କଡା ଚେତାବନୀ ଦେଲା UN, ଆଉ ମାତ୍ର 27 ବର୍ଷ ଭିତରେ ଶୁଖିଯିବ ଦେଶର ଏହିସବୁ ପ୍ରମୁଖ ନଦୀ, କୋଟି କୋଟି ଲୋକ ପ୍ରଭାବିତ ହେବେ !

2050 ସୁଦ୍ଧା ପାଣି ପାଇଁ ଡହକ ବିକଳ ହେବେ ଲୋକ । କାରଣ ଆଉ 27 ବର୍ଷ ମଧ୍ୟରେ ଶୁଖିଯିବ ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ପ୍ରମୁଖ ନଦୀ । ଏନେଇ ୟୁଏନ ମହାସଚିବ ବଡ ଚେତାବନୀ ଦେଇଛନ୍ତି । ହିମାଳୟରୁ ବାହାରିଥିବା ତିନୋଟି ପ୍ରମୁଖ ନଦୀ ଯଥା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଏଭଳି ଯଦି ଲାଗି ରୁହେ ତେବେ 2050 ବେଳକୁ ଭାରତର ଅଧିକାଂଶ ସହରକୁ ପାଣି ମିଳିବା ବନ୍ଦ ହୋଇଯିବ ।

ଏନେଇ ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରେସ ଦେଇଛନ୍ତି ଏଭଳି ଚେତାବନୀ । ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ହିମାଳୟରେ ମହଜୁଦ ଥିବା ଗ୍ଲେସିୟର ତରଳିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେ ଏଭଳି ଚେତାବନୀ ଦେଇଛନ୍ତି । ଆଣ୍ଟୋନିଓ କହିଛନ୍ତି, ପୃଥିବୀରେ ମଣିଷ ଜୀବନ ପାଇଁ ଗ୍ଲେସିୟର ଅତ୍ୟନ୍ତ ଜରୁରୀ । ବର୍ତ୍ତମାନ ପୃଥିବୀରେ ମାତ୍ର 10 ପ୍ରତିଶତ ଗ୍ଲେସିୟର ରହିଥିବା ବେଳେ ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି ।

ଆଣ୍ଟାର୍କଟିକାରେ ପ୍ରତିବର୍ଷ 1500 କୋଟି ଟନ୍ ବରଫ ତରଳିବାରେ ଲାଗିଛି ଓ ଗ୍ରୀନଲାଣ୍ଡରେ 2700 କୋଟି ଟନ୍ ବରଫ ତରଳୁଛି । ଏହି ଦୁଇଟି ସ୍ଥାନ ପରେ ହିମାଳୟରେ ସବୁଠାରୁ ଅଧିକ ବରଫ ରହିଥିବା ବେଳେ ଏବେ ଏହା ମଧ୍ୟ ତରଳିବାରେ ଲାଗିଛି । ହିମାଳୟରୁ ବାହାରିଥିବା 10ଟି ପ୍ରମୁଖ ନଦୀ ଏସିଆ ମହାଦେଶକୁ ଜଳ ଯୋଗାଣ କରିଥାଏ ।

ପାଖାପାଖି 130 କୋଟି ଲୋକ ନଦୀର ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ଖାସ କରି ଗଙ୍ଗା, ସିନ୍ଧୁ ଏବଂ ବ୍ରହ୍ମପୁତ୍ର ନଦୀ ଉପରେ ତାପମାତ୍ରା ବୃଦ୍ଧିର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ଏହାଛଡା ଯଦି ଗ୍ଲେସିୟର ଅଧିକ ପରିମାଣରେ ତରଳେ ତେବେ ପାକିସ୍ତାନ ଏବଂ ଚୀନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେବ ।

ତେବେ ଆସନ୍ତା 27 ବର୍ଷ ମଧ୍ୟରେ ଦେଶର ପ୍ରମୁଖ ନଦୀ ଶୁଖିଯିବା କଥା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରମୁଖ ନଦୀ ଗଙ୍ଗା ପ୍ରାୟ 2500 କିମି ଯାଏଁ ବ୍ୟାପିଛି ଓ ପ୍ରାୟ 40 କୋଟି ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ଏଥିରେ 30 କିମି ଲମ୍ବର ଗଙ୍ଗୋତ୍ରୀ ଗ୍ଲେସିୟର ରହିଥିବା ବେଳେ ତାହା ଏବେ ବିପଦରେ ରହିଛି । ଯାହା ଗତ କିଛି ବର୍ଷ ମଧ୍ୟରେ ଅନେକ ପରିମାଣରେ ତରଲି ସାରିଲାଣି ।

ଭାରତର ହିମାଳୟ କ୍ଷେତ୍ରରେ ପ୍ରାୟ 9575 ଗ୍ଲେସିୟର ରହିଥିବା ବେଳେ ସେଥିରୁ 968 ଗ୍ଲେସିୟର କେବଳ ଉତ୍ତରାଖଣ୍ଡରେ ରହିଛି । ଗଙ୍ଗା, ଘାଗରା, ମନ୍ଦାକିନୀ ଓ ସରସ୍ଵତୀ ଭଳି ନଦୀ ଭାରତର କ୍ଷେତ୍ରୀୟ ଅଞ୍ଚଳକୁ ଜଳଯୋଗାଣ କରନ୍ତି । ତାପମାତ୍ରାରେ ଅସନ୍ତୁଳନ ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ହେଉଛି । ଯାହାଫଳରେ ଆଗକୁ ଜଳର ପ୍ରମୁଖ ସମସ୍ଯା ହେବା ଆଶଙ୍କା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।