁ ଅଦରକାରୀ ବସ୍ତୁ ଉପରେ ଆର୍ଟ କରୁଥିଲେ । କିନ୍ତୁ ପରେ ତାଙ୍କ ଆଗ୍ରହ ବଢିଲା ଓ ସେ ସେହି ସବୁରୁ ଘରୋଇ ଉପକରଣ ଆଦି ତିଆରି କରିବାକୁ ଚେଷ୍ଟା କଲେ । ଆଉ ଏବେ ସେ ଅନେକ ଘରକରଣା ଜିନିଷ ପ୍ରସ୍ତୁତ କରୁଛନ୍ତି । କାହ୍ନୁ ନାମରେ ପରିଚିତ ଚିତ୍ତରଞ୍ଜନ ଏହି ସ୍ଵତନ୍ତ୍ର କଳା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ପିଲାଦିନୁ କଳା ପ୍ରତି ଖୁବ ଆଗ୍ରହୀ ଥିଲେ ଚିତ୍ତରଞ୍ଜନ । ବାହାଘର ଏବଂ ବ୍ରତଘର ଆଦିରେ ଚିତ୍ରାଙ୍କନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଚିତ୍ତରଞ୍ଜନ ଏହାକୁ ନିଜ ପେଶା କରିଛନ୍ତି । କିନ୍ତୁ ବିକ୍ରି ପାଇଁ ବଜାର ନଥିବାରୁ ସେ ମନ ଊଣା କରିଛନ୍ତି । ତଥାପି ଏହି କଳାର ପ୍ରଚାର ଏବଂ ପ୍ରସାର ପାଇଁ ସେ ଆହୁରି ୫୦ ଜଣ ପିଲାଙ୍କୁ ମଧ୍ୟ ଏହି କଳା ଶିକ୍ଷା ଦେଉଛନ୍ତି । ସେ ନିଜ ହାତରେ ହିଁ ଏହିସବୁ କରୁଥିବାରୁ ଏହା ସାମାନ୍ଯ ସମୟ ବହୁଳ ଅଟେ । ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କର ଏହି କଳାକୁ ଏତେ ସହଜରେ ଗ୍ରହଣ କରୁ ନଥିଲେ ।

କିନ୍ତୁ ଧୀରେ ଧୀରେ ସୁନ୍ଦର କଳାକୃତି ଦେଖି ଏହିପ୍ରତି ଲୋକଙ୍କ ଆଗ୍ରହ ବଢୁଛି ଓ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏଠୁ ସେଠୁ କାଚ ବୋତଲ ଓ ନଡିଆ ଷଢେଇ ଗୋଟାଇବା ଦେଖି ତାଙ୍କ ଘରଲୋକ ମଧ୍ୟ ଖୁବ ବିରକ୍ତ ହେଉଥିଲେ । କିନ୍ତୁ ଏବେ ଅଦରକାରୀ ଜିନିଷରୁ ଏହିପରି ଉଚ୍ଚମାନର କଳାକୃତି ଦେଖିବା ପରେ ଗର୍ବ ଅନୁଭବ କରୁଛନ୍ତି ତାଙ୍କ ଘରଲୋକ । ଆଉ ଚିତ୍ତରଞ୍ଜନଙ୍କ କାର୍ଯ୍ୟରେ ତାଙ୍କ ଘରଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି ।

କିନ୍ତୁ ସଠିକ ଭାବେ ବିକ୍ରି ନହୋଇ ପାରୁଥିବାରୁ ଏଭଳି ସୁନ୍ଦର କଳାକୃତି ଏବେ ତାଙ୍କ ଘରେ ଗଦା ହୋଇପଡିଛି । କିଛି ଗଣମାଧ୍ୟମଙ୍କ ଜରିଆରେ ତାଙ୍କ ଖବର ପ୍ରସାରିତ ହେବା ପରେ ସମସ୍ତେ ଧୀରେ ଧୀରେ ତାଙ୍କୁ ଚିହ୍ନିବାକୁ ଲାଗିଲେଣି । ତେବେ ସରକାରଙ୍କ ତୋସାଲି ମେଳା, ବାଲିଯାତ୍ରା ଓ ଆଦିବାସୀ ମେଳା ଆଦିରେ ତାଙ୍କ କଳା ବିକ୍ରି ହେବା ପାଇଁ ବହୁତ ସୁଯୋଗ ରହିଛି । ଯଦି ସରକାର ତାଙ୍କୁ ସାହାଯ୍ୟ କରନ୍ତି ତେବେ ସେ ସାରା ରାଜ୍ୟରେ ନିଜ କଳାକୃତି ପହଞ୍ଚାଇ ପାରିବେ ବୋଲି କହିଛନ୍ତି ।

ଆପଣଙ୍କୁ ଚିତ୍ତରଞ୍ଜନଙ୍କ ଏହି କଳାକୃତି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।