ବହୁତ କମ୍ ପ୍ରେମ ର ଶେଷ ଉପହାର ସିନ୍ଦୂର ହେଇଥାଏ କିନ୍ତୁ ସିନ୍ଦୂର ତ ଆପେଆପେ ପ୍ରେମ ପାଲଟିଯାଏ

ଅଫିସ୍ ରେ ବସି ଫେସ୍ ବୁକ୍ ଖୋଲି କିଛି ଆର୍ଟିକିଲ୍ ପଢୁଥିଲି, କିଛି ଆର୍ଟିକିଲ୍ ଭାରି ହୃଦୟସ୍ପର୍ଶୀ ହେଇଥିଲା , ପଢୁ ପଢୁ କେତେବେଳେ ଆଖିରେ ଲୁହ ଆସିଯାଇଥିଲା । ଭାବିଲି ମୁଁ ବି ମୋ ନିଜର ଜୀବନକୁ ଏହି ଭଳି ଏକ ଆର୍ଟିକିଲ୍ ରେ ଉପସ୍ଥାପନ କରିବି ସର୍ବ ସମ୍ମୁଖରେ , ଏ ମୋ ନିଜ ଜୀବନର ଅତୀତ ।ମୋ ନାଁ ସୁନିତା ମୋ ଶିକ୍ଷାଗତ ଯୋଗ୍ୟତା ଓଡ଼ିଆରେ ପିଜି ଆଉ ଏମବିଏ , ମୁଁ ଯେତେବେଳେ କଲେଜରେ ପଢୁଥିଲି ସେତେବେଳେ ମୁଁ ହଷ୍ଟେଲରେ ରହୁଥିଲି ।

ମୋ କ୍ଲାସମେଟ୍ ମାନେ ପ୍ରାୟ ସମସ୍ତେ ଲବ୍ କରୁଥିଲେ , କ୍ଲାସ୍ ପରେ ସମସ୍ତେ ନିଜ ନିଜ ବୟଫ୍ରେଣ୍ଡ ସହିତ ବାହାରକୁ ଯାଇ ବୁଲୁଥିଲେ , ସଣ୍ଡେରେ ମସ୍ତି ବି କରୁଥିଲେ । ମୋର ବି ଇଛା ହେଉଥିଲା କାହାକୁ ଭଲପାଇ ମୁଁ ବି ଜୀବନକୁ ଉପଭୋଗ କରିବି , ଭାଗ୍ୟ ବସତଃ ମୋ କ୍ଲାସମେଟ୍ ର ଗୋଟେ ପୁଅ ମତେ ପ୍ରପୋଜ୍ କଲା , ମୁଁ ଅଳ୍ପ ନଖରା କରି ତାପରେ ତାକୁ ହଁ କରିଦେଲି । ମୁଁ ଆସ୍ତେ ଆସ୍ତେ ତାକୁ ବହୁତ ଭଲପାଇ ଗଲି ଏମିତି କି ତା ବିନା ମତେ କିଛି ବି ଭଲ ଲାଗୁ ନଥିଲା । ସେ କିନ୍ତୁ ମୋ ସହିତ ଟାଇମ୍ ପାସ୍ କରୁଥିଲା ।

ମୋତେ ବହୁତ ଥର କହିଥିଲା ସେଇ ସବୁ କାମ କରିବା ପାଇଁ ଯେଉଁ କାମକୁ ବିବାହ ପୂର୍ବରୁ ଆମ ସମାଜ ସ୍ବୀକୃତି ଦିଏନି । ମୁଁ ବି ମୋ ସୀମା ରେଖା ବେଶ୍ ଭଲଭାବେ ଜାଣିଥିଲି । ମୋ ଦ୍ବାରା ସେଇସବୁ କାମ ନହେବାରୁ ସେ ବାଧ୍ୟ ହୋଇ ଆଉ ଜଣକୁ ଭଲପାଇ ଗଲା , ମତେ ଏ କଥା ବହୁତ ବାଧିଥିଲା , ବହୁତ କଷ୍ଟ ଲାଗିଲା ଯେହେତୁ ମୁଁ ତାକୁ ମୋ ହୃଦୟର ଗଭୀରତାରୁ ଭଲପାଇ ବସିଥିଲି ।ମୋର ଆଉ ମୋ ବାପାଙ୍କର ଗୋଟେ ସ୍ବପ୍ନ ଥିଲା କି ମୁଁ ଗୋଟେ ଗଭର୍ନମେଣ୍ଟ୍ ଚାକିରୀ କରେ । କିନ୍ତୁ ଏ ପ୍ରେମ ନିଶା ମତେ ପଛଘୁଞ୍ଚା ଦବାକୁ ବାଧ୍ୟ କରିଦେଉଥିଲା ।

ମୋ ମନରେ ପୁଅ ପିଲାଙ୍କ ପ୍ରତି ଘୃଣା ଭରି ଯାଇଥିଲା । ମୁଁ କିଛି ଦିନ ପରେ ସେସବୁରୁ ନିଜକୁ ହଟେଇବା ପାଇଁ ଅନ୍ୟ ପୁଅ ମାନଙ୍କ ସହ ଟାଇମ୍ ପାସ୍ କରିବାକୁ ଲାଗିଲି କିନ୍ତୁ ନାରୀତ୍ୱ ର ମର୍ଯ୍ୟାଦା ଭିତରେ ରହି । ଭାରି ଦୁଷ୍ଟ ହେଇ ଯାଇଥିଲି , ପାଠ ପଢା ସହ ମସ୍ତି ମସ୍ତି ରେ କଲେଜ୍ ଲାଇଫ୍ ସରିଗଲା । ଚାକିରୀ ପାଇଁ ବହୁତ କଷ୍ଟ କଲି ବହୁତ କମ୍ପିଟେଟିଭ୍ ଏକ୍ଜାମ୍ ବି ଦେଲି କିନ୍ତୁ କିଛି ଲାଭ ହେଲାନି , ଚାହିଁଥିଲେ ପ୍ରାଇଭେଟ ଜବ୍ ବି କରି ପାରିଥାନ୍ତି କିନ୍ତୁ ସ୍ବପ୍ନ ଆଉ କିଛି ଥିଲା ।

ବୟସ ବି ହେଇଯାଇଥିଲା ବାପା ବାହାଘର ପାଇଁ ଜିଦି କରୁଥିଲେ , ମୁଁ ବି ବାପାଙ୍କୁ କହିଦେଲି ବାପା ମୁଁ ଯଦି ବାହାହେବି ତାହେଲେ ସେ ଗଭର୍ନମେଣ୍ଟ୍ ଯବ୍ କରିଥିବ ଆଉ ଦେଖିବାକୁ ସୁନ୍ଦର ବି ହେଇଥିବ । ଏ ଦୁଇଟା ଯାହା ପାଖରେ ଥିବ ମୁଁ ତାକୁ ବାହା ହେବି । ବହୁତ ପ୍ରସ୍ତାବ ଆସିଲା ବାହାଘର ବି ଭାଙ୍ଗଯାଏ କାରଣ କିଏ ଦେଖିବାକୁ ଭଲ ନୁହେଁ ତ କାହାର ଗଭର୍ନମେଣ୍ଟ୍ ସେକ୍ଟରରେ ଛୋଟ ଚାକିରୀ , କେଉଁଠି ପରିବାର ବଡ଼ ତ କେଉଁଠି ପିଲା ଭଲ ନୁହେଁ ।

ବାପା ବି ପ୍ରସ୍ତାବ ଦେଖେଇ ଦେଖେଇ ଚିଡି ଯାଇଥିଲେ । ଶେଷରେ ଗୋଟିଏ ପ୍ରସ୍ତାବ ଆସିଲା ଯେଉଁଠି ଚାକିରୀ ତ ଭଲଥିଲା କିନ୍ତୁ ଦେଖିବାକୁ ପିଲା ଅସୁନ୍ଦର ଥିଲା ଶ୍ୟାମଳ ରଙ୍ଗ ଆଉ ଫେସ୍ କଟିଙ୍ଗ୍ ଏତେ ଖାସ୍ ନଥିଲା । ଇଛା ତ ନଥିଲା କିନ୍ତୁ ବାପାଙ୍କ ପାଇଁ ରାଜି ହେଇଯାଇଥିଲି , ଭାବିଲି ମୋ ଜୀବନ ତ ନଷ୍ଟ ହେଇଗଲା , ଧୁମଧାମରେ ବାହାଘର ହେଇଗଲା ।ଶାଶୁ ଶଶୁର ନଣନ୍ଦ ଆଉ ମୋ ସ୍ୱାମୀ ଏତିକି ହେଲେ ପରିବାର ସଦସ୍ୟ , ମୋ ବାହାଘର ଦିନ ହିଁ ମୋ ନଣନ୍ଦଙ୍କ ବାହାଘର ହେଇଯାଇଥିଲା ।

ମୁଁ ଥିଲି ଖୁଲମ୍ ଖୁଲା ବୁଲିଲା ବାଲା ଝିଅ ମତେ ଘର ଭିତରେ ପଶି ରହିବା ଆଦୌ ବି ଠିକ୍ ଲାଗୁ ନଥିଲା , ମୋ ପସନ୍ଦ ର ସ୍ୱାମୀ ବି ନୁହେଁ ଆହୁରି ଚିଡି ଲାଗୁଥିଲା , ଫଳସ୍ୱରୂପ ଡେଲି ଝଗଡା ହେଉଥିଲା ଘରେ କେତେବେଳେ ଶାଶୁଙ୍କ ସହିତ ତ କେତେବେଳେ ୟାଙ୍କ ସହିତ । ବେଳେ ବେଳେ ମୋ ପୂର୍ବ ପ୍ରେମିକ କଥା ମନେପଡି ଗଲେ କାନ୍ଦୁଥିଲି । ଭାବୁଥିଲି କାସ୍ ମୁଁ ତା କଥାରେ ରାଜି ହେଇ ଯାଇଥାନ୍ତି ହୁଏତ ଏସବୁ ପାଇଲା ପରେ ସେ ମତେ ଛାଡ଼ି ନଥାନ୍ତା, ମୁଁ ତା ରିକୁୟାର୍ମେଣ୍ଟ୍ ଫୁଲ୍ ଫିଲ୍ କରିଥିଲେ ସେ ଆଉ କୁଆଡେ ଯାଇ ନଥାନ୍ତା ।

ଡେଲି ଡେଲି ଝଗଡାରେ ମୋ ବାପା ବି ବହୁତ ପରିସାନ୍ ଥିଲେ କାରଣ ସେ ଜାଣିଥିଲେ ମୁଁ ତାଙ୍କ କଥା ରଖି ବାହା ହେଇଛି ମୋର ପିଲା ପସନ୍ଦ ନଥିଲା । ଦିନେ ବାପା ଫୋନ୍ କରି କହିଲେ ଦେଖ୍ ମା ତୁ ଯଦି ଏମିତି ହବୁ ତାହେଲେ ମୁଁ ତୋ ଚିନ୍ତାରେ ଦିନେ ମରିଯିବି । ମୁଁ ସେଇ ଦିନରୁ ଚୁପ୍ ହେଇ ଯାଇଥିଲି , ମଝିରେ ମୋ ଦେହ ବି ଖରାପ୍ ଥିଲା ସେତେବେଳେ ମୋ ଶାଶୁ ମୋର ସେବା କରୁଥିଲେ ମୋ ଶାଢୀ ଧୋଇଦେଉ ଥିଲେ , ମୋ ସ୍ବାମୀ ବି ମୋର ଯତ୍ନ ନେଉଥିଲେ । ତାପରେ ମୁଁ ସମ୍ପୂର୍ଣ୍ଣ ଚୁପ୍ ହେଇଯାଇଥିଲି , ଚୁପ୍ ହେଲାପରେ ସମସ୍ତେ ମତେ ଭଲପାଇବାକୁ ଲାଗିଲେ , ମୋ ସ୍ୱାମୀଙ୍କୁ ଦେଖିଲା ପରେ ମତେ ଲାଗୁ ନଥିଲା ଯେ ସେ ମୋ ପାଇଁ ଅନଫିଟ୍ ବୋଲି ।

ଆସ୍ତେ ଆସ୍ତେ ମତେ ପ୍ରେମ ହେଇଗଲା । ମତେ ସବୁବେଳେ ତାଙ୍କ ଫେରିବା ବାଟର ଅପେକ୍ଷା ରହିଲା, ଘର ଏବେ ଘର ଭଳି ଲାଗୁଥିଲା ଶାଶୁ ମତେ ମା ଭଳି ଲାଗୁଥିଲେ , ଶଶୁର ବାପା ଭଳି । ଇଏ ଦିନେ କହିଲେ ତୁ ଘରେ ବସି ଦିନ ସାରା କଣ କରୁଛୁ ଗୋଟେ କାମ କର ତୋର ଝିଅ ବେଳର ସ୍ବପ୍ନ ଥିଲା ଯବ୍ କରିବା ପାଇଁ , ଯବ ତ ଦେଇ ପାରିବିନି କିନ୍ତୁ ଆମ ଏରିଆରେ ଭଲ କମ୍ପୁଟର ଇନଷ୍ଟିଚ୍ୟୁଟ ନାହିଁ ତୁ ଆରମ୍ଭ କଲେ କେମିତି ହବ ? ମତେ ତାଙ୍କ ପ୍ରସ୍ତାବ ଭଲ ଲାଗିଲା , ମୁଁ ଗୋଟେ କମ୍ପୁଟର ଇନଷ୍ଟିଚ୍ୟୁଟ ଆରମ୍ଭ କଲି ।

ଏବେ ସେ ବଡ଼ ହୋଇ ପ୍ରାୟ ୧୫୦ ଜଣ ପିଲା ଆସୁଛନ୍ତି ଡେଲି , ସାଙ୍ଗରେ ଗଭର୍ନମେଣ୍ଟ୍ ଯବ୍ ପାଇଁ ବି କୋଚିଂ କ୍ଲାସ୍ ଷ୍ଟାର୍ଟ୍ କରିଦେଲି । ଅଫିସ୍ ରେ କାମ କରି ଯାଇ ଶାଶୁ ଶଶୁରଙ୍କ ସେବା କରିବାରେ ଆନନ୍ଦ ମିଳୁଛି । ସମସ୍ତେ କୁହନ୍ତି ପ୍ରଥମ ପ୍ରେମ ଭୁଲି ହୁଏନି କିନ୍ତୁ ମୁଁ କହିବି ପ୍ରଥମ ପ୍ରେମ ଆରମସେ ଭୁଲି ହୁଏ ଯଦି ତୁମକୁ ଜଣେ ନିସ୍ବାର୍ଥରେ ଭଲପାଇଲା ବାଲା ମିଳିଯାଏ ।ନିସ୍ବାର୍ଥରେ କେବଳ ସ୍ୱାମୀ ହିଁ ଭଲ ପାଆନ୍ତି । ଆଉ ଗୋଟେ କଥା ସବୁବେଳେ ଭଡ଼ ଭଡ଼ ହେଇ କହିବା ଠୁ ଚୁପ୍ ରହିବା ଉଚିତ୍ ।