ବୟସର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବୁଢା ବାପା ଭୋ ଭୋ ହୋଇ କାନ୍ଦୁଛନ୍ତି । ଗଣ୍ଡେ ଖାଇ ଘରେ ବିଶ୍ରାମ କରିବା ବଦଳରେ ଏହି ବୟସରେ ବି ତାଙ୍କୁ ବାର ଦୁଆର ବୁଲିବାକୁ ପଡୁଛି । ତିନି ଝିଅ ଓ ଗୋଟିଏ ପୁଅକୁ ସିନା ମଣିଷ କଲେ, ହେଲେ ଏବେ ଆଉ ବାପାକୁ କେହି ପଚାରୁ ନାହାନ୍ତି । ବୃଦ୍ଧ ବାପାକୁ ସମସ୍ତେ ପର କରିଦେଲେ ବୋଲି ଏବେ ପରିଣତ ବୟସରେ ବି ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ଏହି ବୁଢା ବାପା । ଏହି ବୁଢା ବାପାଜଣକ ହେଉଛନ୍ତି ଗଞ୍ଜାମ ଭଞ୍ଜନଗରର ମୁରଲୀ ବେହେରା ।
ବୟସ 80 ପାର ହେଲାଣି ଓ ଚାଲିବାକୁ ଗୋଡରେ ବଳ ବି ନାହିଁ । କେତେବେଳେ କାହା ବାରଣ୍ଡାରେ ବସି ଧାର ଧାର ଲୁହ ଗଡାଉଛନ୍ତି ତ ଆଉ କେତେବେଳେ କେଉଁଠି ଟିକିଏ ଶୋଇ ପଡ଼ୁଛନ୍ତି । ସ୍ତ୍ରୀ ଦୁଇ ବର୍ଷ ହେବ ଆରପାରିକୁ ଚାଲି ଯାଇଥିବା ବେଳେ ବଡଝିଅ ଓ ଜ୍ଵାଇଁକୁ ସବୁ ସମ୍ପତ୍ତି ଦେଇ ଆରାମରେ ଶେଷ ସମୟ ବିତାଇବେ ବୋଲି ଭାବିଥିଲେ ବୁଢା ବାପା । ହେଲେ ସମ୍ପତ୍ତି ପାଇବା ପରେ ବଡଝିଅ ଓ ଜ୍ଵାଇଁ ବଦଳିଗଲେ । ବୁଢା ବାପାକୁ ମାରପିଟ କରିବା ସହ ଘରୁ ବାହାର କରିଦେଲେ ।
ସବୁ ଧନ ସମ୍ପତ୍ତି ଝିଅକୁ ଦେଇଦେଲେ, ଆଉ ଏଇ ବୟସରେ କଣ ବା କରିବେ । କଣ ଖାଇବେ, କେଉଁଠି ରହିବେ ଓ କଣ କାମ କରିବେ ଏକଥା ଚିନ୍ତା କରି କରି ବୁଢା ବାପାଟି ଆଖିରୁ ଲୁହ ଗଡିପଡୁଛି । ଏଇ ବୟସରେ କାମ କରିବା ସମ୍ଭବ ହେଉ ନଥିବାରୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ମୁରଲୀ ।
ମୂରଲୀଙ୍କ ତିନି ଝିଅ ବିବାହ କରି ସାରିଥିବା ବେଳେ ଗୋଟିଏ ବି ଦୀର୍ଘ ବର୍ଷ ହେବ ବାହାର ରାଜ୍ୟରେ ରହୁଛି । ପୁଅ ଝିଅ ସମସ୍ତଙ୍କୁ ମଣିଷ କରି ବି ବୟସର ଅପରାହ୍ନରେ ପାଖରେ କେହି ନାହାନ୍ତି । ସ୍ଥାନୀୟ ଜିଲ୍ଲାପାଳ ଅଫିସ ବାରଣ୍ଡାରେ ମୁରଲୀ ଦୀର୍ଘ ସମୟ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ଆଇନଜୀବୀ ସନ୍ତୋଷ ପାଲ ଆସି ତାଙ୍କ ସମସ୍ଯା ବୁଝିଥିଲେ । ତାଙ୍କୁ ଖାଇବାକୁ ଦେବା ସହ ସାହାଯ୍ୟର ହାତ ମଧ୍ୟ ବଢାଇଛନ୍ତି ।
ଭଞ୍ଜନଗର ଉପ-ଜିଲ୍ଲାପାଳ ବୃଦ୍ଧଙ୍କୁ ସାହାଯ୍ୟ କରିବା ସହ ତାଙ୍କ ସହ ଅନ୍ୟାୟ କରିଥିବା ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।