ମୁହଁରେ ମୁଖା ଏବଂ ହାତରେ ବନ୍ଧୁକ, ଖଣ୍ଡା, ଛୁରି, ଠେଙ୍ଗା ଆଦି ଧରି ଘର ଭିତରକୁ ପଶିଆସିଲେ । ଦେଖୁ ଦେଖୁ ଘରର ସବୁ ଆସବାବପତ୍ର ଭାଙ୍ଗି ଚୁରମାର କରିବା ସହ ସୁନାଗହଣା ଓ ଟଙ୍କା ଆଦି ଲୁଟିନେଲେ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଭୁବନେଶ୍ବର ଏୟାରପୋର୍ଟ ଥାନା ଅନ୍ତର୍ଗତ ଝରଣା ସାହିରେ । ପୂର୍ବରୁ ନୟାପଲ୍ଲୀ ଥାନା ଅଞ୍ଚଳରେ ବିବାଦୀୟ ଜମିକୁ ପଜେସନ ଦେବା ନାଁରେ ଦୁଇ ଦୁଇଟି ଦୋକାନକୁ ଦୁର୍ବୃତ୍ତମାନେ ମାଟିରେ ମିଶାଇ ଦେଇଥିଲେ ।
ସେହିଭଳି ଭାବେ 50 ରୁ ଅଧିକ ଯୁବକ ହାତରେ ବନ୍ଧୁକ ଏବଂ ଠେଙ୍ଗା, ଖଣ୍ଡା ଆଦି ଧରି ପଶି ଆସିଲେ ଏବଂ ସବୁ ଜିନିଷପତ୍ର ଭାଙ୍ଗି ଚୁରମାର କରିଦେଲେ । ଘରର ଭିତରର ଦୃଶ୍ୟ ଯେକେହି ଦେଖିବେ ଭୟଭୀତ ହୋଇଯିବେ । ଅଧଘଣ୍ଟାରୁ ଏକ ଘଣ୍ଟା ଧରି ଦୁର୍ବୃତ୍ତମାନେ ଘର ଭିତରେ ଏଭଳି କାଣ୍ଡ ଭିଆଇ ଚାଲିଥିଲେ । ପୋଲିସ ଆସିବା ବେଳକୁ ସବୁକିଛି ମାଟିରେ ମିଶି ଯାଇଥିଲା ।
ଏହି ଘରକୁ ସେମାନେ ଅକ୍ତିଆର କରିବାକୁ ଚାହୁଁଥିଲେ ସେଥିପାଇଁ ଘରର ସବୁ ଜିନିଷପତ୍ର ନଷ୍ଟ କରିବା ସହ ସେହି ଅଞ୍ଚଳରେ ଏକ ଆତଙ୍କ ଖେଳାଇଥିବା ଘର ମାଲିକ ଅଭିଯୋଗ କରିଛନ୍ତି । ମାଲିକାଣୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ପ୍ରାୟ 6ଟା ସମୟରେ ସେ ସନ୍ଧ୍ୟାଧୂପ ସାରି ଯେତେବେଳେ ଘରକୁ ଫେରିଥିଲେ ସିସିଟିଭି କ୍ୟାମେରାରେ ଦେଖିଥିଲେ କି ପ୍ରାୟ 40-50 ଯୁବକ ତାଙ୍କ ଘର ଆଡେ ମାଡି ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଥିଲେ ।
ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ଘରର ଗୋଟିଏ ପରେ ଗୋଟିଏ ଗେଟ୍ କାଟି ଚାଲିଥିଲେ ଏବଂ ସବୁ ରୁମ୍ ରେ ଥିବା ଜିନିଷପତ୍ର ଭାଙ୍ଗୁଥିଲେ । ତାଙ୍କ ଘରେ ଥିବା କେୟାରଟେକରକୁ ନିର୍ଦ୍ଧୂମ ମାଡ ମାରିଥିବା । ଏପରିକି ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ମାଡ ମାରିବା ସହ ଅପହରଣ କରି ନେଇ ବରଗଡରେ ଗୋଟିଏ ଘରେ ରଖିଥିଲେ ।
ରାତାରାତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଯାଇ ଉଦ୍ଧାର କରିଥିଲା । ଏଭଳି ମାହୋଲରେ ସେଠାରେ ସେମାନେ ନିଜକୁ ସୁରକ୍ଷିତ ମନେ କରୁ ନଥିବା କହିଛନ୍ତି । ତେବେ ତାଙ୍କ ସ୍ଵାମୀଙ୍କ ପୂର୍ବତନ ସ୍ତ୍ରୀଙ୍କ ଝିଅ ଜ୍ଵାଇଁ ମିଶି ଏଭଳି କାଣ୍ଡ ରଚିଥିବା ସେ କହିଛନ୍ତି ।
ଘର ଏବଂ ସମ୍ପତ୍ତି ଲୋଭରେ ବାରମ୍ବାର ତାଙ୍କୁ ଗାଳିଗୁଲଜ କରିବା ସହ ଘରେ ପଶି ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଛନ୍ତି । ତେବେ ସେମାନେ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଏନେଇ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।