ରାସ୍ତାରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଅଟୋ ଓ ବାଇକ ଆରୋହିଙ୍କୁ ସାମ୍ନାରୁ ଦ୍ରୁତଗତିରେ ମାଡି ଆସୁଥିବା ଏକ କାର୍ ଧକ୍କା ଦେବା ପରେ ଘଟିଯାଇଛି ଭୟଙ୍କର ଦୁର୍ଘଟଣା । ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସୋନପୁର- ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବଡବାହାଲି ଛକ ନିକଟରେ ଘଟିଯାଇଛି ଏଭଳି ମର୍ମନ୍ତୁଦ ଘଟଣା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଟାର୍ଗେଟରେ ଆସିଥିଲା ଦୁର୍ଘଟଣା ଘଟାଇଥିବା କାର୍ ।
କାରଣ ଏହି କାର୍ ରେ ଜଣେ ପୋଲିସ ଇନ୍ସପେକ୍ଟର ଯାଉଥିଲେ ଯିଏ ଦୁର୍ଘଟଣା ପରେ କାର୍ ଛାଡି ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଏବଂ ପୋଲିସ ଆହତଙ୍କୁ ଉଦ୍ଧାର କରିବା ପରେ ସେହି କାର୍ ଭିତରୁ ଏକ ପୋଲିସ ଡ୍ରେସ ମିଳିଥିଲା । ସେଥିରେ ଲାଗିଥିବା ନେମ୍ ପ୍ଲେଟରେ ଲେଖାଥିଲା ସ୍ନିଗ୍ଧାରାଣୀ ସୁନା, ଇନ୍ସପେକ୍ଟର ଅଫ ପୋଲିସ ଲେଖଥିଲା । ସେହି ଗାଡିର ମାଲିକ ମଧ୍ୟ ସ୍ନିଗ୍ଧାରାଣୀ ନିଜେ ବୋଲି ପୋଲିସ ଜାଣିବାକୁ ପାଇଥିଲା ।
ସୋନପୁର ଏସପି ଅମରେଶ ପଣ୍ଡାଙ୍କ ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟରତ ସ୍ନିଗ୍ଧାରାଣୀ ଭୋର ସମୟରେ ପୁରୀରୁ ରଥ ଡ୍ଯୁଟି ସାରି ଫେରୁଥିଲେ ଓ ତାଙ୍କ ଡ୍ରାଇଭର କାର୍ ଚଲାଉଥିଲା । ବଡବାହାଲି ଛକ ନିକଟରେ ସାମ୍ନାପଟେ ଠିଆ ହୋଇଥିବା ଏକ ଅଟୋକୁ ରଙ୍ଗ୍ ସାଇଡକୁ ଯାଇ ଧକ୍କା ଦେଇଥିଲା ତାଙ୍କ କାର ।
ଯାହା ଅଟୋରେ ଥିବା ସ୍କ୍ରାଚ ମାର୍କକୁ ସ୍ପଷ୍ଟ ଜଣାପଡୁଛି ବୋଲି ସୋନପୁର ଏସପି କହିଛନ୍ତି । ଫଳରେ ସେମାନେ ଭୟରେ ଗାଡି ଛାଡି ସେଠାରୁ ପଳାଇ ଯାଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ସବୁଦିନ ଭଳି ସେମାନେ ପନିପରିବା ଚାରା ବିକ୍ରି ପାଇଁ ବଲାଙ୍ଗୀର ରାଘବପାଲି ଅଞ୍ଚଳରୁ ସୋନପୁର ଅଭିମୁଖେ ଯାଉଥିଲେ ।
କିନ୍ତୁ କିଏ ଜାଣିଥିଲା କି ଏମାନଙ୍କୁ ଅଧା ରାସ୍ତାରେ ମୃତ୍ୟୁ ଅପେକ୍ଷା କରି ରହିଥିଲା । ଅଟୋ ନିକଟରେ ଛିଡା ହୋଇଥିବା ଜଣେ ବାଇକ ଆରୋହି ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ୬ ଜଣ ଗୁରୁତରଙ୍କୁ ବଲାଙ୍ଗୀର ଓ ସୋନପୁର ଡାକ୍ତରଖାନାକୁ ନିଆ ଯାଇଥିବା ବେଳେ ଆଉ ଜଣେ ଅତି ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଜଣେ ପୋଲିସ ଅଧିକାରୀଙ୍କ ଗାଡି ଏଭଳି ଘଟାଇ ଫେରାର ହୋଇ ଯାଇଥିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ । କ୍ଷତିପୂରଣ ଦାବି ଏବଂ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ଜାତୀୟ ପଥରେ ଚାରିଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା ।
ସୋନପୁର ଉପଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ହଟିଥିଲା ଆନ୍ଦୋଳନ । ତେବେ ମହିଳା ଇନ୍ସପେକ୍ଟର ଓ ତାଙ୍କ ଡ୍ରାଇଭର ବଲାଙ୍ଗୀରକୁ ଧରା ପଡିଥିବା ନେଇ ସୂଚନା ଦେଇଛି ସୋନପୁର ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।