ଆମେରିକା ସେନା ଏବଂ ନାଟୋରେ କାମ କରି ଚର୍ଚ୍ଚାରେ ଓଡିଆ ପୁଅ Rashmikant Behera, ପାଇଛନ୍ତି 30 ରୁ ଅଧିକ ମେଡାଲ ଆଉ ସାର୍ଟିଫିକେଟ !

ପରିବାରର ଖରାପ ଆର୍ଥିକ ଅବସ୍ଥା କାରଣରୁ ପାଠପଢା ଛାଡି କୁବେତ ଚାଲି ଯାଇଥିଲେ କେନ୍ଦ୍ରପଡାର ଏହି ଓଡିଆ ପୁଅ । 1998 ରେ ପ୍ରଥମେ ମୁମ୍ବାଇରେ କାନ କରିବା ପରେ 2002 ରେ ଯାଇଥିଲେ କୁବେତ । ଆଉ ସେହି ସମୟରେ ଆମେରିକା ଓ ଇରାକ ମଧ୍ୟରେ ଯୁଦ୍ଧ ଚାଲିଥିଲା । ସେତେବେଳେ ସୌଭାଗ୍ୟବଶତଃ ଆମେରିକୀୟ ସୈନ୍ୟଙ୍କ ସମ୍ପର୍କରେ ଆସିଥିଲେ ରଶ୍ମିକାନ୍ତ ବେହେରା । ଯାହାପରେ ଆମେରିକା ସେନା ଶିବିରରେ କାମ କରିବାର ସୁଯୋଗ ମିଳିଥିଲା । ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି ।

ଆମେରିକୀୟ ସେନା ଓ ନାଟୋ ସହ 20 ବର୍ଷ ଧରି ନିଷ୍ଠା ଓ ଦକ୍ଷତାର ସହ କାମ କରିଛନ୍ତି ରଶ୍ମିକାନ୍ତ । ଏମିତିକି ଆମେରିକୀୟ ସେନା ସଦାମ ହୁସେନର ଘରକୁ କିଭଳି କବଜାରେ ନେଇଥିଲା ତାହା ମଧ୍ୟ ସେ କହିଛନ୍ତି । ଆମେରିକା ସେନା ଶିବିରରେ ସଫଳତାର ସହ କାମ କରିଥିବାରୁ ନାଟୋ ମିଲିଟାରୀ ସଂଗଠନ ପକ୍ଷରୁ ତାଙ୍କୁ 30 ରୁ ଅଧିକ ମେଡାଲ ଏବଂ ସାର୍ଟିଫିକେଟ ମଧ୍ୟ ମିଳିଛି ।

ଆମେରିକା ମିଲିଟାରୀ ବେସରେ ପ୍ରାୟ ଦୁଇ ଦଶନ୍ଧି ଧରି କାମ କରିବା ମଧ୍ୟରେ ତାଙ୍କ ଆଖି ସାମ୍ନାରେ ଘଟିଥିବା ଅନେକ ଛାତିଥରା ଯୁଦ୍ଧର କାହାଣୀ କହିଛନ୍ତି ରଶ୍ମିକାନ୍ତ । ଆଫଗାନିସ୍ତାନ, ଇରାକ, ଋଷିଆ, କାଜିକିସ୍ତାନ, ତିକ୍ରିତି ଓ ଦୁବାଇ ଆଦି ଦେଶରେ ଥିବା ଆମେରିକା ସେନା ଶିବିରରେ ସେ କାମ କରିବାର ସୁଯୋଗ ପାଇଛନ୍ତି । ଏହାରି ଭିତରେ ରଶ୍ମିକାନ୍ତଙ୍କ ପାରିବାରିକ ଆର୍ଥିକ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଘଟିଛି । 2020 ରେ ଗାଁକୁ ଫେରିବା ପରେ ସେଠାରେ ଅନେକ ଜନ ହିତକର କାର୍ଯ୍ୟ କରୁଛନ୍ତି ରଶ୍ମିକାନ୍ତ ।

ଗାଁରେ ଗଛ ଲଗାଇବା ସହ ଲୋକଙ୍କ ଅସୁବିଧା ସମୟରେ ସାହାଯ୍ୟର ହାତ ବଢାଇ ନିଜ ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି ରଶ୍ମି । ତାଙ୍କ ସାହାଯ୍ୟ ମନୋଭାବ ଯୋଗୁଁ ଗାଁରେ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ବାପା ସାଇକେଲ ଦୋକାନଟିଏ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ରଶ୍ମିକାନ୍ତ ବାହାରକୁ ଯାଇ କିଛି କରିବାକୁ ଚିନ୍ତା କରିଥିଲେ । ଆଉ ସେଠାରେ ତାଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହୋଇଥିଲା ।

ଗାଁରେ କାହାର ପ୍ରସବ ହେଲେ, ବାହାଘର ହେଲେ କିମ୍ବା କେହି ମୃତ୍ୟୁବରଣ କଲେ ରଶ୍ମିକାନ୍ତ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ଭାରତୀୟ ସେନା ପାଇଁ କାମ କରିବାର ସ୍ଵପ୍ନ ସିନା ସଫଳ ହୋଇପାରିଲା ନାହିଁ ହେଲେ ଏବେ ସେ ନିଜ ଅଞ୍ଚଳର କୃଷି ଓ କୃଷକଙ୍କ ପାଇଁ କିଛି କରିବାର ଯୋଜନା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।