ଜବରଦଖଲ ଜମିକୁ ନେଇ ତହସିଲଦାର ଓ ଆଇନଜୀବୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ । ଏଭଳି ଏକ ଦୃଶ୍ୟ ଦେଖି ରାସ୍ତା ଉପରେ ଲୋକଙ୍କ ଭିଡ ଲାଗି ଯାଇଥିଲା । ଜଣେ ତହସିଲଦାର ଓ ଆଇନଜୀବୀ ଜବରଦଖଲ ଜମିକୁ ନେଇ ମୁହାଁମୁହିଁ ହେଲେ । ମିଳିଥିବା ସୂଚନା ଅନୁଯାୟୀ ଆଜି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାଏକ ନିଜେ ଜେସିବି ଧରି ଗଞ୍ଜାମ ବଡବଜାର ସ୍ଥିତ କନ୍ଧ ଶତପଥୀଙ୍କ ନିଜ ଘର ପଛପଟ ସରକାରୀ ଜମିରେ ଘର କରିଥିବା ନେଇ ଜବରଦଖଲ ଜମି ଉଚ୍ଛେଦ କରିବା ପାଇଁ ସେଠାରେ ଯାଇ ପହଞ୍ଚିଥିଲେ ।

ଏହାପରେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ ଏହି ଜମି ପାଇଁ କେସ ଲଢୁଥିବା ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ । ଏହି ଜମିକୁ ନେଇ ଏବେବି କୋର୍ଟରେ କେସ୍ ଚାଲୁଥିବା ବେଳେ ଏହି ଜାଗାରେ ଘର କରିଥିବା ବ୍ୟକ୍ତିଙ୍କ ଘର ଭାଙ୍ଗିବାକୁ ସମୟ ଦିଆଯାଇ ନାହିଁ ବୋଲି ଯୁକ୍ତି ବଢିଥିଲେ ଆଇନଜୀବୀ । ଖାଲି ସେତିକି ନୁହେଁ ବରଂ ତାଙ୍କ ମହକିଲ ଦେଇଥିବା ଦରଖାସ୍ତଟି ଚିରି ମୁହଁକୁ ଫିଙ୍ଗିଦେବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା ।
ଜମି ଉଚ୍ଛେଦକୁ ନେଇ ଏଭଳି ଦୁଇଜଣଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଉଭୟ ତହସିଲଦାର ଓ ଆଇନଜୀବୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା । ଆଇନଜୀବୀ ଓ ତହସିଲଦାର ପରସ୍ପରକୁ ତୁ ତା ରେ ରା କହିବା ସହ ଉଭୟଙ୍କ ମଧ୍ୟରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଗାଳିଗୁଲଜ ଓ ଝଗଡା ଲାଗି ରହିଥିଲା ।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ପୋଲିସ ଉପସ୍ଥିତିରେ ଏସବୁ ଜାରି ରହିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତି ଥିବା ବେଳେ ହିଁ ଦୁହେଁ ଦୁହିଁଙ୍କ ଶକ୍ତି ପ୍ରଦର୍ଶନ କରୁଥିଲେ । ଏହାପରେ ଘଟଣା ଏତେ ବଢି ଯାଇଥିଲା ଯେ ଘଟଣାସ୍ଥଳରେ ଜଣ ସାଧାରଣ ରୁଣ୍ଡ ହୋଇ ଯାଇଥିଲେ । ତହସିଲଦାର ଜେସିବି ନେଇ ଆସିଥିବା ବେଳେ ଘରର ମହିଳାମାନେ ଜେସିବି ସାମ୍ନାରେ ବସି ରହିଥିଲେ । ଯାହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ପରବର୍ତ୍ତୀ ସମୟରେ ତହସିଲଡାର ଅରୁଣ କୁମାର ନାଏକ ସେଠାରୁ ଫେରି ଆସିଥିଲେ । ତେବେ ତହସିଲଦାର ଓ ଆଇନଜୀବୀଙ୍କ ମଧ୍ୟରେ ପାଟିତୁଣ୍ଡ ସମୟର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।