ମୁଁ ହାରିଗଲି ମୋ ଟଙ୍କା ଫେରାଅ । ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟିଥିଲେ ଆଉ ଏବେ ଆସି ଘରେ ଘରେ ଟଙ୍କା ଆଦାୟ କରୁଛନ୍ତି । ଟଙ୍କା ମାଗି ହଟହଟା ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀ । ନିକଟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ଆଉ ଫଳାଫଳ ବି ବାହାରି ସାରିଛି । କିନ୍ତୁ ଫଳାଫଳ ବାହାରିବା ପରେ ଅନେକ ପ୍ରାର୍ଥୀଙ୍କ ଗଣିତ । ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ପ୍ରାର୍ଥୀମାନେ । କାହାକୁ ମଦ ମାଂସ ଦେଇଥିଲେ ତ କାହାକୁ ଟଙ୍କା ବି ଯାଚିଥିଲେ ।
ଏପରିକି ବିଭିନ୍ନ ସଂଗଠନ ଓ କ୍ରିକେଟ ଟିମ୍ ମାନଙ୍କୁ ମଧ୍ୟ ଟଙ୍କା ଦେଇ ଭୋଟ ହାତେଇବାର ଆଶା ବାନ୍ଧିଥିଲେ ପ୍ରାର୍ଥୀ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଗଲା । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ପରାଜୟ ହେଲେ । ଆଉ ଏବେ ଆରମ୍ଭ ହୋଇଛି ଟଙ୍କା ଅସୁଲି ରାଜନୀତି । ଭୋଟ ପାଇଁ ନୋଟ କାରବାର କରିଥିବା ପ୍ରାର୍ଥୀମାନେ ଏବେ ଲୋକଙ୍କ ପାଖକୁ ଯାଇ ଟଙ୍କା ମାଗୁଛନ୍ତି । ଟଙ୍କା ମାଗିବାକୁ ଯାଇ ହଟହଟା ହୋଇଥିବା ଜଣେ ସରପଞ୍ଚ ପ୍ରାର୍ଥୀନୀଙ୍କ ସ୍ଵାମୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ମୁହଁରେ ଦାଢି ରଖିଥିବା ଏହି ବ୍ୟକ୍ତିଜଣକ ହେଉଛନ୍ତି ବଲାଙ୍ଗିର ବ୍ଲକ ଉପରଝର ପଞ୍ଚାୟତର ପରାଜିତ ସରପଞ୍ଚ ପ୍ରାର୍ଥୀନୀ କମଳିନୀ ପଟେଲଙ୍କ ସ୍ଵାମୀ ରାଜୀବ ପଟେଲ । ମତଦାନ ଆଗରୁ ନୂଆପାଲି ଗାଁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅତିଥି ହୋଇଥିଲେ ରାଜୀବ ଏବଂ ତାଙ୍କ ସ୍ତ୍ରୀ କମଳିନୀ ।
ଭୋଟ ଦେବା ପାଇଁ ସେମାନେ କ୍ରିକେଟ ଟିମ୍ କୁ ୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ପରାଜିତ ହେବା ପରେ ନୂଆପାଲି ଗାଁକୁ ଯାଇ ଟଙ୍କା ମାଗିଥିଲେ ରାଜୀବ ପଟେଲ । ରାଜୀବଙ୍କୁ ବହୁ ହଟହଟା କରିବା ପରେ ଟଙ୍କା ଫେରାଇଥିଲେ କ୍ରିକେଟ ଟିମ୍ । ଏପରିକି ୫ ହଜାର ଜାଗାରେ ସେମାନେ ୫ ହଜାର ୧ ଶହ ଟଙ୍କା ଫେରାଇଥିଲେ । ଆଉ ଏକ ଶହ ଟଙ୍କା ପେଟ୍ରୋଲ ଖର୍ଚ୍ଚ ନିଅ ବୋଲି ମଧ୍ୟ କହିଥିଲେ ।
ପରାଜିତ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ଵାମୀ ରାଜୀବ ପଟେଲଙ୍କ ଏହି ହଟହଟା ହେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ‘ନୋଟ ଫର୍ ଭୋଟ’ କାର୍ଯ୍ୟକ୍ରମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।