କୋଲେଷ୍ଟ୍ରୋଲ କେମିତି ନିୟନ୍ତ୍ରଣ କରିବେ ? Dr. Binaya Bhusan Binakar ଙ୍କ ଖାସ୍ ଟିପ୍ସ

ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲାରେ ତିଆରି ଖାଦ୍ଯ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର ମାତା ବଢି ଯାଇଥାଏ । ଯଦି ଶରୀରରେ କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବେନି ତେବେ ଏହା ଡାଇବେଟିସ, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ସମସ୍ଯାକୁ ସୃଷ୍ଟି କରିପାରେ । ସେଥିପାଇଁ କୋଲେଷ୍ଟ୍ରୋଲର ମାତ୍ରକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ । ତେବେ କେମିତି କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବେ ଓ କଣ ସବୁ ଖାଇବେ, ଆସନ୍ତୁ ଜାଣିବା ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବୀଣାକରଙ୍କ ଠାରୁ ।

କୋଲେଷ୍ଟ୍ରୋଲର ଭିନ୍ନ କମ୍ପୋନେଣ୍ଟସ୍ ଅଛି ଯାହାକୁ ଭଲ କୋଲେଷ୍ଟ୍ରୋଲ (HDL) ଓ ଖରାପ କୋଲେଷ୍ଟ୍ରୋଲ (LDL) ଦୁଇ ଭାଗରେ ବିଭକ୍ତ କରାଯାଇଛି । HDL ବା ଭଲ କୋଲେଷ୍ଟ୍ରୋଲର ମାତ୍ରା ଆମ ଶରୀରରେ ଅଧିକ ରହିବା ଆବଶ୍ୟକ । ଆମେ ଯେଉଁ ମାଛ, ମାଂସ, ଅଣ୍ଡା ଆଦି ଖାଇଥାଉ ସେସବୁରୁ ଆମ ଶରୀରକୁ କୋଲେଷ୍ଟ୍ରୋଲ ମିଳିଥାଏ । ଏହାଛଡା ଅନ୍ୟ କିଛି ନିରାମିଷ ପଦାର୍ଥର ଫ୍ୟାଟି ଏସିଡରୁ ମଧ୍ୟ ଆମ ଲିଭରରେ କୋଲେଷ୍ଟ୍ରୋଲ ତିଆରି ହୋଇଥାଏ ।

କୋଲେଷ୍ଟ୍ରୋଲ ବିଭିନ୍ନ ଷ୍ଟେରୋଏଡ ହରମୋନ, ଭିଟାମିନ-ଦି ଏବଂ କୋଷକଣିକାର ଏକ ମହତ୍ବପୂର୍ଣ୍ଣ ଅଂଶ । କୋଲେଷ୍ଟ୍ରୋଲର ମାତ୍ରା ବଢିଗଲେ ଏହା ବିଭିନ୍ନ ରକ୍ତନଳୀରେ ଡିପୋଜିଟ ହୋଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରେ । ଯାହାଫଳରେ ହାର୍ଟ ଷ୍ଟ୍ରୋକ କିମ୍ବା ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ ।

ଅତ୍ୟଧିକ ଚର୍ବିଜାତୀୟ ଖାଦ୍ଯ ଖାଇବା କିମ୍ବା ବଂଶଗତ କାରଣରୁ ଏହା ହୋଇଥାଏ । ଏହାସହ ଡାଇବେଟିସ ଓ ଥାଇରଏଡ ଭଳି ରୋଗରେ ମଧ୍ୟ ଏହା ହୋଇଥାଏ । କୋଲେଷ୍ଟ୍ରୋଲ କମ୍ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ହେଉଛି ଖାଦ୍ୟପେୟରେ ନିୟନ୍ତ୍ରଣ କରିବା, ଏକ୍ସରସାଇଜ କରିବା ଓ ଆବଶ୍ୟକ ସ୍ଥଳେ ମେଡ଼ିସିନ ସେବନ କରିବା । ଆଜିକାଲି ଆମର ଶାରୀରିକ ଏକ୍ସରସାଇଜ ବହୁତ କମିଯାଉଛି ଯାହାଫଳରେ କୋଲେଷ୍ଟ୍ରୋଲ ଭଳି ସମସ୍ଯା ଦେଖା ଦେଉଛି ।

ତେଣୁ ଖାଦ୍ଯରେ କମ୍ ତେଲ ବ୍ୟବହାର କରିବା ବା ବିନା ତେଲରେ ପ୍ରସ୍ତୁତ ଖାଦ୍ଯ ଖାଇବା ପାଇଁ ଚେଷ୍ଟା କରିବା ଉଚିତ । ରାଇସବ୍ରାଣ୍ଡ ତେଲ, ବାଦାମ ତେଲ କିମ୍ବା ସୋରିଷ ତେଲରେ ଆପଣ ଖାଦ୍ୟ ତିଆରି କରିପରିବେ । ଗୋଟିଏ ତେଲକୁ ସବୁଦିନ ବ୍ୟବହାର ନକରି ପ୍ରତିଦିନ ଭିନ୍ନ ଭିନ୍ନ ତେଲ ବ୍ୟବହାର କରିବା ମଧ୍ୟ ଅଧିକ ଲାଭଦାୟୀ ହୋଇଥାଏ ।

ଏହାସହ ପ୍ରତ୍ଯେକ ଦିନ ଗଜାମୁଗ, ଗଜାବୁତ, ସିଝା ବୁଟ, ସବୁଜ ପନିପରିବା ଓ ଫଳମୂଳ ଆଦି ଖାଇବା ଉଚିତ । କିନ୍ତୁ ଛଣା ଏବଂ ଭଜା ହୋଇଥିବା ଜିନିଷକୁ ଅଧିକ ମାତ୍ରାରେ ଖାଇବା ଅନୁଚିତ । କୋଲେଷ୍ଟ୍ରୋଲ ସମସ୍ଯା ଥିଲେ ମଟନ୍ ବା ରେଡ ମିଟ୍ ଜାତୀୟ ଖାଦ୍ଯ ଖାଇବା ମଧ୍ୟ ଅନୁଚିତ । କିନ୍ତୁ ଆପଣ ଚୂନା ମାଛ, ସମୁଦ୍ର ମାଛ ଏବଂ ଅଣ୍ଡାର ଧଳା ଅଂଶ ଆଦି ଖାଇପାରିବେ ।

ହେଲେ ଏଥିପାଇଁ ମଧ୍ୟ ଯେତେ କମ୍ ତେଲ ବ୍ଯବହାର କରିବେ ସେତେ ଭଲ ହେବ । ସମସ୍ଯା ଅଧିକ ଥିଲେ ଡାକ୍ତରଙ୍କ ପରାମର୍ଶ କରି ନିୟମିତ ଔଷଧ ଖାଆନ୍ତୁ ଓ ସେଥିରେ କୌଣସି ପ୍ରକାରର ହେଳା କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।