ବୁଧବାର ଦିନ ସିଡ଼ିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଭାରତର ଆହୁରି ୧୨ଜଣ ବୀର ସୁପୁତ୍ରଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୁରା ହିନ୍ଦୁସ୍ଥାନ ଏବେ ଶୋକସନ୍ତପ୍ତ ରହିଛି । ଏହି ଖବର ଘୋଷିତ ହେବା ମାତ୍ରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । ପ୍ରାଣ ହରାଇଥିବା ସମସ୍ତ ବୀର ସୁପୁତ୍ର ମାନଙ୍କୁ ସୋସିଆଲ ମିଡିଆରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଦେଶର ଜଣେ ଉଚ୍ଚପଦସ୍ଥ ସୈନ୍ୟ ଅଧିକାରୀ ଥିଲେ ।

ତାଙ୍କ ବୀରତା ଏବଂ ସାହସିକତା କାହାରିକୁ ମଧ୍ୟ ଅଜଣା ନାହିଁ । ତାଙ୍କ ଅସମୟ ମୃତ୍ୟୁରେ ସାଧାରଣ ଜନତାଙ୍କ ସମେତ ଅନେକ ବିଶିଷ୍ଠ ରାଜନୈତିକ ବ୍ୟକ୍ତି, ବଲିଉଡ ତାରକା ଏବଂ ଦେଶର ଅନେକ ସୁପରିଚିତ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଜେନେରାଲ ରାୱତଙ୍କ ନିଧନ ପରେ ତାଙ୍କ ସହ ଜଡିତ ଅନେକ ଘଟଣା ବିଷୟରେ ଏବେ ଲୋକେ ଚର୍ଚ୍ଚା କରୁଛନ୍ତି ।
ଜଣେ ବୀର ତଥା ସାହାସୀ ଅଧିକାରୀ ହେବା ସତ୍ତ୍ୱେ ସେ ଅତ୍ୟନ୍ତ କୋମଳ ହୃଦୟ ଏବଂ ମେଳାପୀ ମଣିଷ ଥିଲେ । ୧୦ ସେପ୍ଟେମ୍ବର ୨୦୧୭ର କଥା, ସେତେବେଳେ ବିପିନ ରାୱତ ସେନା ପ୍ରମୁଖ ଥିଲେ । ସେତେବେଳେ ସେ ପ୍ରଥମ ଥର ପାଇଁ ଶହୀଦ ବୀର ଅବଦୁଲ ହମିଦଙ୍କ ୫୨ତମ ଶହୀଦ ଦିବସ ସମାରୋହରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶର ଗାଜିପୁରରେ ଏହି ସମାରୋହ ଆୟୋଜନ କରା ଯାଇଥିଲା ।

ସବୁଠୁ ବିଶେଷ କଥା ହେଉଛି ଶହୀଦ ଅବଦୁଲ ହମିଦଙ୍କ ୯୦ ବର୍ଷୀୟ ପତ୍ନୀ ରସଲୁନ ବିବି ବିପିନ ରାୱତଙ୍କୁ ଆମନ୍ତ୍ରିତ କରିବା ପାଇଁ ନାତି ଜମିଲ ଆଲମଙ୍କ ସହ ନିଜେ ରାୱତଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇଥିଲେ । କିନ୍ତୁ ସେତେବେଳେ ବିପିନ ରାୱତ ଦେଶ ବାହାରକୁ ଯାଇଥିବା କଥା ସେ ଜାଣିବାକୁ ପାଇଥିଲେ । ଜେନେରାଲ ରାୱତଙ୍କ ଷ୍ଟାଫମାନେ ତାଙ୍କୁ ଏହି ଖବର ଦେବାପରେ ସେ ଆସନ୍ତା କାଲି ଭାରତ ପହଞ୍ଚି ତାଙ୍କୁ ଦେଖା କରିବେ ବୋଲି ରସଲୁନ ବିବିଙ୍କୁ ସୂଚନା ପଠାଇଥିଲେ ।
ନିଜ କଥାନୁସାରେ ବିପିନ ରାୱତ ଭାରତ ପହଞ୍ଚିବା ମାତ୍ରେ ରସଲୁନ ବିବିଙ୍କୁ ଦେଖା କରିଥିଲେ ଓ ରସଲୁନ ବିବି ତାଙ୍କୁ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହାପରେ ଅବଦୁଲ ହମିଦଙ୍କ ଶହୀଦ ଦିବସରେ ନିଜ ପତ୍ନୀଙ୍କ ସହ ମୁଖ୍ୟ ଅତିଥି ଭାବେ ବିପିନ ରାୱତ ଯୋଗ ଦେଇଥିଲେ । ମଞ୍ଚ ଉପରେ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ଏବଂ ଅବଦୁଲ ହମିଦଙ୍କ ପତ୍ନୀ ରସଲୁନ ବିବି ଉପସ୍ଥିତ ଥିଲେ । ବିପିନ ରାୱତ ମଞ୍ଚ ଉପରେ ରସଲୁନଙ୍କୁ ଦେଖା କରି ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ଓ ଆଶୀର୍ବାଦ ନେଇଥିଲେ ।

ରାୱତ ରସଲୁନଙ୍କୁ କହିଥିଲେ କି, ଆପଣ ମୋ ମାଆ ସମାନ ଅଟନ୍ତି । ତେବେ ୨୦୧୯ରେ ୯୨ ବର୍ଷ ବୟସରେ ରସଲୁନ ବିବିଙ୍କର ମଧ୍ୟ ନିଧନ ହୋଇସାରିଛି । ସେ ସେହି କାର୍ଯ୍ୟକ୍ରମରେ ବିପିନ ରାୱତଙ୍କୁ ଅବଦୁଲ ହମିଦଙ୍କ ନାମରେ ଏକ ରେଜିମେଣ୍ଟ ଏବଂ ଗୋଟିଏ ସ୍କୁଲ ଖୋଲିବାକୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରିବେ ବୋଲି ବିପିନ ରାୱତ କଥା ମଧ୍ୟ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।