କାହା ପାଇଁ ଖୋଲାଯାଇଛି ଆହାର କେନ୍ଦ୍ର ? ପାଞ୍ଚ ଟଙ୍କିଆ ମିଲର ଫାଇଦା କିଏ ନେଉଛନ୍ତି ? ଆହାର କେନ୍ଦ୍ରରେ କୁଆଡେ ଗରିବଗୁରୁବାଙ୍କୁ ଖାଦ୍ୟ ମିଳୁନି ବରଂ ସୁଟବୁଟ୍ ପିନ୍ଧା ବାବୁମାନଙ୍କ ଭିଡ ଜମୁଛି । ବାହାରକୁ ପାର୍ସଲ ଯାଉଛି ହେଲେ ଭିକାରି ଓ ଭିନ୍ନକ୍ଷମ ବ୍ୟକ୍ତି ହୋକିଲା ଫେରୁଛନ୍ତି । ୫ଟଙ୍କିଆ ମିଲ୍ ଖାଇ ବଡବଡିଆ ବାବୁମାନେ କାମ ଚଳାଇ ଦେଉଛନ୍ତି । ଯେଉଁ ଖାଦ୍ଯରେ ଗରିବଙ୍କ ନାଁ ଲେଖାଅଛି ସେଥିରେ ରହିଛି ସୁଟବୁଟ୍ ପିନ୍ଧା ବାବୁଙ୍କ ଆଖି ।
ଶ୍ରମିକ, ଭିକାରି ଓ ଭିନ୍ନକ୍ଷମ ବ୍ୟକ୍ତି ସୁଲଭ ମୂଲ୍ଯରେ ଗଣ୍ଡେ ଖାଇପାରିବେ ବୋଲି ସହରର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଆହାର କେନ୍ଦ୍ର । କିନ୍ତୁ ସେମାନେ ଆହାର କେନ୍ଦ୍ରକୁ ଯାଇ ଭୋକିଲା ପେଟରେ ଫେରୁଛନ୍ତି । ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେଗରିବ ଗୁରୁବାଙ୍କୁ ଖାଦ୍ଯ ମିଳୁନି । ସବୁଠୁ ବାର କଥା ହେଲା, ଦିନ ୧୧ଟାରୁ ଦିନ ୩ଟା ଯାଏଁ ଆହାର କେନ୍ଦ୍ରରେ ଖାଦ୍ୟ ମିଳିବ ବୋଲି ଲେଖାଅଛି ।
ମାତ୍ର ସାଢେ ବାରଟା ସୁଦ୍ଧା ବନ୍ଦ ହୋଇଯାଉଛି ଆହାର କେନ୍ଦ୍ର । ଯାହାକୁ ନେଇ ସ୍ଥାନୀୟ ଲୋକେ ବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିୟମ ଅନୁସାରେ ଆହାର କେନ୍ଦ୍ରରୁ ବହରକୁ ଖାଦ୍ଯ ଯିବା ମଧ୍ୟ ମନା । କିନ୍ତୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି ଯେ, ଆହାର କେନ୍ଦ୍ରର କର୍ମଚାରୀଙ୍କ ସଲାସୁତୁରାରେ ଖାଦ୍ୟ ବାହାରକୁ ପାର୍ସଲ ଯାଉଛି । ଯାହାଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଯାଉଛି ଖାଦ୍ଯ ।
ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବତୀ ରାଥୋର ସିଂଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଆହାର କେନ୍ଦ୍ର ପାଇଁ ଯେତିକି ଲିମିଟେଡ ଖାଦ୍ଯ ଯିବା କଥା ସେତିକି ଖାଦ୍ଯ ଯାଉଛି । ଆଉ ସେତିକି ଶେଷ ହୋଇଯିବା ପରେ ଆହାର କେନ୍ଦ୍ର ବନ୍ଦ କରି ଦିଆଯାଉଛି । ଆପଣମାନେ ଯଦି ଏଭଳି ଅସୁବିଧା ନେଇକରି ଆସିଛନ୍ତି ତେବେ ଆମେ ମିଲ୍ ବଢାଇବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବୁ ବୋଲି ସେ କହିଛନ୍ତି ।
ଗରିବଗୁରୁବାଙ୍କ ନାଁରେ ଯୋଜନା ପ୍ରଣୟନ ହେଉଛି ସିନା ଏହାର ଫାଇଦା ଅନ୍ୟ କିଏ ଉଠାଉଛି । ଯାହାକୁ ନେଇ ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଦେଖାଯାଉ ଆଗକୁ ଏହାକୁ ନେଇ କଣ ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ ଓ ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।