୧୯୪୮ ମସିହାରେ କଟକ ବାରବାଟୀ ଦୁର୍ଗ ପାଖ ପୋଲିସ ପଡିଆରେ ଏକ ବିରାଟ ଫୁଟବଲ ମ୍ଯାଚର ଆୟୋଜନ ହୋଇଥିଲା । ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ମୁଖ୍ୟ ଅତିଥି ହୋଇ ଆସିଥିଲେ । କଲିକତାର ଭବାନିପୁର ଫୁଟବଲ କ୍ଲବ ଏବଂ ଓଡିଶା ଇଲେଭେନ ଭିତରେ ଖେଳା ଯାଇଥିବା ଏହି ମ୍ଯାଚ ଦେଖିବାକୁ ଏତେ ଭିଡ ଜମିଥିଲା ଯେ ଶେଷରେ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ଅସମର୍ଥ ହୋଇଥିଲା ।
ସ୍ୱଳ୍ପ ଜାଗା ଓ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଉଭୟ ଦର୍ଶକ ଓ ଖେଳାଳିଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଏହା ଦେଖି ସେହି ସ୍ଥାନରେ ଏକ ବଡ ଷ୍ଟାଡିୟମ ସହ ଏକ ସ୍ପୋର୍ଟସ୍ କମ୍ପ୍ଲେସ ବନାଇବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ । ସେହିଠାରୁ ହିଁ ବାରବାଟୀ ଷ୍ଟାଡିୟମ ନିର୍ମାଣର ନିଅଁ ପଡିଥିଲା ।
ଆଜି କଟକର ଛାତି ଉପରେ ଠିଆ ହୋଇ ଓଡିଶାର ଗୌରବକୁ ପୁରା ବିଶ୍ବରେ ବଖାଣୁଛି ଏହି ବାରବାଟୀ ଷ୍ଟାଡିୟମ । ସରକାରୀ କ୍ଵାର୍ଟର ବନିବାକୁ ଥିବା ଜାଗାରେ ବିଶ୍ଵ ପ୍ରସିଦ୍ଧ ଷ୍ଟାଡିୟମ ବନିବା ଏତେ ବି ସହଜ ନଥିଲା । ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେହିଦିନ ସରକାରୀ ସହାୟତାରେ ପ୍ରତିଶ୍ରୁତି ଦେଇଥିଲେ ଓଡିଶାର ତତ୍କାଳୀନ ରାଜ୍ୟପାଳ ଅସଫ ଅଲ୍ଲୀ । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ ।
କିନ୍ତୁ ସେତେବେଳେ ବାରବାଟୀ ନିର୍ମାଣର ଦାୟିତ୍ଵ ବୁଝୁଥାନ୍ତି ଜାତୀୟ ସ୍ତରରେ ଓଡିଶାର ଖେଳ ଓ ଖେଳାଳିଙ୍କୁ ପରିଚୟ ପ୍ରଦାନ କରିବା ପଛର ମହାନାୟକ ତଥା ବାରବାଟୀ ଷ୍ଟାଡିୟମ ନିର୍ମାଣର ମୁଖ୍ୟ ବିନ୍ଧାଣି ଏବଂ କିଶାନ ନଗରର ତତ୍କାଳୀନ ବିଧାୟକ ଭୈରବ ଚନ୍ଦ୍ର ମହାନ୍ତି । କୁହାଯାଏ କି ସେଦିନ ସଭାରେ ଏପରି ଏକ ଘୋଷଣା ପଛରେ ମଧ୍ୟ ତାଙ୍କର ସବୁଠୁ ବଡ ଅବଦାନ ରହିଛି ।
ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା କରି ସରକାର ସେଥିରୁ ଓହରି ଯିବାପରେ ଭୈରବ ଭାଙ୍ଗି ପଡିଥିଲେ ସତ କିନ୍ତୁ ହାର୍ ମାନି ନଥିଲେ । ଲୋକଙ୍କ ପାଇଁ ଷ୍ଟାଡିୟମ ନିର୍ମାଣ ପାଇଁ ଲୋକଙ୍କ ଠାରୁ ଟଙ୍କା ଆସୁ ବୋଲି ଚିନ୍ତା କରି ସେ ଯାହାବି ପଦକ୍ଷେପ ନେଲେ ତାହା ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଗଲା । ଲଟେରୀ ମାଧ୍ୟମରେ ଟଙ୍କାଟେ ଲେଖାଏଁ ଓଡିଶାବାସୀଙ୍କ ଠାରୁ ଆଣିବାର ଲକ୍ଷ୍ୟ ଧାର୍ଯ୍ୟ ହେଲା ।
ସେହି ସମୟରେ ଏହି ଅଭିଯାନ ଓଡିଶାରେ ବେଶ ଲୋକପ୍ରିୟତା ହାସଲ କରିଥିଲା । ଶେଷରେ ଲୋକଙ୍କ ଠାରୁ ଆଦାୟ ହୋଇଥିବା ଟଙ୍କାରେ ନିର୍ମାଣ ହେଲା ଭାରତର ପ୍ରଥମ କମ୍ପୋଜିଟ ଷ୍ଟାଡିୟମ । ପାଖରେ ଓଡିଶାର ଇତିହାସ ବହନ କରୁଥିବା ବାରବାଟୀ ଦୁର୍ଗର ନାମ ଅନୁସାରେ ଏହାର ନାମ ମଧ୍ୟ ବାରବାଟୀ ଷ୍ଟାଡିୟମ ରଖାଗଲା ।
ଆଜି ଏହି ଷ୍ଟାଡିୟମରେ ଆନ୍ତର୍ଜାତୀୟ କ୍ରିକେଟ ଠାରୁ ନେଇ ଫୁଟବଲ ଏମିତିକି ହକି ଏବଂ ବିଭିନ୍ନ ସମୟରେ ରାଜ୍ୟସ୍ତରୀୟ କ୍ରୀଡାର ମଧ୍ୟ ଆୟୋଜନ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।