ବଲାଙ୍ଗୀରରେ ନକଲି ସାର୍ଟିଫିକେଟକୁ ନେଇ ଯେଉଁ ଝଡ ଉଠିଥିଲା ଏବେ ତାହା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କୁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଥିବା ବେଳେ ଏଇ ମାମଲାରେ ଆଉ ଏକ ରୋଚକ କଥା ସାମ୍ନାକୁ ଆସିଛି । ସାରା ଓଡିଶାକୁ ତାଜୁବ କରୁଛି ଆନ୍ଧ୍ରପ୍ରଦେଶର ନମ୍ବର । ଓଡିଶାର ଜଣେ ପରୀକ୍ଷାର୍ଥୀ ଆନ୍ଧ୍ରପ୍ରଦେଶରେ ମାଟ୍ରିକ ପରୀକ୍ଷା ଦେଇ 600 ରୁ ସଂପୂର୍ଣ୍ଣ 600 ନମ୍ବର ରଖିଛନ୍ତି ।

ଛାତ୍ରଜଣକ ସମସ୍ତ ବିଷୟରେ 100 ରୁ 100 ରଖିଥିବା ତାଙ୍କ ମାର୍କସିଟ୍ ରେ ଦର୍ଶାଯାଇଛି । ଛାତ୍ରଙ୍କ ଘର ଗଞ୍ଜାମର ପାତ୍ରପୁର ବ୍ଲକ ଅନ୍ତର୍ଗତ ତୁମ୍ବାଗଡରେ ହୋଇଥିବା ବେଳେ ତାଙ୍କ ନାମ ହେଉଛି ଡିଲେଶ୍ଵର ନାୟକୋ । ସେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅନ୍ତର୍ଗତ ମଣ୍ଡସା SRSM JP ହାଇସ୍କୁଲରୁ ମାଟ୍ରିକ ପାସ୍ କରି ଏହି ନମ୍ବର ରଖିଛନ୍ତି । ସେ ଫାଷ୍ଟ ଲାଙ୍ଗୁଏଜ ଓଡିଆ ରଖିଥିବା ବେଳେ ସେକେଣ୍ଡ ଲାଙ୍ଗୁଏଜ ରହିଛି ତେଲୁଗୁ ।
ଓଡିଆ, ତେଲୁଗୁ ଏବଂ ଇଂରାଜୀରେ 100 ନମ୍ବର ଲେଖାଏଁ ରଖିଛନ୍ତି ଏବଂ ଗଣିତ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ମଧ୍ୟ 100 ନମ୍ବର ଲେଖାଏଁ ରଖିଛନ୍ତି । ଡିଲେଶ୍ଵର ନାୟକୋ ସମସ୍ତ ବିଷୟରେ 100 ନମ୍ବର ଲେଖାଏଁ ରଖି ଆନ୍ଧ୍ର ବୋର୍ଡରୁ ପ୍ରଥମ ଶ୍ରେଣୀରେ ଉନ୍ନୀତ ହୋଇଥିବା ତାଙ୍କ ସାର୍ଟିଫିକେଟରେ ଦର୍ଶାଯାଇଛି । ଏନେଇ ଡିଲେଶ୍ଵର କହିଛନ୍ତି କି, 2020 ରେ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେଇ ସେ ଏଭଳି ସଫଳତା ପାଇଛନ୍ତି ।

ଡାକବିଭାଗରେ ଗ୍ରାମୀଣ ଡାକ ସେବନ (GDS) ପଦବୀ ପାଇଁ ଖୋଳତାଡ ଚାଲିଥିବା ବେଳେ ଡିଲେଶ୍ଵରଙ୍କ ମାର୍କସିଟ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଡାକବିଭାଗ ପକ୍ଷରୁ ରାଜ୍ୟ ବାହାର ଜାଲ ସାର୍ଟିଫିକେଟ ଧରପକଡକୁ ଜୋରଦାର କରାଯାଇଛି । ଆଉ ଏତିକି ବେଳେ ଏହି ଓଡିଆ ଛାତ୍ରଙ୍କ ଆନ୍ଧ୍ର ବୋର୍ଡ ନମ୍ବର ଦେଖି ବିସ୍ମିତ ହୋଇ ପଡିଛନ୍ତି ଅଧିକାରୀ । ତେବେ ଡିଲେଶ୍ଵରଙ୍କ ମାର୍କସିଟ୍ ନକଲି କି ଅସଲି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।
ଏନେଇ ଶିକ୍ଷାବିତ କହିଛନ୍ତି କି, ବାହାର ବୋର୍ଡରେ ଏଭଳି ମାର୍କ ଦିଆ ଯାଉଥିବା ହେତୁ ଏହା ଓଡିଶା ବୋର୍ଡର ମେଧାବୀ ପିଲାଙ୍କ ବାଟ ଓଗାଳୁଛି । ଡାକବିଭାଗରେ ବାହାରୁଥିବା ଚାକିରି ଗୁଡିକ କେବଳ ମେରିଟ ଆଧାରରେ ଚୟନ ହେଉଥିବାରୁ ବାହାର ବୋର୍ଡର ମାର୍କସିଟ୍ ଅଧିକ ସମସ୍ଯା ସୃଷ୍ଟି କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।