କଏଦୀଙ୍କୁ ଜେଲ ବାହାରକୁ ନେଇ ନିଜ କାମରେ ଲଗାଉଥିଲେ ଜେଲର । ଆଉ ଏବେ ନିଜେ ପଡିଛନ୍ତି ହରଡଘଣାରେ । କାରଣ ଏହି ସୁଯୋଗ ନେଇ ଜଣେ କଏଦୀ ଚମ୍ପଟ ମାରିଦେଲା । ଯାହାକୁ ନେଇ ଧାନ ବିଲରେ ଜେଲର ମ୍ୟାଡାମ ଝାଳନାଳ ହୋଇ ଯାଇଛନ୍ତି । ଚାଷ କରିବାକୁ ଯାଇ କଏଦୀ ଜଣକ ବିଳରୁ ଚମ୍ପଟ ମାରିଲା । ତା’ରି ପାଇଁ ଆଣ୍ଠୁଏ କାଦୁଅରେ ପଶି ମ୍ୟାଡାମ ଘାଣ୍ଟି ହେଲେ । ଜେଲ ଛାଡି ଜେଲର କଏଦୀକୁ ଯାଇ ବିଲରେ ଖୋଜିଲେ ।
କଏଦୀ କାମ କରୁଥିଲେ ଓ ମ୍ୟାଡାମ କଙ୍କଡା ଝୋଳ ଖାଉଥିଲେ । ଟାଇଁ ଟାଇଁ ଖରା ସାଙ୍ଗକୁ କାଦୁଅ ପଚପଚରେ ବୁଲରେ ବୁଲୁଛନ୍ତି ଜେଲର । ଖାଲି ପାଦରେ ଏଣେତେଣେ ଧାଇଁ ଧଇଁସଇଁ ହୋଇ କଏଦୀଙ୍କୁ ଖୋଜୁଛନ୍ତି । କ୍ୟାମେରା ଦେଖି ନିଜ ମୁହଁକୁ ଓଢଣାରେ ଢାଙ୍କୁଥିବା ଏହି ଜେଲର ଜଣକ ହେଲେ ପ୍ରିୟମ୍ବଦା ପଣ୍ଡା । ବାଲେଶ୍ଵର ଜିଲ୍ଲା, ସୋର ଉପକାରାଗାରରେ ଘଟିଛି ଏଭଳି ଏକ ଘଟଣା । ଗୁରୁବାର ଜଣେ ବିଚାରାଧୀନ କଏଦୀ ଜେଲର ପ୍ରିୟମ୍ବଦାଙ୍କ ବିଳରୁ ଚମ୍ପଟ ମାରିଛି ।
ଏହାପରେ ଜେଲର ସେହି କଏଦୀଙ୍କୁ ଖରାରେ ଖୋଜାଖୋଜି କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ତାଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିବାରୁ ମୁହଁରେ ଓଢଣା ଦେଇ ପ୍ରିୟମ୍ବଦା ମ୍ୟାଡାମ ଚାଲି ଯାଉଛନ୍ତି । ତେବେ ଦୀର୍ଘ ବର୍ଷ ଧରି ଜେଲର ପ୍ରିୟମ୍ବଦା ପଣ୍ଡା କଏଦୀମାନଙ୍କୁ ନେଇ ନିଜ ବିଲରେ ମୁଲିଆ ଭଳି ଖଟାଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି ।
ପ୍ରତିଦିନ ଜେଲରଙ୍କ ଘରକୁ କଏଦୀ ଆସନ୍ତି, ଆଉ ଘର କାମ ସହ ଚାଷକାମ ବି କରନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅନେକ ସମୟରେ କଏଦୀ ମାନଙ୍କୁ ହଇରାଣ କରିବା ସହ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଏ । ସେଥିପାଇଁ ଅନେକ କଏଦୀ ନିର୍ଯ୍ୟାତନା ସହି ନପାରି ଫେରାର ହୋଇଯାନ୍ତି ତ ଆଉ କିଏ ଆତ୍ମହତ୍ୟା କରିଦିଅନ୍ତି । ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ଉଠୁଛି କି କଏଦୀ ମାନଙ୍କୁ ଜେଲ ବାହାରକୁ କାହିଁକି ନିଆ ଯାଇଥିଲା ?
ଏଥିପାଇଁ କିଏ ଦାୟୀ ? କାହିଁକି ନିଜ ଘରୋଇ କାମ କରିବାକୁ କଏଦୀଙ୍କୁ ନେଉଥିଲେ ଜେଲର ? ଏନେଇ ପ୍ରତିକ୍ରିୟା ପାଇଁ ଜେଲରଙ୍କ ପଛେ ଗଣମାଧ୍ୟମ ଗୋଡାଇଥିବା ବେଳେ ଛତ୍ରଭଙ୍ଗ ଦେଇଥିଲେ ଜେଲର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।