କ୍ୟାଲସିୟମ ଅଭାବ ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ, ଦେଖନ୍ତୁ Dietician Sushree Tapaswini Das ଙ୍କ କିଛି ଟିପ୍ସ

୩୦ ବର୍ଷ ପରେ ଅଧିକାଶ ମହିଳାଙ୍କ ଠାରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ । ଏଥିପାଇଁ ହାଡ ଦୁର୍ବଳ ହେବା, କେଶର ଘନତ୍ଵ କମିଯିବା, ନଖ ଦୁର୍ବଳ ହେବା ଆଦି ଲକ୍ଷଣମାନ ଦେହା ଦେଇଥାଏ । ତେଣୁ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ସମସ୍ତେ ଭରପୁର କ୍ୟାଲସିୟମଯୁକ୍ତ ଖାଦ୍ଯ ଖାଇବା ଆବଶ୍ୟକ । ଏହା ଆମ ଶାରୀରିକ ବିକାଶ ସହ ମାନସିକ ଅଭିବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ । ଆସନ୍ତୁ କ୍ୟାଲସିୟମ ଅଭାବ କିପରି ପୂରଣ କରିବରେ ଜାଣିବା ଡାଏଟିସିଆନ ସୁଶ୍ରୀ ତପସ୍ଵିନୀ ଦାସଙ୍କ ଠାରୁ ।

ଆମ ଶରୀର ପାଇଁ କ୍ୟାଲସିୟମର ଅତ୍ୟନ୍ତ ଆବଶ୍ୟକତା ରହିଛି । କାରଣ ଆମ ହାଡ ଓ ଦାନ୍ତ ଆଦିରେ ୯୯% କ୍ୟାଲସିୟମ ରହିଛି ଓ ରକ୍ତରେ ମଧ୍ୟ ୧% କ୍ୟାଲସିୟମ ରହିଛି । ତେଣୁ ଆମ ଶରୀର ପ୍ରଚୁର ମାତ୍ରାରେ କ୍ୟାଲସିୟମ ଆବଶ୍ୟକ କରିଥାଏ । ଶରୀରରେ କ୍ୟାଲସିୟମର ଅଭାବ ରହିଲେ ହାଡ ଦୁର୍ବଳ ହୋଇ କ୍ରମଶଃ ଅଷ୍ଟିଓମାଲେସିଆ ଏବଂ ଅଷ୍ଟିପୋରୋସିସ ଭଳି ରୋଗ ଦେଖା ଦେଇଥାଏ । ଗର୍ଭବତୀ ମହିଳା ଓ ତାଙ୍କ ଶିଶୁଙ୍କ ଉପରେ କ୍ୟାଲସିୟମ ଅଭାବର ପ୍ରଭାବ ଅଧିକ ମାତ୍ରାରେ ପଡିଥାଏ ।

ଆଜିକାଲି ମହିଳାମାନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହୁନାହାନ୍ତି ବା ସୂର୍ଯ୍ୟକିରଣ ଠାରୁ ଏକଦମ ଦୂରେଇ ରହୁଛନ୍ତି । ଏହା ମଧ୍ୟ କ୍ୟାଲସିୟମ ଅଭାବର ଅନ୍ୟ ଏକ କାରଣ । ମହିଳାମାନେ ଗର୍ଭବତୀ ଥିବାବେଳେ କିମ୍ବା ଅନ୍ୟ ସମୟରେ ମଧ୍ୟ ପାଟିକୁ ଯାହା ଭଲଲାଗେ ତାହା ଖାଇଥାନ୍ତି, ଫଳରେ କ୍ୟାଲସିୟମଯୁକ୍ତ ଖାଦ୍ୟ ଖାଇପାରନ୍ତି ନାହିଁ ।

କ୍ୟାଲସିୟମର ବାଲାନ୍ସ ରଖିବା ପାଇଁ କ୍ଷୀରଜାତୀୟ ଖାଦ୍ଯ, ଚୂନା ମାଛ, ଶାଗ, ରାଶି, ଫ୍ଲାକ୍ସ ସିଡ୍ସ ଆଦିରେ କ୍ୟାଲସିୟମ ରହିଥାଏ । ରାଶିରେ ୯୦% କ୍ୟାଲସିୟମ ରହିଛି । ତେଣୁ ରାଶି ଲଡୁ ତିଆରି କରି କିମ୍ବା କ୍ଷୀର ସହ ସେକ୍ କରି ଖାଇବା ଦ୍ଵାରା କ୍ୟାଲସିୟମ ଅଭାବ ଶୀଘ୍ର ପୂରଣ ହୋଇଥାଏ । ଆମ ରକ୍ତରେ କ୍ୟାଲସିୟମର ଅଭାବ ହେଲେ ଏହା ଆମ ହାଡରୁ କ୍ୟାଲସିୟମ ଶୋଷିବାକୁ ଲାଗେ । ତେଣୁ ହାଡଗୁଡିକ ଧୀରେ ଧୀରେ ଦୁର୍ବଳ ହୋଇଥାଏ ।

ଅଷ୍ଟିଓପୋରୋସିସ ଏଭଳି ଏକ ଅବସ୍ଥା ଯେଉଁଥିରେ ଆମ ଅସ୍ଥି ଏତେ ଦୁର୍ବଳ ହୋଇଯାଏ ଯେ ସହଜରେ ଭାଙ୍ଗି ଯିବାର ସମ୍ଭାବନା ରହିଥାଏ । ତେଣୁ ଏଭଳି ଅବସ୍ଥାରେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ସହ କ୍ୟାଲସିୟମଯୁକ୍ତ ଖାଦ୍ଯ ମଧ୍ୟ ସେବନ କରିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହାସହ ସକାଳର ସୂର୍ଯ୍ୟକିରଣ ନେବା ମଧ୍ୟ ଜରୁରୀ ।

୩୦ ବର୍ଷ ପରେ ବା ମା ହେବା ପରେ ଯେପରି ଶରୀରରେ କ୍ୟାଲସିୟମ ଅଭାବ ନହୁଏ ତେଣୁ ଯୁବାବସ୍ଥାରୁ କ୍ଷୀର, ଦହି, ଛେନା, ଘିଅ, ଶାଗ, ମାଣ୍ଡିଆ, ରାଶି ଲଡୁ, ଚିନାବାଦାମ ଆଦି ନିୟମିତ ସନ୍ତୁଳିତ ପରିମାଣରେ ସେବନ କରିବା ଆବଶ୍ୟକ । ଏସବୁ ମଝି ମଝିରେ ନିଜ ଖାଦ୍ଯରେ ସାମିଲ କରିବା ଦ୍ଵାରା ଆପଣଙ୍କ ଶରୀରରେ କେବେବି କ୍ୟାଲସିୟମ ଅଭାବ ଦେଖାଦେବ ନାହିଁ । ଆମିଷ ଜାତୀୟ ଖାଦ୍ଯ ତଥା ଚୂନା ମାଛ, ବଡ ମାଛ, ଚିକେନ, ମଟନ୍ ରୁ ମଧ୍ୟ ଯଥେଷ୍ଟ କ୍ୟାଲସିୟମ ମିଳିଥାଏ ।

ତେବେ ଶରୀର ମଧ୍ୟକୁ କ୍ୟାଲସିୟମ ଯିବା ପାଇଁ ଭିଟାମିନ-ଡି ର ଆବଶ୍ୟକତା ରହିଛି, ଯାହାକି ସୂର୍ଯ୍ୟକିରଣରୁ ମିଳିଥାଏ । ତେଣୁ ସୂର୍ଯ୍ୟକିରଣ ମଧ୍ୟ ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।