ପିତାମାତାଙ୍କ ଠାରୁ ପୁଅକୁ ଦୂରେଇ ପାରିବେନି ସ୍ତ୍ରୀ । ଯଦି ବାପାମା’ଙ୍କ ଠାରୁ ଅଲଗା ରହିବାକୁ ପତ୍ନୀ ବାଧ୍ୟ କରେ ତେବେ ସ୍ଵାମୀ ତାଙ୍କୁ ଛାଡପତ୍ର ଦେଇପାରିବେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କଲିକତା ହାଇକୋର୍ଟ । ହାଇକୋର୍ଟ ଜଷ୍ଟିସ ସୋମେନ ସେନ ଏବଂ ଉଦୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ବିବାହ ପରେ ପୁଅ ବାପାମା’ଙ୍କ ପାଖରେ ରହିବା ଭାରତୀୟ ସଂସ୍କୃତିର ନିଦର୍ଶନ ଅଟେ ।
ବାପାମା’ଙ୍କର ସେବା ଏବଂ ପରିଣତ ବୟସରେ ସେମାନଙ୍କର ଯତ୍ନ ନେବା ହେଉଛି ପୁଅର କର୍ତ୍ତବ୍ୟ । ହେଲେ ପତ୍ନୀ ଯଦି ଏହାକୁ ବିରୋଧ କରନ୍ତି ଏବଂ ବାପାମା’ଙ୍କ ଠାରୁ ପୁଅକୁ ଅଲଗା କରିବାକୁ ଚେଷ୍ଟା କରନ୍ତି ତେବେ ସ୍ଵାମୀ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ । ପିତାମାତାଙ୍କ ଠାରୁ ସ୍ଵାମୀଙ୍କୁ ଅଲଗା କରିବାକୁ ବାଧ୍ୟ କରିବା ହେଉଛି ମାନସିକ କ୍ରୁରତା । ଏହି ମାମଲାରେ ପୂର୍ବରୁ ପରିବାର ଅଦାଲତ ସ୍ଵାମୀଙ୍କ ଛାଡପତ୍ର ଆବେଦନକୁ ଗ୍ରହଣ କରି ଏଥିପାଇଁ ଅନୁମତି ଦେଇଥିଲେ ।
ହେଲେ ପତ୍ନୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୂଚନା ଅନୁସାରେ 2009 ରେ ପଶ୍ଚିମବଙ୍ଗ ମେଦିନାପୁରର ପରିବାର ଅଦାଲତ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅମାନବୀୟ ନିଷ୍ପତ୍ତି ଆଧାରରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ପରିବାର ଅଦାଲତ ଏହି ଆବେଦନକୁ ମଞ୍ଜୁର କରିଥିବା ବେଳେ ପତ୍ନୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଉକ୍ତ ଦମ୍ପତ୍ତି 2001 ରେ ବିବାହ କରିଥିଲେ ହେଲେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା ।
ସ୍ଵାମୀଜଣକ ଏକ ଘରୋଇ ସ୍କୁଲରେ ଅସ୍ଥାୟୀ ଶିକ୍ଷକ ଭାବେ କାମ କରିବା ସହ ଟ୍ୟୁସନ ମଧ୍ୟ କରନ୍ତି । ଏହାସହ ସରକାରୀ ସ୍କୁଲରେ ଶିକ୍ଷା ହେବା ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ । ସେହିପରି ସ୍ତ୍ରୀ ମଧ୍ୟ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ହେଲେ ସେତିକି ଅର୍ଥ ସେମାନଙ୍କ ପରିବାର ଚଳେଇବା ପାଇଁ ଯଥେଷ୍ଟ ନଥିଲା । ସେଥିପାଇଁ ପତ୍ନୀ ଅଲଗା ଘରଭଡା ନେଇ ରହିବା ପାଇଁ ସ୍ଵାମୀଙ୍କ ଉପରେ ଚାପ ପକାଉଥିଲେ ।
ହେଲେ ସେ ପିତାମାତାଙ୍କୁ ଛାଡି ଅନ୍ୟତ୍ର ରହିବାକୁ ଇଚ୍ଛା ନ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ତେବେ ଏହି ମାମଲାରେ କଲିକତା ହାଇକୋର୍ଟଙ୍କର ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ହାଇକୋର୍ଟଙ୍କ ଏଭଳି ରାୟକୁ ଆଇନଜୀବୀ ଏବଂ ସାଧାରଣ ଲୋକ ମଧ୍ୟ ସ୍ବାଗତଯୋଗ୍ୟ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।