ହୃତପିଣ୍ଡ ଆମ ଶରୀରର ପ୍ରତ୍ଯେକ ଅଙ୍ଗକୁ ରକ୍ତ ସଞ୍ଚାଳନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ । ଯଦି କୌଣସି କାରଣରୁ ହୃତପିଣ୍ଡରେ ସମସ୍ଯା ଦେଖାଦିଏ ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଥାଏ । ହାର୍ଟ ଆଟାକ୍ ପୂର୍ବରୁ ଆମ ଶରୀର ଅନେକ ଇସାରା ଦେଇଥାଏ । ସେସବୁକୁ ଠିକ ସମୟରେ ଚିହ୍ନିଲେ ଯାଇ ସମୟ ଥାଉ ଥାଉ ହାର୍ଟ ଆଟାକ୍ ର ଚିକିତ୍ସା କରିହେବ । ତେବେ ଆସନ୍ତୁ ଏ ସମ୍ପର୍କରେ ଜାଣିବା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଯାତି କେଶରୀ ପାଢୀଙ୍କ ଠାରୁ ଅଧିକ ଜାଣିବା ।
ବିଭିନ୍ନ ପ୍ରକାରର ହୃଦରୋଗ:
ହାର୍ଟ ରୋଗ ଅନେକ କାରଣରୁ ଦେଖାଦିଏ । କିଛି ଲୋକଙ୍କ କ୍ଷେତ୍ରରେ ବଂଶଗତ କାରଣରୁ ହାର୍ଟ ରୋଗ ଦେଖା ଦେଇଥାଏ ତ ଆଉ କାହାର ଆଣ୍ଠୁଗଣ୍ଠି ବାତ, ଉଚ୍ଚ ରକ୍ତଚାପ ଯୋଗୁଁ ହାର୍ଟରେ ସମସ୍ଯା ଦେଖାଦିଏ । ସେହିଭଳି ଅଧିକ ଚର୍ବିଜାତୀୟ ଖାଦ୍ୟ ଖାଇବା ଦ୍ଵାରା କୋଲେଷ୍ଟ୍ରୋଲ ବଢି ହାର୍ଟରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହାର୍ଟ ଆଟାକ୍ ଭଳି ସମସ୍ଯା ଦେଖାଦିଏ ।
ଆଉ କିଛି ଲୋକଙ୍କ ହାର୍ଟର କୋଷିକା ଦୁର୍ବଳ ହେବା ଯୋଗୁଁ ହାର୍ଟ ରୋଗ ଦେଖାଦିଏ । ସେହିଭଳି ହାର୍ଟର ଉପରଭାଗକୁ ସୁରକ୍ଷା ଦେଇଥିବା ପତଳା ଚମଡା ମଧ୍ୟ ସଂକ୍ରମଣ ହୋଇ ପାଣି ଜମିଲେ ଏବଂ ଫୁଲିଲେ ଏହା ମଧ୍ୟ ହାର୍ଟ ରୋଗ କରାଇଥାଏ ।
କାହିଁକି ବା କେଉଁମାନଙ୍କୁ ହୁଏ ହାର୍ଟ ଆଟାକ୍ ?
ମୁଖ୍ଯତଃ ଯେଉଁମାନଙ୍କ ପରିବାରରେ କେହି ହାର୍ଟ ଆଟାକ୍ ର ଶିକାର ହୋଇଥାନ୍ତି ତେବେ ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ଆଟାକ୍ ଦେଖାଦେବାର ସମ୍ଭାବନା ଅଧିକ ରହିଥାଏ । ଏହାଛଡା ଉଚ୍ଚ ରକ୍ତଚାପ, ଡାଇବେଟିସ, ଧୂମ୍ରପାନ, ମଦ୍ୟପାନ, ଚର୍ବିଜାତୀୟ ଖାଦ୍ୟ ଅତ୍ୟଧିକ ଖାଇବା ଓ କୋଲେଷ୍ଟ୍ରୋଲ ଅଧିକ ଥିଲେ ସେମାନଙ୍କୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଧିକ ଥାଏ । ବୟସ ବଢିବା ସହ ମଧ୍ୟ ହାର୍ଟ ଆଟାକ୍ ର ସମ୍ଭାବନା ଅଧିକ ବଢିଥାଏ ।
ହାର୍ଟ ଆଟାକ୍ ର ଲକ୍ଷଣ:
ହାର୍ଟ ଆଟାକ୍ ହେବା ପୂର୍ବରୁ ହାର୍ଟର କାର୍ଯ୍ୟ କରିବା କ୍ଷମତା କମିଯାଏ ତେଣୁ ଆମ ଶରୀରରେ ଅନେକ ଛୋଟ ଛୋଟ ଲକ୍ଷଣ ଦେଖାଦିଏ । ଯେମିତିକି ପୂର୍ବରୁ ଯେତିକି କାର୍ଯ୍ୟ କରି ପାରୁଥିଲେ ସେତିକି କାର୍ଯ୍ୟ ଆଉ କରି ହୁଏନି । ଅଳ୍ପ କାମ କଲେ ହାଲିଆ ଲାଗେ, ସିଡି ଚଢିବା ବେଳେ ପୂର୍ବଠାରୁ ଅଧିକ ଧଇଁସଇଁ ଅନୁଭବ ହୁଏ, ଅଳ୍ପ ଚାଲିଲେ ହାଲିଆ ଲାଗେ ଓ ଅନେକ ସମୟରେ ଶରୀର ଅସୁସ୍ଥ ଥିବା ଭଳି ଅନୁଭବ ହୁଏ । ଏଭଳି ହେଉଥିଲେ ଜାଣି ରଖନ୍ତୁ ଯେ ନିହାତି ଭାବେ ହାର୍ଟରେ କିଛି ଅସୁବିଧା ହେଉଛି ।
ଯଦି ଅନେକ ଦିନ ଧରି ନାଭି ଉପରଠାରୁ ଦାନ୍ତମାଢି ପର୍ଯ୍ୟନ୍ତ କୌଣସି ସ୍ଥାନରେ ବ୍ୟଥା ହେଉଛି ଏବଂ ତାହା ଭଲ ହେଉନି ତେବେ ଏହା ମଧ୍ୟ ହାର୍ଟ ଆଟାକ୍ ର ଲକ୍ଷଣ ହୋଇ ଥାଇପାରେ । ପ୍ରାୟତଃ ୫୦% ଲୋକଙ୍କ କ୍ଷେତ୍ରରେ ଏଭଳି ସମସ୍ଯା ଦେଖାଦିଏ । ତେଣୁ ଏସବୁ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ।
ହାର୍ଟ ଆଟାକ୍ ର ନିରାକରଣ:
ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ରହୁଛି ତେବେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ । ଏହାଦ୍ବାରା ଆପଣଙ୍କ ହାର୍ଟ ଉପରେ ଚାପ କମ୍ ପଡିବ ଓ ହାର୍ଟ ଆଟାକ୍ ର ସମ୍ଭାବନା କମିଯିବ । ସେହିଭଳି ନିୟମିତ ବ୍ଯବଧାନରେ ବ୍ଲଡ଼ ସୁଗାର ମଧ୍ୟ ଚେକଅପ କରାନ୍ତୁ । ଅଧିକ ଚର୍ବିଜାତୀୟ ଖାଦ୍ଯ ଖାଇବା ଠାରୁ ଦୂରେଇ ରୁହନ୍ତୁ । କୋଲେଷ୍ଟ୍ରୋଲକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ଦ୍ଵାରା ହାର୍ଟ ଆଟାକ୍ ଭଳି ସମସ୍ଯାକୁ ଏଡାଇ ହେବ ।
ଏହାସହ ଧୂମ୍ରପାନ ଓ ମଦ୍ୟପାନ ଆଦି ଛାଡିବା ସହ ପ୍ରତିଦିନ ଏକ୍ସରସାଇଜ କରନ୍ତୁ ଓ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ । ଫଳରେ ହାର୍ଟ ଆଟାକ୍ ଭଳି ସମସ୍ଯାକୁ ପୂର୍ବରୁ ରୋକିହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।