ବାପା ବାପା ଡାକ ଛାଡି ରାଜରାସ୍ତାରେ ଅଥୟ ହୋଇ କାନ୍ଦୁଛି ପୁଅ । କାରଣ ସବୁଦିନ ଭଳି ତା’ ବାପା ଭୋରରୁ ଉଠି ମହୁଲ ଟୋଲ ଧରି ପେଷିବାକୁ ଅଟୋରେ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା କି ବାପା ଆଉ ଘରକୁ ଫେରିବେନି । ଗୋଟିଏ ପରିବାରର ପାଞ୍ଚ ପାଞ୍ଚୋଟି ଶବ ଦେଖି ସମ୍ପର୍କୀୟଙ୍କ ଛାତି ଫାଟିଯାଉଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥରେ ଘଟିଥିବା ଏହି ଛାତିଥରା ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଟି ଜୀବନ ଚାଲିଯାଇଛି ।
ଭୋର ପ୍ରାୟ ୫ଟାରୁ ଘରୁ ଏକ ଅଟୋରେ ବାହାରିଥିଲେ ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗାଁର ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ୧୩ ବର୍ଷୀୟ ଦିବ୍ଯରଞ୍ଜନ ସାମଲ । ସେମାନେ ମହୁଲ ଟୋଲ ପେଷାଇବା ପାଇଁ ଅଟୋରେ ବୋଝେଇ କରି ମୁକ୍ତାପେଶୀ ଯାଉଥିଲେ । କିନ୍ତୁ ବାଟରେ ଯମ ଜଗି ବସିଥିଲା । ଘରଠାରୁ କୋଷେ ବାଟ ବାହାରି ୫୩ ନଂ ଜାତୀୟ ରାଜପଥରେ ଯାଉଥିବା ବେଳେ ପଚାରୁ ଦାନବରୂପୀ କୋଇଲା ବୋଝେଇ ଟ୍ରକଟିଏ ମାଡି ଆସିଥିଲା ।
ଟ୍ରକଟି ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରେଇ ଅଟୋ ଉପରେ ସଂପୂର୍ଣ୍ଣ ଚଢି ଯାଇଥିଲା । ଯାହାଫଳରେ ଘଟଣାସ୍ଥଳରରେ ହିଁ ଚାଲି ଯାଇଥିଲା ଗୋଟିଏ ପରିବାରର ୫ଟି ଜୀବନ । ଆଉ ରାସ୍ତା ଉପରେ ବିଛୁରି ହୋଇ ପଡି ଯାଇଥିଲା ବର୍ଷଯାକ ସଞ୍ଚୟ କରିଥିବା ମହୁଲ ଟୋଲ ।
ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ କିନ୍ତୁ ନିଜ ଜୀବନ ବଞ୍ଚାଇବା ଭୟରେ ୫ଟି ଜୀବନ ନେଇଥିବା ଟ୍ରକ ଡ୍ରାଇଭର ଗଟଣାସ୍ଥଳରୁ କୁଆଡେ ଫେରାର ହୋଇଯାଇଛି । ଆଉ ଏପଟେ ବାପା, ଦାଦା ଓ ପୁତୁରା ସମସ୍ତଙ୍କୁ ଏକାସାଥେ ହରେଇ ରାସ୍ତା ଉପରେ ଅଥୟ ଅଧିର ହୋଇ କାନ୍ଦୁଛି ପୁଅ । ସମସ୍ତଙ୍କ ଆଖିରେ ଏ ଦୃଶ୍ୟ ଦେଖି ଲୁହ ଆସିଯାଉଛି ।
କିଏ ଜାଣିଥିଲା ସକାଳୁ ସକାଳୁ ଘରୁ ବାହାରି ଯାଇଥିବା ଘରର ଏହି ପ୍ରିୟ ଲୋକମାନେ ଆଉ କେବେବି ଘରକୁ ଫେରିବେନି ବୋଲି । ଆଉ ବାପାଙ୍କ ଶବ ପାଖରେ ପୁଅର ଭୋ ଭୋ କାନ୍ଦ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।