ଘୁଙ୍ଗୁଡି ସମସ୍ଯା (Sleep Apnea) ଯୋଗୁଁ ହୋଇଥିଲା ବିଶିଷ୍ଟ ସଙ୍ଗୀତକାର Bappi Lahiri ଙ୍କ ମୃତ୍ୟୁ, ଜାଣନ୍ତୁ ଏହି ସ୍ଲିପ ଆପ୍ନିଆ କଣ ଓ କିପରି ଏଥିରୁ ପାଇବେ ମୁକ୍ତି ?

ଯଦି ଆପଣ ଖୁବ୍ ଜୋରରେ ଘୁଙ୍ଗୁଡି ମାରୁଛନ୍ତି ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । କାରଣ ଆପଣ ହୁଏତ ସ୍ଲିପ ଆପ୍ନିଆ ଭଳି ରୋଗର ଶିକାର ହୋଇଥାଇ ପାରନ୍ତି । ବିଶିଷ୍ଟ ସଙ୍ଗୀତକାର ବାପ୍ପି ଲେହରିଙ୍କ ମୃତ୍ୟୁ ପରେ ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ ବା ନିଦ ସମୟରେ ଶ୍ବାସକ୍ରିୟା ଜନିତ ସମସ୍ଯା ପ୍ରତି ସଚେତନତା ବଢିଯାଇଛି । ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି ଏହି ରୋଗକୁ ଅବହେଳା ହେଲେ ଏହା ଘାତକ ହୋଇପାରେ । କାରଣ ଏହି ରୋଗ ଯୋଗୁଁ ୬୯ ବର୍ଷ ବୟସରେ ବାପ୍ପି ଲେହରିଙ୍କ ଦେହାନ୍ତ ହୋଇଛି ।

ସ୍ଲିପ ଆପ୍ନିଆ କଣ ଓ ଏହା କାହିଁକି ମାରାତ୍ମକ ?

ରାତିରେ ଶୋଇବା ସମୟରେ ନିଃଶ୍ଵାସ ପ୍ରଶ୍ବାସରେ ବାଧା ସୃଷ୍ଟି ହେବାକୁ ସ୍ଲିପ ଆପ୍ନିଆ କୁହାଯାଏ । ଶ୍ଵାସନଳୀ ସଙ୍କୁଚିତ ହୋଇଗଲେ ଏହି ସମସ୍ଯାଟି ସୃଷ୍ଟି ହୁଏ । ଏହା ଯୋଗୁଁ ଆବଶ୍ୟକ ପରିମାଣରେ ଶରୀରକୁ ଅକ୍ସିଜେନ ଯାଇପାରେ ନାହିଁ । ଶ୍ବାସକ୍ରିୟା ଅଟକିଗଲେ ଶରୀରରେ ଅକ୍ସିଜେନ କମିଯାଏ । ଯାହାଫଳରେ ହାର୍ଟଷ୍ଟ୍ରୋକ ଓ ବ୍ରେନଷ୍ଟ୍ରୋକ ଭଳି ଆଶଙ୍କା ବୃଦ୍ଧି ପାଏ । ସାରା ବିଶ୍ବରେ ପ୍ରାୟ ୩୦ ପ୍ରତିଶତ ଲୋକେ ଏହି ରୋଗର ଶିକାର ହୋଇଥାନ୍ତି ।

ତେବେ ଓବେସିଟି ବା ମୋଟାପଣ ଏହି ରୋଗର ମୁଖ୍ୟ କାରଣ ଅଟେ । ବିଶେଷ କରି ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଏ । ୫୦ ବର୍ଷରୁ ଉର୍ଦ୍ଧ୍ଵ ଓ ଧୂମ୍ରପାନ କରୁଥିବା ବ୍ୟକ୍ତି ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି । ଶ୍ଵାସନଳୀର ଉପରଭାଗ ବ୍ଲକ ହେଲେ ଫୁସଫୁସକୁ କମ୍ ପରିମାଣର ଅକ୍ସିଜେନ ଯାଇଥାଏ । ଫଳରେ ରକ୍ତରେ କାର୍ବନ ଡାଇଅକ୍ସାଇଡ ବା ଅଙ୍ଗାରକାମ୍ଳର ପରିମାଣ ବଢିଯାଏ । ଏପରିକି ୧୦ ରୁ ୧୫ ସେକେଣ୍ଡ ପାଇଁ ହାର୍ଟ ବା ହୃତପିଣ୍ଡ ବନ୍ଦ ହୋଇଯିବାର ଆଶଙ୍କା ରହିଥାଏ । ତେଣୁ ଏହା ଘାତକ ହୋଇଥାଏ ।

ସ୍ଲିପ ଆପ୍ନିଆ ରୋଗର ଲକ୍ଷଣ କଣ ?

ଜୋରରେ ଘୁଙ୍ଗୁଡି ମାରିବା ଓ ରାତିରେ ଶୋଇବା ସମୟରେ ବାରମ୍ବାର ନିଦ ଭାଙ୍ଗିବା ଆଦି ସ୍ଲିପ ଆପ୍ନିଆ ରୋଗର ଲକ୍ଷଣ । ଏହାସହ ଦିନରେ ଥକା ଲାଗିବା ଆଉ ଦିନବେଳେ ଅଧିକ ସମୟ ଶୋଇବା, ସକାଳୁ ଉଠିବା ବେଳେ ମୁଣ୍ଡ ବିନ୍ଧିବା, ନିଦାରୁ ଉଠିବା ପରେ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ହେବା, ସକାଳେ ପାଟି ଶୁଖିଯିବା ଭଳି ଲକ୍ଷଣ ଦେଖାଦେବା ମଧ୍ୟ ସ୍ଲିପ ଆପ୍ନିଆର ଲକ୍ଷଣ ।

ତେବେ ଠିକ ସମୟରେ ଚିକିତ୍ସା କଲେ ଏହି ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ଏହାକୁ ଅଣଦେଖା କଲେ ଏହା ଘାତକ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।