ଟ୍ରେନ ଦୁର୍ଘଟଣା ରୋକିବ “କବଚ”, ଦେଖନ୍ତୁ ଏହା କଣ ଓ କିପରି କରିବ କାମ…

ମୁହାଁମୁହିଁ ହେଉ କି ଟ୍ରେନ ପଛପଟୁ ଧକ୍କା । ରେଳଯାତ୍ରା ବେଳେ ଭାରତରେ ଏଭଳି ଦୁର୍ଘଟଣାକୁ ରୋକିବ ନୂଆ ଡିଜିଟାଲ ସୁରକ୍ଷା ବ୍ୟବସ୍ଥା ଯାହାର ନାଁ ହେଉଛି ‘କବଚ’ । ଭାରତୀୟ ରେଳବାଇ ଦ୍ଵାରା ବିକଶିତ କବଚ ସୁରକ୍ଷା ବ୍ୟବସ୍ଥାର ସଫଳ ପରୀକ୍ଷା ଶେଷ ହୋଇଛି । ସିକନ୍ଦରାବାଦର ସନାତନ ନଗର ସଙ୍କରପରି ସେକ୍ସନରେ ଏହି ସର୍ବାଧୁନିକ ସୁରକ୍ଷା ବ୍ୟବସ୍ଥାର ସଫଳ ପରୀକ୍ଷଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଆଜିର ପରୀକ୍ଷଣ ବେଳେ ଦୁଇଟି ଟ୍ରେନ ପରସ୍ପର ଆଡକୁ ଦ୍ରୁତଗତିରେ ଗତି କରିଥିଲେ ।

କିନ୍ତୁ କବଚ ବ୍ୟବସ୍ଥା ଯୋଗୁଁ ଟ୍ରେନ ଦୁଇଟି ପରସ୍ପର ମୁହାଁମୁହିଁ ଧକ୍କା ହୋଇ ନଥିଲେ । ସୁରକ୍ଷା ବ୍ୟବସ୍ଥାର ପରୀକ୍ଷଣ ବେଳେ ଗୋଟିଏ ଟ୍ରେନରେ ରେଳମନ୍ତ୍ରୀ ଓ ଅନ୍ୟ ଟ୍ରେନରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ବସିଥିଲେ । ସ୍ଵୟଂକ୍ରିୟ ଧକ୍କା ନିରୋଧୀ ସୁରକ୍ଷା ବ୍ୟବସ୍ଥା କବଚ ଜରିଆରେ ଜିରୋ ଆକ୍ସିଡେଣ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି । ରେଳବାଇକୁ ସହାୟତା କରିବା ନିମନ୍ତେ ଏହି ଅଟୋମାଟିକ ଟ୍ରେନ ପ୍ରୋଟେକ୍ସନ ବା ଏଟିପି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଛି ।

ସମାନ ରେଳଧାରଣା ଉପରେ ଆଉ ଗୋଟିଏ ଟ୍ରେନ ଆସୁଥିବା ଦେଖିବାକୁ ମିଳିବା ମାତ୍ର ନିର୍ଦ୍ଧାରିତ ଦୁରତ୍ଵରୁ ଆପଣା ଛାଏଁ ଟ୍ରେନକୁ ଅଟକାଇ ପାରିବ କବଚ । ଆତ୍ମନିର୍ଭର ଭାରତ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାଥମିକ ଭାବରେ ଦୁଇ ହଜାର କିଲୋମିଟର ରେଳପଥକୁ କବଚ ସୁରକ୍ଷା ବ୍ୟବସ୍ଥା ଭିତରେ ଅଣାଯିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ବ୍ୟବସ୍ଥା ପାଇଁ ବିଦେଶରେ କିଲୋମିଟର ପିଛା ପ୍ରାପ୍ୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭାରତରେ କିଲୋମିଟର ପିଛା ମାତ୍ର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପ୍ରାଥମିକ ଭାବେ ଦୁଇ ହଜାର କିଲୋମିଟର ପର୍ଯ୍ୟନ୍ତ ଏହି ଏହି ସୁରକ୍ଷା ବ୍ୟବସ୍ଥାକୁ ଅଣାଯିବ ଓ ଏହାର ସଫଳତା ବୃଦ୍ଧି ପାଇଲେ ସମୟ କ୍ରମେ ଏହି କବଚ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକରୁ ଅଧିକ କିଲୋମିଟର ପର୍ଯ୍ୟନ୍ତ ବ୍ୟବହାର କରାଯିବ । ଏହି କବଚ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରି ସାରିଛନ୍ତି ।

ଏହି ବ୍ୟବସ୍ଥା ଲାଗୁ ହେଲେ ବିଭିନ୍ନ ସମୟରେ ହେଉଥିବା ଟ୍ରେନ ଦୁର୍ଘଟଣାକୁ ଅନେକ ମାତ୍ରାରେ ରୋକା ଯାଇପାରିବ ଓ ଯାତ୍ରୀମାନେ ରେଳଯାତ୍ରା ସମୟରେ ସୁରକ୍ଷା ଅନୁଭବ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।