ଋଷି ସେନାମାନେ ୟୁକ୍ରେନର ଅନେକ ନଗର ଧ୍ଵଂସ କରିବା ପରେ ଏବେ ରାଜଧାନୀ କିଭରେ ପହଞ୍ଚି ଯାଇଛନ୍ତି । ଅନ୍ୟପଟେ ତାଇୱାନ ଆକାଶରେ ଚୀନର ଯୁଦ୍ଧ ବିମାନଗୁଡିକ ଦେଖିବାକୁ ମିଳିଛି । ଗତ ଏକ ମାସ ଧରି ଚିନୀ ବିମାନ ଲଗାତାର ତାଇୱାନ ଆକାଶରେ ଅନୁପ୍ରବେଶ କରିଆସୁଛି । ଏହି କାରଣରୁ ଋଷର ୟୁକ୍ରେନ ଆକ୍ରମଣ ପରେ ଏବେ ଚୀନର ତାଇୱାନ ଆକ୍ରମଣ ନେଇ ଆଶଙ୍କା ବଢୁଛି । ଋଷ ଯେପରି ୟୁକ୍ରେନର ଅନେକ ନଗର ଦଖଲ କରିଛି ଚୀନ କଣ ସେପରି ତାଇୱାନ ଦଖଲ କରିବ ବୋଲି ପ୍ରଶ୍ନ ଉଠୁଛି ।

ନିକଟରେ ଚୀନ ରାଷ୍ଟ୍ରପତି ସି ଜିନଫିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ମିଳିତ ଷ୍ଟେଟମେଣ୍ଟ ଦେଇଥିଲେ । ଯେଉଁଥିରେ ଦୁଇ ନେତା ତାଇୱାନକୁ ଚୀନର ଅଂଶ ବୋଲି ମାନିଥିଲେ । ଚୀନ ସେନା ଓ ହତିଆର ମାମଲାରେ ତାଇୱାନ ଠାରୁ ହଜାର ଗୁଣ ମଜବୁତ ହେଲେ ମଧ୍ୟ ତାଇୱାନ ଉପରେ ଆକ୍ରମଣ କରିବା ଚୀନ ପାଇଁ ଏତେ ସହଜ ନୁହେଁ । ୧୯୫୦ ପରଠାରୁ ଚୀନ ତାଇୱାନକୁ ନିଜ ସହ ମିଶାଇବାକୁ ଚାହିଁ ଆସୁଛି । କିନ୍ତୁ ଚୀନର କୌଣସି ସରକାରଙ୍କୁ ମଧ୍ୟ ଏଥିରେ ସଫଳତା ମିଳିନାହିଁ ।
୧୯୪୯ରେ ଚୀନ ଠାରୁ ଅଲଗା ହେବା ପରେ ତାଇୱାନ ନିଜକୁ ଏକ ଅଲଗା ଦେଶ ଭାବେ ସ୍ଥାପିତ କରିଥିଲା । ଚୀନ ତାଇୱାନକୁ ନିଜ ସହ ମିଶାଇବାକୁ ଚାହୁଁଥିବାରୁ ଏହି କଥାକୁ ନେଇ ୭୦ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଦୁଇ ଦେଶ ମଧ୍ୟରେ ଶତ୍ରୁତା ଲାଗି ରହିଛି । ତାଇୱାନର ରକ୍ଷା କରିବାକୁ ଦୁଇ ବଡ ଦେଶ ଆମେରିକା ଓ ଜାପାନ ସବର୍ଦା ଅଛନ୍ତି । ତେଣୁ ଚୀନ ଯଦି ଯୁଦ୍ଧ ଆରମ୍ଭ କରେ ତେବେ ତାକୁ ଆମେରିକା ଓ ଜାପାନର ସେନାର ସାମ୍ନା କରିବାକୁ ହେବ ।

ରିପୋର୍ଟ ମୁତାବକ ଆମେରିକା ସାଉଥ ଚାଇନା ସମୁଦ୍ରରେ ନିଜ ନୌସେନାର ସପ୍ତମ ପ୍ରହରୀଦଳ ଜଗେଇ କରିରଖିଛି । ଏହି ଦଳରେ ପ୍ରାୟ ୧୫୦ଟି ଉଡାଜାହାଜ, ୫୦ରୁ ୭୦ଟି ପାଣି ଜାହାଜ ଓ ସବମ୍ୟାରିନ ଏବଂ ୨୦ ହଜାର ସୈନିକ ଜଗି ରହିଛନ୍ତି । ଯେଉଁମାନେ ଯେକୌଣସି ପ୍ରକାର ଚିନୀ ଆକ୍ରମଣର ଜବାବ ତୁରନ୍ତ ଦେବେ । ତେଣୁ ଚୀନ ତାଇୱାନ ଉପରେ ଆକ୍ରମଣ କରିବା ଏକ ପ୍ରକାର ଅସମ୍ଭବ ଅଟେ ।
ଅନୁମାନ କରାଯାଉଛି କି ଋଷ-ୟୁକ୍ରେନ ଯୁଦ୍ଧର ଫାଇଦା ଉଠାଇ ଚୀନ ତାଇୱାନ ଉପରେ ସେମିତି ଆକ୍ରମଣ କରିବ ଠିକ ଯେମିତି ସେ ୧୬ ଅକ୍ଟୋବର ୧୯୬୨ରେ ହୋଇଥିବା କ୍ୟୁବା ମିଶାଇଲ ସଙ୍କଟର ଫାଇଦା ଉଠାଇ ୨୦ ଅକ୍ଟୋବର ୧୯୬୨ରେ ଭାରତ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ଲଦାଖ ଓ ଅରୁଣାଚଳ ପ୍ରଦେଶର କିଛି ଭାଗକୁ ନିଜର ବୋଲି ଦାବି କରି ଚୀନ ନିଜ ଅକ୍ତିଆରକୁ ନେଇଥିଲା ।

କିନ୍ତୁ ଏହା ୧୯୬୨ ନୁହେଁ କି ତାଇୱାନ ୟୁକ୍ରେନ ମଧ୍ୟ ନୁହେଁ । କାରଣ ୟୁକ୍ରେନର ଭୌଗୋଳିକ ସ୍ଥିତି ସେମିତି ନାହିଁ ଯେ ଆମେରିକା ତାକୁ ତୁରନ୍ତ ସହାୟତା ଯୋଗାଇ ପାରିବ । କିନ୍ତୁ ତାଇୱାନ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ । ତାଇୱାନର ସୁରକ୍ଷାକୁ ନେଇ ଆମେରିକା ଖୁବ ଗମ୍ଭୀର ଥିବା ବେଳେ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରୁ ହିଁ ହିନ୍ଦ ମହାସାଗର, ପ୍ରଶାନ୍ତ ମହାସାଗର ଓ ଏପରିକି ଦକ୍ଷିଣ ଚୀନ ମହାସାଗର ନିକଟରେ ମଧ୍ୟ ଆମେରିକାର ସୈନ୍ୟ ନିୟୋଜିତ କରାଯାଇଛନ୍ତି ।
ଆଉ ଆମେରିକାର ସପ୍ତମ ସୈନ୍ୟ ଦଳ ସବୁଠୁ ଶକ୍ତିଶାଳୀ ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।