ଜନ୍ମାଷ୍ଟମୀରେ ଭୟଙ୍କର ବନ୍ୟା ତା’ ମା’ଠାରୁ କାହ୍ନାକୁ ଛଡେଇ ନେଇଛି । କାହ୍ନା ବିନା ମା’ର କୋଳ ଆଜି ଫାଙ୍କା । ରାତିରେ କାହ୍ନାକୁ ପୂଜା କରିଥାନ୍ତେ ହେଲେ କିଏ ଜାଣିଥିଲା ତାଙ୍କ କୋଳରୁ ପୁଅ ଚାଲିଯିବ ବୋଲି । ଘର ବାହାରେ ବନ୍ୟା ପାଣିରେ ଟ୍ଯୂବ ଧରି ପହଁରିବ ବୋଲି ବୋଉକୁ କହି ଗାଧୋଇବା ପାଇଁ ଯାଇଥିଲା ପୁଅ । ପୁଅ କେବଳ ଏକା ନୁହେଁ ବରଂ ତା’ ସାଙ୍ଗରେ ଗାଁ’ର ଆହୁରି ଚାରିଜଣ ପିଲା ବି ଯାଇଥିଲେ । ସମସ୍ତେ ମିଶି ବନ୍ୟା ପାଣିରେ ଗାଧୋଇବେ ବୋଲି ବୋଉକୁ କହିଥିଲା ।
ଆଉ ତା’ ସାଙ୍ଗକୁ ବୋଉକୁ ଅରୁଆ ଭାତ ଓ ଡାଲମା କରି ରଖିବା ପାଇଁ ମଧ୍ୟ ବରାଦ ଦେଇଥିଲା । ପାଣିରେ ସୁଅ ବହୁତ ଥିବାରୁ ମା ପୁଅକୁ ବାଗେଇକି ଗାଧୋଇବା ପାଇଁ କହିଥିଲେ । ପୁଅ ବି କହିଥିଲା ହଁ ମା ମୁଁ ଭଲରେ ଗାଧୋଇବି ତୁ ବ୍ୟସ୍ତ ହଅ ନା । ମା ସହ ଏମିତି କଥା ହୋଇ ଗେହ୍ଲା ପୁଅ ଘରୁ ବାହାରି ଯାଇଥିଲା ବନ୍ୟା ପାଣିରେ ଟ୍ଯୂବ ଧରି ଗାଧୋଇବା ପାଇଁ । ହେଲେ କିଏ ଜାଣିଥିଲା ଘରୁ ଗାଧୋଇବା ପାଇଁ ଯାଇଥିବା ପୁଅ ଆଉ କେବେବି ଫେରିବନି ବୋଲି ।
ବନ୍ୟା ସବୁଦିନ ପାଇଁ ତାଙ୍କ କୋଳରୁ ପୁଅକୁ ଛଡେଇ ନେବ ବୋଲି ବୋଉ ଜାଣି ନଥିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆଠଗଡ ବ୍ଲକ ମଞ୍ଚେଶ୍ଵର ପଞ୍ଚାୟତ ବ୍ରାହ୍ମଣବସ୍ତ ଗାଁରେ । ଖବର ଅନୁଯାୟୀ ସେହି ଗାଁର ପ୍ରଶାନ୍ତ ରାଉତଙ୍କ ପୁଅ ପ୍ରଦ୍ଯୁମ୍ନ ରାଉତ ଘରୁ ଟ୍ଯୂବ ଧରି ସକାଳୁ ଗାଧୋଇବା ପାଇଁ ବାହାରିଥିଲେ ।
ତାଙ୍କର ଚାରିଜଣ ସାଙ୍ଗଙ୍କ ସହ ସେ ବନ୍ୟା ପାଣିରେ ଗାଧୋଉଥିଲେ । କିଛି ସମୟ ଗାଧୋଇବା ପରେ ସେ ଧୀରେ ଧୀରେ ବନ୍ୟା ସ୍ରୋତରେ ଭାସିବାକୁ ଲାଗିଲେ । ଆଉ କିଛି କ୍ଷଣରେ ପୁରା ବନ୍ୟା ପାଣି ମଝିକୁ ସେ ଭାସି ଯାଇଥିଲେ ଏବଂ ନିୟନ୍ତ୍ରଣ ହରେଇ ପାଣିରେ ବୁଡିବାକୁ ଲାଗିଥିଲେ । ଗାଁ ଲୋକେ ଖବର ପାଇଁ ଉଦ୍ଧାର ପାଇଁ ପାଣିକୁ ଯିବା ବେଳକୁ ସବୁ ଶେଷ ହୋଇ ଯାଇଥିଲା । ୫ ଜଣଙ୍କୁ ଉଦ୍ଧାର କରା ଯାଇଥିଲା ସତ ।
ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଉ ଏପଟେ ମୃତ ପୁଅକୁ ଧରି ମା ବାହୁନି କାନ୍ଦୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।