ଗୋଟିଏ ଫ୍ରେମରେ ଆସିଲେ ଦୁଇ ନେତା । ଅଭିନେତାରୁ ରାଜନେତା ପାଲଟିଥିବା ଦୁଇ ସାଂସଦଙ୍କୁ ଏବେ ଚର୍ଚ୍ଚା ଜୋର ଧରିଛି । ଜଣେ ହେଲେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଆଉ ଜଣେ ହେଲେ ଭୋଜପୁରୀ ଅଭିନେତା ମନୋଜ ତିୱାରୀ । ଦୁଇ ଜଣ ଫିଲ୍ମ ଷ୍ଟାର ହେଲେ ମଧ୍ୟ ଅଲଗା ଅଲଗା ଦଳରୁ ସାଂସଦକୁ ଯାଇଛନ୍ତି । ଏବେ ଦୁଇଜଣଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ମନୋଜ ତିୱାରୀ ନିଜେ ଭିଡିଓ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ।
ଦିଲ୍ଲୀର ବିଜେପି ସାଂସଦ ମନୋଜ ତିୱାରୀ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ଦେଢ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି । ସେଥିରେ ସେ କହୁଛନ୍ତି ଅନୁଭବ ମହାନ୍ତି ସବୁଠୁ କମ୍ ବୟସରେ ରାଜ୍ୟସଭାର ସାଂସଦ ବନିଥିଲେ । ମାତ୍ର ୩୨ ବର୍ଷ ବୟସରେ ସେ ସାଂସଦକୁ ଆସିଥିଲେ । ଆଉ ଏକଥାକୁ ଅନୁଭବ ମଧ୍ୟ ସ୍ଵୀକାର କରୁଛନ୍ତି । ଆଉ ମାତ୍ର ୩୨ ବର୍ଷ ବୟସରେ ସାଂସଦ ହେବାକୁ ନେଇ ସେସମୟରେ ଗୃହରେ ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ବୋଲି ଅନୁଭବ କହୁଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବୱାଲଙ୍କ ଆମ୍ ଆଦମୀ ପାର୍ଟିର ଦାବିକୁ ମିଥ୍ୟା ପ୍ରମାଣିତ କରିବାକୁ ଯାଇ ମନୋଜ ତିୱାରୀ ନିଜେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଉଦାହରଣ ଦେଇଛନ୍ତି । ପଞ୍ଜାବରେ ବିପୁଳ ବିଜୟ ପରେ ଆପ୍ ୫ଜଣଙ୍କୁ ସାଂସଦକୁ ପଠାଇବାକୁ ନିଷ୍ପତ୍ତି ନେଇଛି । ଆଉ ଏହି ତାଲିକାରେ ଅଛନ୍ତି ଆପ୍ ବିଧାୟକ ରାଘବ ଜେଠା । ୩୩ ବର୍ଷୀୟ ରାଘବ ସର୍ବ କନିଷ୍ଠ ରାଜ୍ୟସଭା ସାଂସଦ ବୋଲି ଆପ୍ ପକ୍ଷରୁ ଦାବି କରାଯାଉଛି ।
ଆଉ ଏହା ଉପରେ ପ୍ରତିକ୍ରିୟା ରଖି ମନୋଜ ତିୱାରୀ କେଜ୍ରିୱାଲଙ୍କୁ ମିଛୁଆ କହିବା ସହ ଅନୁଭବଙ୍କୁ ସର୍ବ କନିଷ୍ଠ ସାଂସଦ ବୋଲି କହିଛନ୍ତି । କଣ୍ଟାକୁ କଣ୍ଟାରେ କଢାଯାଏ ଆଉ ଏହି କଥାକୁ ପ୍ରମାଣିତ କରିବାକୁ ଯାଇ କେଜ୍ରିୱାଲଙ୍କୁ ମଦ ମାରିଛନ୍ତି ବିଜେପି ସାଂସଦ ମନୋଜ ତିୱାରୀ । ସଂସଦ ବାହାରେ ସେ ଅନୁଭବଙ୍କୁ ସାଥିରେ ନେଇ ଏକ ଭିଡିଓ ତିଆରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତେରେଛା ମାଡ ମାରିଛନ୍ତି ମନୋଜ ତିୱାରୀ ।
ଏହାସହ ସେ କହିଛନ୍ତି କେଜ୍ରିୱାଲ ସଂସଦରୁ କିଛି ଶିଖିବା ଉଚିତ କାରଣ ସେ ବୟସ ବଢିବା ସହ ମିଛ ବି କହିବାକୁ ଲାଗିଲେଣି । ୨୦୧୩ ଏପ୍ରିଲରେ ବିଜେଡିରେ ସାମିଲ ହୋଇଥିଲେ ଅନୁଭବ ମହାନ୍ତି । ଆଉ ୨୦୧୪ରେ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା । ଏହାପରେ ୨୦୧୯ରେ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲୋକସଭା ସାଂସଦ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।