ଭାରତ ଓ ପାକିସ୍ତାନ ମ୍ଯାଚକୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ଏହି ଦୁଇ ଦେଶର ମ୍ଯାଚ ଦେଖିବା ପାଇଁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । କାରଣ ସୂଚନା ମିଳିଛି କି, ଆଗାମୀ ୫ ବର୍ଷ ଯାଏଁ ଏହି ଦୁଇ ଦେଶ ମଧ୍ୟରେ କୌଣସି ବି ସିରିଜ ଖେଳାଯିବ ନାହିଁ । ଗତ ୧୦ ବର୍ଷ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ଵିପାକ୍ଷିକ ସିରିଜ ଖେଳା ଯାଇନାହିଁ । କେବଳ ଆଇସିସି ର ବଡ ବଡ ଟୁର୍ଣ୍ଣାମେଣ୍ଟରେ ଏହି ମୁହାଁମୁହିଁ ହୋଇଥାନ୍ତି ଏହି ଦୁଇ ପ୍ରତିଦ୍ଵନ୍ଦୀ ଦେଶ ।
ଭାରତ-ପାକିସ୍ତାନ ମ୍ଯାଚ ଦେଖିବା ପାଇଁ ସାରା ବିଶ୍ଵର କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଜୋସ ଦେଖିବାକୁ ମିଳେ । ହେଲେ ଏଭଳି ଖବର ଫ୍ୟାନ୍ସଙ୍କୁ ନିରାଶ କରିଦେଇଛି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀଙ୍କ ମ୍ଯାଚ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ ଥାଏ । କେବଳ ଷ୍ଟାଡିୟମ ଭିତରେ ଭିଡ ଜମେ ତାହା ନୁହେଁ ବରଂ ଷ୍ଟାଡିୟମ ବାହାରେ ମଧ୍ୟ ପ୍ରତି ଛକ ଛକରେ ଖେଳ ଦେଖିବାକୁ ଲୋକଙ୍କ ଭିଡ ଜମେ । ହେଲେ ଏବେ ପୁଣି ଆହୁରି ୫ ବର୍ଷ ଦର୍ଶକଙ୍କୁ ନିରାଶ ହେବାକୁ ପଡିବ ।
ବିସିସିଆଇ ତରଫରୁ ସମସ୍ତ ରାଜ୍ୟ ଆସୋସିଏସନକୁ ୨୦୨୩-୨୦୨୭ ଯାଏଁ ଫ୍ୟୁଚର ଟୁର୍ ପ୍ରୋଗ୍ରାମ ପଠାଯାଇଛି । ଯେଉଁଥିରେ ପାକିସ୍ତାନ ନାଁ ଦେଖିବାକୁ ମିଳିନାହିଁ । ଏହି ପ୍ରୋଗ୍ରାମ ଅନୁସାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ମ୍ଯାଚ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ୫ ବର୍ଷରେ ଭାରତର ୩୮ଟି ଟେଷ୍ଟ ମ୍ଯାଚ ଥିବାବେଳେ ସେଥିରୁ ୨୦ଟି ଘରୋଇ ମ୍ଯାଚ ଓ ୧୮ଟି ବିଦେଶରେ ଖେଳିବ ଭାରତ । ସେହିପରି ୪୨ଟି ଦିନିକିଆ ମ୍ଯାଚ ମଧ୍ୟରୁ ୨୧ଟି ଘରୋଇ ଓ ୨୧ଟି ବିଦେଶରେ ଖେଳାଯିବ ।
ଭରତ ସରକାରଙ୍କ ମଞ୍ଜୁରୀ ନମିଳିବା ଯାଏଁ ପାକିସ୍ତାନ ସହ ଦ୍ଵିପାକ୍ଷିକ ସିରିଜକୁ ନେଇ ବିସିସିଆଇ କୌଣସି ନିଷ୍ପତ୍ତି ନେଇପାରିବ ନାହିଁ । ଗତ ଦଶନ୍ଧିରେ ଦୁଇ ଦେଶ କୌଣସି ସିରିଜ ଖେଳିନାହାନ୍ତି । ଶେଷଥର ପାଇଁ ୨୦୧୨-୧୩ରେ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ । ତେବେ ଟିମ୍ ଇଣ୍ଡିଆର ଏହି ନୂଆ ଫ୍ୟୁଚର ଟୁର୍ ପ୍ରୋଗ୍ରାମରେ ଗତଥର ଠାରୁ ବହୁତ କମ୍ ମ୍ଯାଚ ରହିଛି । ଗତ ଫ୍ୟୁଚର ଟୁରରେ ଇଣ୍ଡିଆ ୧୬୩ ମ୍ଯାଚ ଖେଳିଥିବା ବେଳେ ଏଥର ମାତ୍ର ୧୪୧ଟି ମ୍ଯାଚ ଖେଳିବ ।
ପ୍ରତିବର୍ଷ ଆଇସିସି ଇଭେଣ୍ଟ ଓ ଆଇପିଏଲ ଯୋଗୁଁ ସିରିଜ କମ୍ ଥିବା କୁହାଯାଉଛି । ହେଲେ ଜୟ ଶାହା କହିଛନ୍ତି, ମ୍ଯାଚ କମ୍ ଥିଲେ ମଧ୍ୟ ମ୍ଯାଚର କ୍ଵାଲିଟି ବଢାଇ ଦିଆଯାଇଛି । ତେବେ ଆସନ୍ତା ଅକ୍ଟୋବର ୨୩ ତାରିଖ ଟି-୨୦ ବିଶ୍ଵକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଯାହା ଉପରେ ବର୍ତ୍ତମାନ କ୍ରିକେଟପ୍ରେମୀଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।