ମହଙ୍ଗା ପଡିଲା 6 ଟଙ୍କାର କ୍ଯାରିବ୍ୟାଗ, 6 ଟଙ୍କା ପାଇଁ ଗଣିବାକୁ ପଡିଲା 25 ହଜାର ଟଙ୍କା, ଆପଣ ବି କ୍ଯାରିବ୍ୟାଗ ପାଇଁ ପଇସା ଦେଉଛନ୍ତି କି ? ଜାଣିରଖନ୍ତୁ …

ମାତ୍ର 6 ଟଙ୍କାର କ୍ଯାରିବ୍ୟାଗ ପାଇଁ 25 ହଜାର ଟଙ୍କାର ଜୋରିମାନା ଗଣିବାକୁ ପଡିଲା । ଖାଉଟି ଅଦାଲତ ନିଜେ କଟକ ଦୋଳମୁଣ୍ଡାଇ ସ୍ଥିତ ଏକ ସପିଙ୍ଗ ମଲ୍ କୁ ଏଭଳି ଦଣ୍ଡିତ କରିଛନ୍ତି । ଅଦାଲତ ନିଜ ରାୟରେ ଗ୍ରାହକଙ୍କୁ 25 ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ମାନସିକ ନିର୍ଯ୍ୟାତନାକୁ ଦୃଷ୍ଟିରେ ରଖି ଏହି କ୍ଷତିପୂରଣ ଦେବାକୁ ଅଦାଲତଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଆବେଦନକାରୀ ଦୋଳମୁଣ୍ଡାଇରେ ଏକ ସପିଙ୍ଗ ମଲ୍ ରେ କିଣାକିଣି କରୁଥିବା ବେଳେ କ୍ଯାରିବ୍ୟାଗ ପାଇଁ ତାଙ୍କ ଠାରୁ 6 ଟଙ୍କା ନିଆ ଯାଇଥିଲା ।

ହେଲେ ସପିଙ୍ଗ କରିବା ସମୟରେ କ୍ଯାରିବ୍ୟାଗ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇ ନଥିଲା । କ୍ଯାରିବ୍ୟାଗ ପାଇଁ ଦେୟ ଦେବାକୁ ପଡିବ ବୋଲି ମଲ୍ ରେ କୌଣସି ଫଳକ ମଧ୍ୟ ଲାଗି ନଥିଲା । ଯାହାର ବିରୋଧ କରି ଆବେଦନକାରୀ ଲିଗାଲ ନୋଟିସ ପଠାଇଥିଲେ । ତଥାପି ତାଙ୍କୁ କୌଣସି ସୁଫଳ ନ ମିଳିବାରୁ ସେ ଜିଲ୍ଲା ଖାଉଟି କମିଶନରେ ଯାଇ ଏକ ମାମଲା ରୁଜୁ କରିଥିଲେ । ଆବେଦନକାରୀଙ୍କ ନାମ ହେଉଛି ପଦ୍ମଲୋଚନ ରାଉତ ।

ସେ 2020 ଡିସେମ୍ବରରେ କଟକ ଦୋଳମୁଣ୍ଡାଇ ସ୍ଥିତ ବଜାର କୋଲକାତା ସପିଙ୍ଗ ମଲ୍ କୁ ଯାଇଥିଲେ ଏବଂ ସେଠାରେ ଏକ ଟି-ସାର୍ଟ କିଣିଥିଲେ ଯାହାର ଦାମ ଥିଲା 249 ଟଙ୍କା । ସେଠାରେ କାଉଣ୍ଟରରେ ବିଲିଙ୍ଗ କରିବା ବେଳେ ତାଙ୍କୁ ପଚରା ଯାଇଥିଲା କି କ୍ଯାରିବ୍ୟାଗ ଦରକାର କି ବୋଲି । ସେ ହଁ କହିଥିଲେ ଏବଂ ବିଲିଙ୍ଗ ପରେ କ୍ଯାରିବ୍ୟାଗ ସହ ସେ କିଣିଥିବା ଜିନିଷ ତାଙ୍କୁ ଦିଆ ଯାଇଥିଲା । ସେ ବିଲ ଉପରେ ନଜର ପକାଇବା ପରେ ଦେଖିଲେ ଯେ ତାଙ୍କ ଠାରୁ ଅତିରିକ୍ତ 6 ଟଙ୍କା ନିଆଯାଇଛି ।

କ୍ଯାରିବ୍ୟାଗ ପାଇଁ ଅଧିକ ଟଙ୍କା ଲାଗିବ ବୋଲି ତାଙ୍କୁ ପୂର୍ବରୁ କୁହାଯାଇ ନଥିଲା କି କେଉଁଠି ମଧ୍ୟ ଲେଖାଯାଇ ନଥିଲା । ଏହାସହ କ୍ଯାରିବ୍ୟାଗ ପାଇଁ ତାଙ୍କ ଠାରୁ 6 ଟଙ୍କା ନିଆଯାଇଛି ବୋଲି ମଧ୍ୟ ବିଲରେ ଲେଖା ନଥିଲା । ସେ ଏହାକୁ ପ୍ରଶ୍ନ କରିଥିଲେ କିନ୍ତୁ କେହି ନ ଶୁଣିବାରୁ ସପିଙ୍ଗ ମଲକୁ ସେ ଲିଗାଲ ନୋଟିସ ପଠାଇଥିଲେ । ତଥାପି ତାଙ୍କ କଥାକୁ ଗୁରୁତର ସହ ନେଇ ନଥିଲା ସପିଙ୍ଗ ମଲ୍ । ଯାହାପରେ ପଦ୍ମଲୋଚନ ବାଧ୍ୟ ହୋଇ ଖାଉଟି କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ ।

1986 କଞ୍ଜୁମର ପ୍ରୋଟେକ୍ସନ ଆକ୍ଟ ଅନୁସାରେ କ୍ଯାରିବ୍ୟାଗ ବାବଦକୁ ଟଙ୍କା ନେବା ବେଆଇନ । କିନ୍ତୁ ସପିଙ୍ଗ ମଲ୍ ମାନେ କ୍ଯାରିବ୍ୟାଗ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି । ଏବେ ଖାଉଟି ଅଦାଲତଙ୍କ ଏଭଳି ରାୟ ପରେ ହୁଏତ ସବୁ ସପିଙ୍ଗ ମଲ୍ ଗୁଡିକ ସଚେତନ ହେବେ ବୋଲି ଆଶା କରାଯାଉଛି । ଏନେଇ ଗ୍ରାହକ ହିସାବରେ ଆପଣମାନେ ମଧ୍ୟ ଧ୍ୟାନ ରଖିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।