ଅଭିନେତା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ବଡ ବଡ କଳାକାର ମାନେ ସାହାଯ୍ୟର ହାତ ବଢାଉଛନ୍ତି । ପିଣ୍ଟୁ ନନ୍ଦ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦିଲ୍ଲୀ ଅଭିମୁଖେ ଯାଇଥିବା ବେଳେ ଏବେବି ଡୋନରଙ୍କ ଅପେକ୍ଷାରେ ରହିଛନ୍ତି । ଲିଭର ଟ୍ରାନ୍ସପ୍ଳାଣ୍ଟ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ଏଥିପାୟ ପିଣ୍ଟୁଙ୍କ ପାଖେ ଅର୍ଥର ଅଭାବ ଥିଲା । ସେଥିପାଇଁ ପିଣ୍ଟୁ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ସାହାଯ୍ୟ ପ୍ରାର୍ଥନା କରିଥିଲେ ।
ଅନେକ ସହୃଦୟ ବ୍ୟକ୍ତି ଏବଂ ତାଙ୍କର ପ୍ରଶଂସକମାନେ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି । ତେବେ ଏହାରି ମଧ୍ୟରେ ପିଣ୍ଟୁଙ୍କୁ ସାହାଯ୍ୟ ନାଁରେ ଜଣେ ଫିଲ୍ମ ପ୍ରଯୋଜକ ଠକିଥିବା ଘଟଣା ସାମ୍ନାକୁ ଆସିଛି । ପିଣ୍ଟୁ ନନ୍ଦ ଦିଲ୍ଲୀ ଯିବାର ପୂର୍ବଦିନର ଏହି ଘଟଣା ବୋଲି ଜଣାପଡିଛି । ଏହାକୁ ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଯେଉଁଥିରେ ଦେଖିବାକୁ ମିଳୁଛି କି, ପିଣ୍ଟୁ ନନ୍ଦ କାରରେ ବସିଥିବା ବେଳେ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ ତାଙ୍କ ପାଖକୁ ଆସି ଏକ ଚେକ୍ ବଢେଇ ଦେଉଛନ୍ତି । 50 ହଜାର ଟଙ୍କାର ଏହି ଚେକ୍ ଟି ବୋଲି ଜଣାପଡିଛି । ଚେକ୍ ଦେବା ସହ ପିଣ୍ଟୁ ନନ୍ଦଙ୍କୁ ଦାଦା ବୋଲି ଡାକି ତାଙ୍କର ସୁସ୍ଥତା କାମନା କରିଥିଲେ ପ୍ରଯୋଜକ ଜଣକ । ବଞ୍ଚିଥିବା ଯାଏଁ ପିଣ୍ଟୁ ନନ୍ଦଙ୍କୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବେ ଏବଂ ସେ ସୁସ୍ଥ ହେବା ଯାଏଁ ଦୀପ ଜାଳିବେ ବୋଲି କହିଥିଲେ ।
ହେଲେ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ପିଣ୍ଟୁ ନନ୍ଦ ଯେତେବେଳେ ସେହି ଚେକଟିକୁ ବ୍ଯାଙ୍କରେ ଲଗାଇଥିଲେ ଚେକଟି ବାଉନ୍ସ ହୋଇ ଯାଇଥିଲା । ଏହାପରେ ପ୍ରଯୋଜକଙ୍କୁ ଫୋନ କରିବା ପରେ ସେ ବିଭିନ୍ନ କଥା କହି କଥା ବୁଲାଇଥିଲେ ଓ ପରବର୍ତ୍ତୀ ସମୟରେ ଫୋନ ଉଠାଇ ନଥିଲେ । ପ୍ରଯୋଜକଙ୍କ ଏଭଳି ଲଜ୍ଜାଜଣକ କାର୍ଯ୍ୟକୁ ଅଭିନେତା ବବି ମିଶ୍ର ଅତ୍ୟନ୍ତ ନିନ୍ଦା କରିଛନ୍ତି ।
ଜଣେ ବ୍ୟକ୍ତି ମୃତ୍ୟୁ ସହ ସଂଘର୍ଷ କରୁଛି ଆଉ ଏଭଳି ପରିସ୍ଥିତିରେ କେବଳ ଗଣମାଧ୍ୟମରେ ଆସିବା ପାଇଁ ସାହାଯ୍ୟ ନାଁରେ ଠକେଇ କରିବା ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି ସେ କହିଛନ୍ତି । ଏହାସହ ବବି ମିଶ୍ର କହିଛନ୍ତି କି, ଯେ ପାଞ୍ଚେ ପର ମନ୍ଦ ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ଉପରବାଲା ତାଙ୍କୁ ନିଶ୍ଚୟ ଖୁବ ଶୀଘ୍ର ଏହାର ପ୍ରତିଫଳ ଦେବେ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।