କଟକରେ ପୁଣି ଭେଜାଲ ! କାଠଗୁଣ୍ଡ ଆଉ କୁଣ୍ଡାରେ ପ୍ରସ୍ତୁତ ହେଉଛି ହଳଦୀ ଆଉ ଲଙ୍କା ଗୁଣ୍ଡ ! କମ୍ପାନୀ ଭିତରର ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡିଯିବ !

କଟକ ସହର ବିଷାକ୍ତ ପାଲଟି ଗଲାଣି । ଯେଉଁଠି ଦେଖିବେ ସେଇଠି ଖାଲି ନକଲି ଜିନିଷ ଦେଖିବାକୁ ମିଳୁଛି । ଗତ କିଛିଦିନ ତଳେ ପଚା କଖାରୁରୁ ନକଲି ଚିଲି ସସ୍ ପ୍ରସ୍ତୁତ ହେଉଥିବାର ଚିତ୍ର ଆପଣ ଦେଖିଥିଲେ । ଆଉ ମାତ୍ର ଦିନ କେଇଟା ପରେ ସାମ୍ନାକୁ ଆସିଛି ଏହି ଦୃଶ୍ୟ । ନକଲି ଲଙ୍କା ଗୁଣ୍ଡ ସାଙ୍ଗକୁ ହଳଦୀ ଗୁଣ୍ଡ । ଏସବୁ ଦେଖିଲେ ମନରେ ପ୍ରଶ୍ନ ଆସୁଛି କି, ପ୍ରତିଦିନ କଣ ଆମେ ଏମିତି ନକଲି ଜିନିଷ ଖାଉଛୁ ? ବସ୍ତା ବସ୍ତା କାଠ ଗୁଣ୍ଡ ସାଙ୍ଗକୁ ପାଖରେ ଖୁଦ ଚାଉଳ ମଧ୍ୟ ପଡିଛି । ଏହିସବୁକୁ ମିଶାଇ ପ୍ରସ୍ତୁତ ହେଉଥିଲା ଲଙ୍କା ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ ।

ଇଏ ହେଉଛି କଟକ ଜାତଗପୁର ଅଞ୍ଚଳରେ ଥିବା ଏକ ମସଲା କମ୍ପାନୀର ଦୃଶ୍ୟ । ଆମେ ବଜାରରୁ ପ୍ରତିଦିନ ଦୈନିକ ଖାଦ୍ଯ ସାମଗ୍ରୀ କିଣିଥାଉ । ବ୍ୟସ୍ତବହୁଳ ଜୀବନ ଭିତରେ ଅଜାଣତରେ ଏହି ନକଲି ମସଲା ଆମେ ଖାଦ୍ଯରେ ବ୍ୟବହାର କରୁ ନଥିବା ବୋଲି କିଏ କହିବ ! ଏହି ସମ୍ପର୍କରେ ଏହି ମସଲା କମ୍ପାନୀ ମାଲିକଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରଖା ଯାଇଥିବା ଖୁଦ ଚାଉଳକୁ ବ୍ୟବହାର କରାଯାଇ ଅନ୍ୟ ଖାଦ୍ଯ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

ଏହାସହ କାଠ ଗୁଣ୍ଡ ଏବଂ କୁଣ୍ଡା ଆଦି ନଥିବା ସେ କହିଛନ୍ତି । ଯେଉଁ ସବୁକୁ କୁଣ୍ଡା ବୋଲି କୁହାଯାଉଛି ତାହା ପ୍ରକୃତରେ ବ୍ରାନ, ଯେଉଁଥିରୁ ପ୍ରୋଟିନ ପାଉଡର ପ୍ରସ୍ତୁତ ହେଉଛି ବୋଲି ସେ କହୁଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ ନିକଟକୁ ଖବର ଆସିଥିଲା କି, ଜଗତପୁରର ଉକ୍ତ ମସଲା କମ୍ପାନୀରେ ଅପମିଶ୍ରିତ ମସଲା ତିଆରି ହେଉଛି ବୋଲି ।

ଏହାପରେ ଜଗତପୁର ଆଇଆଇସି ଏବଂ ତାଙ୍କ ଟିମ୍ ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏହାପରେ ଉଭୟ ଟିମ୍ ମିଳିତ ଭାବେ ସେହି ମସଲା କମ୍ପାନୀରେ ଚଢାଉ କରିଥିଲେ । ସେଠାରେ ସେମାନେ ବିପୁଳ ପରିମାଣରେ ଥିବା ପ୍ଯାକେଟ ମସଲା ଏବଂ ତିଆରି ହେଉଥିବା ମସଲା ସବୁ ତଦାରଖ କରିଥିଲେ । ଉକ୍ତ କମ୍ପାନୀର ମାଲିକ ରାଉତ ବାବୁଙ୍କୁ ସେମାନେ ପଚରାଉଚରା କରିଥିଲେ ଓ ସେଠାରୁ କିଛି କେମିକାଲ ମଧ୍ୟ ଜବତ କରିଛନ୍ତି ।

କମ୍ପାନୀର ମାଲିକ କିଛି କାଗଜପତ୍ର ଦେଖାଇବା ସହ ଅନ୍ୟ କିଛି କାଗଜପତ୍ର ସଠିକ ଭାବେ ଏଯାଏଁ ପେଶ କରିପାରି ନାହାନ୍ତି । ତେବେ ଖାଲି ଆଖିରେ ଦେଖିଲେ ମଧ୍ୟ ମସଲା ଗୁଡିକ ଅପମିଶ୍ରିତ ଜଣା ପଡୁଥିବା ତଦନ୍ତ ଅଧିକାରୀ କହିଛନ୍ତି । ବିପଦଜନକ ଅବସ୍ଥାରେ ସେଠାରେ ମସଲା ପ୍ରସ୍ତୁତ କରା ଯାଉଥିବା ବେଳେ ସେହି କମ୍ପାନୀକୁ ସିଲ୍ କରାଯିବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି ।

ଏମିତି ଅନେକ ନକଲି ଖାଦ୍ଯ ସାମଗ୍ରୀ ଖାଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ସାଧାରଣ ଲୋକେ । ପ୍ରଶାସନ ଏପରି ନକଲି କମ୍ପାନୀ ଗୁଡିକୁ ଠାବ କରି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।