କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ତେବେ ଏହା ପଛର କାରଣ କଣ ହୋଇପାରେ ? ଛତିଶଗଡର ଏକାଧିକ ବ୍ୟାରେଜ ନିର୍ମାଣ ନା ହୀରାକୁଦ ଡ୍ୟାମ ପଙ୍କରେ ପୋତି ହୋଇ ପଡ଼ୁଥିବାରୁ ସୃଷ୍ଟି ହେଉଛି ସମସ୍ଯା ? ଛତିଶଗଡ ଏବଂ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ବରଗଡ ଜିଲ୍ଲାର ଅନେକ ଗାଁ’ରେ ପାଣି ପଶିଯାଇଛି ।

ଏହାସହ ତଳମୁଣ୍ଡରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ ଜଗତସିଂପୁର, କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧ ଏବଂ ୨୦୨୦ରେ ମଧ୍ୟ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା । ତେବେ ଏଥର କମ୍ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇପଡିଛି । ତେବେ ଏହାକୁ ନେଇ ରାଜ୍ୟ ସରକାର କିମ୍ବା ଜଳ ସମ୍ପଦ ବିଭାଗ ନିକଟରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ।
୧୯୬୨ ମସିହାରେ ହୀରାକୁଦ ଡ୍ୟାମ କାର୍ଯ୍ୟକ୍ଷମ ହେବା ପରେ ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ଲାଗି ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେଉଛି କି ? ଡ୍ୟାମ ତଳମୁଣ୍ଡରେ ୭ଟି ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ସେଥିରୁ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।

ଫଳରେ ମହାନଦୀର ଉପରମୁଣ୍ଡରେ ବର୍ଷା ହେଲେ ପ୍ରତିଥର ତଳମୁଣ୍ଡରେ ଥିବା ଜିଲ୍ଲାବାସୀଙ୍କୁ ବନ୍ୟା କଷ୍ଟ ଭୋଗିବାକୁ ପଡୁଛି । ହୀରାକୁଦ ମାଟିବନ୍ଧକୁ ୬୪ ବର୍ଷ ପୁରିଲାଣି । ଏହା ସତ୍ତ୍ୱେ ତଳିଆ ଅଞ୍ଚଳକୁ ବଢିରୁ ବଞ୍ଚାଇବାକୁ ଯାଇ ଅନେକ ସମୟରେ ଜଳଭଣ୍ଡାରରେ ଅଧିକ ଜଳ ରଖିବାକୁ ପଡୁଛି । ଯେମିତିକି ଏଥର ପ୍ରାୟ ୬୨୭ ଫୁଟ୍ ଜଳ ରଖିବାକୁ ପଡିଛି । ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହୁଛି ।
ତେଣୁ ବର୍ଷାଦିନେ ବନ୍ୟାଜଳର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଡ୍ୟାମର ଉପରମୁଣ୍ଡରେ ଗେସ୍ ଷ୍ଟେସନ ପ୍ରତିଷ୍ଠାର ଆବଶ୍ୟକତା ଥିବା କୁହାଯାଉଛି । ଭୌଗଳିକ ସ୍ଥିତି ଓ ବର୍ଷା ପ୍ୟାଟର୍ଣ୍ଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ୧୯୮୮ ପରଠାରୁ ଡ୍ୟାମର ରୁଲ୍ କର୍ଭରେ ସଂଶୋଧନ କରାଯାଇନି । ସେଥିପାଇଁ ବନ୍ୟା ପରିଚାଳନାରେ ଅସୁବିଧା ହେଉଥିବା କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।