ଋଷ ଠାରୁ ଅଶୌଧିତ ତୈଳ କିଣିବ ଭାରତ । ଦୁଇ ଦେଶ ମଧ୍ୟରେ ଏନେଇ ଚୁକ୍ତି ଚୁଡାନ୍ତ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳର ଦର ବୃଦ୍ଧି ପାଇଥିବା ବେଳେ ଦେଶର ଅଗ୍ରଣୀ କମ୍ପାନୀ ଇଣ୍ଡିଆନ ଅଏଲ ଏବଂ ଋଷର ତେଲ କମ୍ପାନୀ ମଧ୍ୟରେ ଚୁଡାନ୍ତ ହୋଇଛି ଡିଲ୍ । ଚୁକ୍ତି ଅନୁଯାୟୀ ଇଣ୍ଡିଆନ ଅଏଲ ୩ ମିଲିୟନ ବ୍ୟାରେଲ ଅଶୌଧିତ ତେଲ କିଣିବ । ଦୁଇ ଦେଶ ମଧ୍ୟରେ ଅଶୌଧିତ ତେଲ କିଣା ବିକାକୁ ନେଇ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଏପରି ଏକ ଡିଲ୍ ହୋଇଛି ।
ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତେଲ ଦର ଆକାଶ ଛୁଆଁ ହେଉଥିବା ବେଳେ ଭାରତ ପାଇଁ କିନ୍ତୁ ଏହି ଡିଲ୍ ଆଶ୍ବସ୍ତିକର ହୋଇଛି । ଏବେ ଭାରତ ନିଜ ଆବଶ୍ୟକତାର ୧ ପ୍ରତିଶତ ଋଷ ପାଖରୁ ତେଲ କିଣୁଛି । କାରଣ ଋଷ ପାଖରୁ ତେଲ ଆଣିବା ବେଳେ ଅଧିକ ପରିବହନ ମୂଲ୍ୟ ଦେବାକୁ ପଡେ । ତେଣୁ ଏହି ଡିଲ୍ ପରେ ଭାରତର ଅନେକ ତେଲ କମ୍ପାନୀ ଶସ୍ତାରେ ଅଶୌଧିତ ତେଲ କିଣିବେ ବୋଲି ଜଣାପଡିଛି ।
ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆମେରିକା ସମେତ ଅନ୍ୟ ୟୁରୋପୀୟ ଦେଶ ଗୁଡିକ ଋଷିଆର ତେଲ ଉପରେ କଟକଣା ଲଗାଇଛନ୍ତି । ଆଉ ଏହି ସମୟରେ ଭାରତକୁ ରିହାତି ଦରରେ ତେଲ କିଣିବା ପାଇଁ ପ୍ରସ୍ତାବ ରଖିଥିଲା ଋଷ । ଆଉ ଋଷର ଏହି ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି । ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ଭାରତ ଏହି ସହ ଆଗକୁ ବଢିଛି । ଭାରତ ଅଶୌଧିତ ତେଲ କିଣିଲେ କୌଣସି ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ ହେବ ନାହିଁ ।
କିନ୍ତୁ ଆକ୍ରମଣ କରୁଥିବା ଦେଶ ପାଖରୁ ଭାରତ ତେଲ କିଣିବା ଦ୍ଵାରା ଇତିହାସରେ ଭାରତର ଛବି ଖରାପ ହେବ ବୋଲି ଆମେରିକା ପରୋକ୍ଷରେ କହିଛି । ଏହାର ଜବାବ ଦେଇ ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚୀ କହିଥିଲେ, ତେଲ କିଣାକୁ ନେଇ ଅଯଥା ରାଜନୀତି ହେଉଛି । ଭାରତ ତେଲ ଉପରେ ଆତ୍ମନିର୍ଭର ନୁହେଁ । ତେଣୁ ପ୍ରତିଯୋଗୀତା ମୂଳକ ବଜାରରେ ଭାରତ ସମସ୍ତ ଦିଗକୁ ବିଚାର କରି ତେଲ କିଣିବାରେ କୌଣସି ଅସୁବିଧା ନାହିଁ ।
ପୂର୍ବରୁ ଋଷ ନିର୍ମିତ ଏସ-୪୦୦ ମିଶାଇଲ ସିଷ୍ଟମ ଭାରତୀୟ ମୁଦ୍ରାରେ ଋଷ ପାଖରୁ କିଣିଥିଲା ଭାରତ । ସେତେବେଳେ ଟଙ୍କା ପଇସାର କାରବାର ଭାରତୀୟ ମୁଦ୍ରାରେ ହୋଇଥିଲା । ଆଉ ଏବେ ସମାନ ନିୟମ ଅନୁଯାୟୀ ଏହି ତେଲ ଡିଲ୍ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।