ମଣ୍ଡପ ସଜା ସରିଥିଲା ଓ ଆଉ ବେଦି ବି ପ୍ରସ୍ତୁତ ଥିଲା । ସେଇ ବେଦିରେ ଉଭୟ ବରକନ୍ଯାଙ୍କ ହାତଗଣ୍ଠି ପଡି ବାହାଘର ମଧ୍ୟ ସରିଥିଲା । ହେଲେ କନ୍ୟା ବିଦାୟ ହୋଇ ଫେରିବା ବେଳକୁ ଏକା ଫେରି ଯାଇଥିଲା ବର । ଆଉ ସେଠାରୁ ସିଧା ପୋଲିସ ଷ୍ଟେସନରେ ଯାଇ ହାଜର ହେଲା ବର । କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ । ଏଠାରେ ଉଭୟଙ୍କ ବିବାହ ଶେଷ ହେବା ପରେ ସମସ୍ତ ସୁନାଗହଣା ଧରି ନିଜ ପ୍ରେମିକ ସହ ଚମ୍ପଟ ମାରିଛି କନ୍ୟା ।
ଆଉ ବର ଶିଶୁପାଳ ହୋଇ ଉପାୟଶୂନ୍ୟ ଭାବେ ଥାନାର ଦ୍ଵାରସ୍ଥ ହୋଇଛି । ବଲାଙ୍ଗୀର ଟାଉନସ୍ଥିତ ବ୍ରାହ୍ମଣପଡାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରର ତୋଷରା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ନାରାୟଣ ମାଝୀଙ୍କ ପୁଅ ପ୍ରେମକୁମାର ମାଝୀ ବଲାଙ୍ଗୀର ଟାଉନସ୍ଥିତ ବ୍ରାହ୍ମଣପଡାର ସୁରେନ୍ଦ୍ର ମହାକୁଡଙ୍କ ଝିଅ ଲିଜା ମହାକୁଡଙ୍କୁ ବେଦିରେ ବସି ବିବାହ କରିଥିଲେ ।
ପ୍ରେମକୁମାର କନ୍ୟାକୁ ଘରକୁ ନେବା ପାଇଁ ବ୍ୟାଣ୍ଡବାଜା ଓ ବରଯାତ୍ରୀ ସହ ନାଚଗୀତରେ ଝୁମି ଝୁମି ଆସି କନ୍ୟା ଘରେ ପହଞ୍ଚିଥିଲେ । ବରଣୀ ହେବା ପରେ କିଛି ସମୟ ପରେ ମଣ୍ଡପରେ ବର କନ୍ୟାଙ୍କର ବିବାହ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ହେଲେ କନ୍ୟା ବେଦିରେ ବସିବା ବେଳେ ହଠାତ ପ୍ରେମିକ କଥା ମନେ ପଡିଗଲା । ବାହାଘର ସରିବା ପରେ ବର ପ୍ରେମକୁମାରଙ୍କ ସହ ଏକାସାଥେ ଖାଇଥିଲେ କନ୍ୟା ।
ଏହାପରେ ସୁଯୋଗ ଦେଖି କାହାକୁ କିଛି ନଜଣାଇ ସୁନଗହଣା ସହ ପ୍ରେମିକ ସହ ଫେରାର ହୋଇଗଲା । ବହୁ ଖୋଜାଖୋଜି କରିବା ପରେ ବି କନ୍ୟାର କୌଣସି ଖୋଜଖବର ମିଳିଲା ନାହିଁ । ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି ଯୁକ୍ତିତର୍କ ମଧ୍ୟ ଲାଗି ରହିଥିଲା । ବିବାଦ ଅତ୍ୟଧିକ ବଢିବାରୁ ଶେଷରେ ଘଟଣା ଯାଇ ଥାନାରେ ପହଞ୍ଚିଛି । ପ୍ରେମକୁମାର ନିଜେ ଟାଉନଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଏବେ କନ୍ୟା ଫେରାର ହେବାର ଏକ ସିସିଟିଭି ଫୁଟେଜ ହାତକୁ ଆସିଛି ।
ଯେଉଁଥିରେ ଦେଖିବାକୁ ମିଳୁଛି କି କନ୍ୟାଜଣକ ଘରୁ ବାହାରି ଯାଇ ଏକ ବାଇକ ପଛରେ ବସି ଫେରାର ହୋଇଯାଉଛି । ଅନ୍ୟପଟେ ଶିଶୁପାଳ ହୋଇ ଘରକୁ ଫେରିଯାଇଛି ବର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।