ନିଜ ପାଖରେ ଥିବା କୌଣସି ବସ୍ତୁ ଦ୍ଵାରା ଅନ୍ୟ ଜଣେ ବ୍ୟକ୍ତିର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ କରା ଯାଉଥିବା ତ୍ୟାଗକୁ ହିଁ ଦାନ କୁହାଯାଏ । ପ୍ରାଚୀନ କାଳରୁ ହିଁ ଦାନ କରିବା ଈଶ୍ୱରଙ୍କୁ ପ୍ରସନ୍ନ କରିବାର ଏକ ଉପାୟ ବୋଲି ବିଶ୍ୱାସ କରାଯାଏ । ଦାନ ମଧ୍ୟ ଏକ ଧର୍ମ ଅଟେ । ଶାସ୍ତ୍ରରେ ଦାନର ପରିମାଣରୁ ଅଧିକ ଦାନର ଭାବନାର ମହତ୍ତ୍ଵ ରହିଛି । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଦାନ ସମ୍ବନ୍ଧୀୟ କିଛି ଉପଦେଶ ଦେଇଛନ୍ତି, ଯାହା ପାଳନ କରିବା ଦ୍ୱାରା ମନୁଷ୍ୟର ସୁଖ ସମୃଦ୍ଧି ବୃଦ୍ଧି ହୁଏ । ପ୍ରଥମ ବିଷୟ ହେଉଛି ଦାନ କରୁଥିବା ବ୍ୟକ୍ତିଙ୍କୁ ମନରେ କୌଣସି ପ୍ରକାର ଅହଙ୍କାର ରଖି ଦାନ କରିବା ଉଚିତ୍ ନୁହେଁ ।
ଦାନ ଏକ ଉପକାର ନୁହେଁ ବରଂ ଦାୟିତ୍ଵପୂର୍ଣ୍ଣ ଓ ପୁଣ୍ୟ କାମ ବୋଲି ଭାବି କରିବା ଉଚିତ୍ । ନଚେତ୍ ଏପରି ଦାନ ନିଷ୍ଫଳ ଅଟେ । ଏପରି ଦାନ କରୁଥିବା ବ୍ୟକ୍ତି ଉପରେ ଦେବୀଦେବତା ମଧ୍ୟ ରୁଷ୍ଟ ହୋଇଯାଆନ୍ତି ।
ଦ୍ଵିତୀୟରେ, ଦାନ କରୁଥିବା ବ୍ୟକ୍ତି କେବେ ମଧ୍ୟ ସ୍ଵୟଂ ଦାନର ପ୍ରଚାର କରି ଦାନ କରିବା ଉଚିତ୍ ନୁହେଁ । ଏପରି ଦାନର କୌଣସି ଅର୍ଥ ନ ଥାଏ । ଏପରି ଦାନ କରିବା ଦ୍ୱାରା ପରୋପକାରର ଶୁଦ୍ଧ ଭାବନା ସ୍ଥାନରେ ସ୍ବାର୍ଥ ଭାବନା ସ୍ଥାନ ନେଇଥାଏ । ଦାନ କରିବାର ପ୍ରବଞ୍ଚନା କଲେ ଈଶ୍ୱର କେବେ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଶାସ୍ତ୍ରରେ ଗୁପ୍ତ ଦାନର ସବୁଠୁ ଅଧିକ ମହତ୍ତ୍ଵ ରହିଛି ।
ତୃତୀୟରେ କେବେ ମଧ୍ୟ ଏପରି ବସ୍ତୁର ଦାନ କରନ୍ତୁ ନାହିଁ ଯାହା ଦ୍ଵାରା କାହା ମନରେ ଆଘାତ ଲାଗିବ, କାହାର ଅପମାନ ବା କ୍ଷତି ହେବ ଓ ଯାହା ଦାନ କରିବା ଯୋଗ୍ୟ ନୁହେଁ । ଯେପରିକି ଅଇଁଠା, ବାସି ଖାଦ୍ୟ, ଚିରି ଯାଇଥିବା ଅସନା ପୁରୁଣା ବସ୍ତ୍ର, ଖରାପ ହୋଇ ଯାଇଥିବା ତେଲ ଓ ମଦ ମାଂସ ଆଦିର ଦାନ କରନ୍ତୁ ନାହିଁ । ଏହାଦ୍ବାରା ଆପଣ ପାପର ଭାଗୀଦାର ହେବେ ।
ଚତୁର୍ଥରେ, ନିଜର କ୍ଷମତା ଓ ବିବେକାନୁସାରେ ଦାନ କରିବା ଉଚିତ୍ । ଯେଉଁ ବ୍ୟକ୍ତି ନିଜ ପରିବାର ଲୋକଙ୍କୁ ଦୁଃଖୀ କରି ସେମାନଙ୍କ ଆବଶ୍ୟକତାକୁ ନଜର ଅନ୍ଦାଜ କରି ନିଜ କ୍ଷମତା ବାହାରେ ଦାନ କରେ ତାହାର କୌଣସି ଅର୍ଥ ନ ଥାଏ । ଏହାଦ୍ବାରା ପୁଣ୍ୟ ପ୍ରାପ୍ତି ହେଲେ ମଧ୍ୟ ନିଜ ଲୋକ ଦୁଃଖୀ ହୁଅନ୍ତି ଓ ନିଜ ଲୋକଙ୍କୁ ଦୁଃଖୀ କରିବାର ପାପ ଲାଗିଥାଏ ।
ପଞ୍ଚମରେ, ଯେଉଁ ବ୍ୟକ୍ତି ନିଜ ପାରିଶ୍ରମିକ ରୋଜଗାରକୁ ଆବଶ୍ୟକତା ନ ଥିବା ବ୍ୟକ୍ତିକୁ ଦାନ କରେ ବା ଏପରି ବ୍ୟକ୍ତିକୁ କୁ ଦାନ କରେ ଯେ ନିଜ ଧନର ଉପଯୋଗ ଜୁଆ, ମଦ୍ୟପାନ ଓ ଅନ୍ୟାନ୍ୟ ମନ୍ଦ କାର୍ଯ୍ୟରେ କରେ ତେବେ ଆପଣ ମଧ୍ୟ ତାର ପାପର ଭାଗୀଦାର ହୋଇଯାଆନ୍ତି । ସେଥିପାଇଁ କେବଳ ଯୋଗ୍ୟ ବ୍ୟକ୍ତିକୁ ହିଁ ଦାନ କରନ୍ତୁ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ