ଆପଣଙ୍କ ଅଣ୍ଟା ବ୍ୟଥା (Back Pain) କୌଣସି ଗୁରୁତର ସ୍ନାୟୁ ସମସ୍ଯାର ଫଳାଫଳ ନୁହେଁ ତ ? କେତେବେଳେ ଡାକ୍ତର ଦେଖାଇବେ ଓ କେମିତି ଚିକିତ୍ସା କରିବେ ? Dr. Rajendra Sahoo

ଅଣ୍ଟା ବ୍ୟଥା ଆଜିର ସମୟରେ ଦେଖା ଦେଉଥିବା ଏକ ସାଧାରଣ ସମସ୍ଯା । ପୁରା ବିଶ୍ବରେ ଥଣ୍ଡା, କାଶ ଓ ଛିଙ୍କ ପରେ ଅଧିକାଂଶ ଲୋକ ଅଣ୍ଟା ବ୍ୟଥା ସମସ୍ଯା ନେଇ ଡାକ୍ତରଙ୍କ ପାଖକୁ ଆସିଥାନ୍ତି । ତେବେ ଅଣ୍ଟା ବ୍ୟଥାର ଅନେକ କାରଣ ରହିଛି । ଆମ ମେରୁଦଣ୍ଡ ହାଡରେ ଥିବା ପ୍ରତିଟି ଗଣ୍ଠି ବା ଡିସ୍କ ମଧ୍ୟରେ ମଧ୍ୟରେ ଜେଲି ପ୍ରକାରର ଏକ ପଦାର୍ଥ ରହିଥାଏ, ଯାହା ଆମ ଅଣ୍ଟା ବା ମେରୁଦଣ୍ଡର କାର୍ଯ୍ୟକୁ ସହଜ କରିଥାଏ । ଅଣ୍ଟା ବ୍ୟଥାର ଏକ ପ୍ରମୁଖ କାରଣ ହେଉଛି ସିଆଟିକା ବା ସ୍ଲିପଡ୍ ଡିସ୍କ ।

ଆମ ମେରୁଦଣ୍ଡରୁ ଅନେକ ଶିରା ପ୍ରଶିର ଓ ସ୍ନାୟୁ ବାହାରି ଆମ ଶରୀରର ବିଭିନ୍ନ ଅଙ୍ଗକୁ ଯାଇଛି ଓ ପଛପଟେ ସ୍ପାଇନାଲ କର୍ଡ ରହିଛି । ତେବେ ସ୍ଲିପ ଡିସ୍କ ମାନେ ଆମ ମେରୁଦଣ୍ଡରେ ଥିବା ଡିସ୍କ ବା ଗଣ୍ଠି କୌଣସି କାରଣରୁ ତା’ ସ୍ଥାନରୁ ଘୁଞ୍ଚିଯାଏ । ଡିସ୍କ ଯଦି କୌଣସି କାରଣରୁ ଖସିଯାଏ ତେବେ ଏହା ସ୍ନାୟୁ ଉପରେ ଚାପି ହୁଏ, ଫଳରେ ଅଣ୍ଟା ବ୍ୟଥା ଆରମ୍ଭ ହୁଏ । ସ୍ଲିପ ଡିସ୍କ ହେଲେ ପ୍ରଥମ ଲକ୍ଷଣ ହେଉଛି ଅଣ୍ଟା ବ୍ୟଥା ହୁଏ ।

ଏହି ବ୍ୟଥା ସ୍ନାୟୁ ମାଧ୍ୟମରେ ଆମ ଅଣ୍ଟାରୁ ଆରମ୍ଭ ହୋଇ ଗୋଡକୁ ଯାଏ । ତେଣୁ ଗୋଡ ଝିମଝିମ୍ ଲାଗିବା, ଛୁଞ୍ଚି ଫୋଡି ହେବା ପରି ଲାଗିବା, ଟାଣି ଧରିବା, ସିରସିର୍ ଲାଗିବା, କାଲୁଆ ଲାଗିବା କିମ୍ବା ଭାରି ଲାଗିବା ଭଳି ସମସ୍ଯା ଦେଖା ଦେଇଥାଏ । ସିଆଟିକା ବା ସ୍ଲିପ ଡିସ୍କ ର ଏହା ହେଉଛି ମୁଖ୍ୟ ଲକ୍ଷଣ ।

ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ 30 ରୁ 40 ପ୍ରତିଶତ ଅଣ୍ଟା ବ୍ୟଥାର କାରଣ ଏହି ସ୍ଲିପ ଡିସ୍କ ଯୋଗୁଁ ହୋଇଥାଏ । ଏଭଳି ସମସ୍ଯା ସାଧାରଣତଃ 50ରୁ ଉର୍ଦ୍ଧ୍ଵ ଲୋକଙ୍କ ଠାରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିକାଲି ମଧ୍ୟ ବୟସ୍କଙ୍କ ଠାରେ ମଧ୍ୟ ଏହି ସମସ୍ୟା ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ଡିଆଁ କୁଦା କରିବା, ଜିମ୍ ଯିବା, ଭାରି ଜିନିଷ ଉଠାଇବା ଦ୍ଵାରା ଅନେକ ସମୟରେ ଏହି ସମସ୍ଯା ଅଳ୍ପରୁ ଆରମ୍ଭ ହୋଇ ଧୀରେ ଧୀରେ ବଢିଥାଏ ।

ଅଳ୍ପ ଯନ୍ତ୍ରଣା ହେଲେ ଲୋକେ ପେନକିଲର ଖାଇ ରହିଯାନ୍ତି ଓ କାଳକ୍ରମେ ଏହି ସମସ୍ଯା ବଢିବାକୁ ଲାଗେ । କେବେ କେବେ ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ଲିପ ଡିସ୍କ ହୋଇଥାଏ । ଡାକ୍ତର ଏକ୍ସ-ରେ ଏବଂ ଏମଆରଆଇ ମାଧ୍ୟମରେ ଏହି ସମସ୍ୟାର ଚିହ୍ନଟ କରିଥାନ୍ତି ।

ତେବେ ଖୁସିର କଥା ହେଉଛି କିଛି ଲୋକଙ୍କର ବିନା ସର୍ଜରୀରେ ମଧ୍ୟ ଏହି ସିଆଟିକା ସମସ୍ଯା ପ୍ରାଥମିକ ସ୍ତରରୁ ଭଲ ହୋଇଯାଏ । ପ୍ରାୟ 80ରୁ 90% ଲୋକଙ୍କୁ ବିଶେଷ ଚିକିତ୍ସା ଦରକାର ହୋଇ ନଥାଏ । କିଛିଦିନ ପେନକିଲର ଖାଇବା ଦ୍ଵାରା ଓ କିଛି ଥେରାପି ଦ୍ଵାରା ଏହି ସମସ୍ଯା ଭଲ ହୋଇଯାଏ ।

କିନ୍ତୁ ଏହି ସମସ୍ଯା ଯେଉଁ ମାନଙ୍କର ବଡ ଆକାରରେ ଥାଏ ସେମାନଙ୍କୁ ସର୍ଜରୀର ଆବଶ୍ୟକ ପଡିଥାଏ । ଏମାନଙ୍କୁ ଛାଡି କିଛି ବିଶ୍ରାମ ନେବା ଦ୍ଵାରା ଓ ଥେରାପି କରିବା ଦ୍ଵାରା ଏହି ସମସ୍ଯା ଭଲ ହୋଇଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।